ମୁହଁରେ ବଢୁଛି ମାଂସ ପିଣ୍ଡୁଳା, ଜୀବନ ଯୁଦ୍ଧରେ ଲଢୁଛନ୍ତି ଏକା ପାତ୍ରପୁରର ବିଞ୍ଜା ଭୂୟାଁ

ପାତ୍ରପୁର: ମୁହଁ ସାରା ବଢ଼ୁଛି ମାଂସପିଣ୍ଡୁଳା। ୫୦ ବର୍ଷ ବୟସରେ ବି ଆହା‌ପଦେ କହିବାକୁ କେହି ନାହିଁ। ବାପାମା’ ଆରପାରିକୁ ଚାଲିଯାଇଥିବା ବେଳ‌େ ନିଜେ ଅବିବାହିତ ଓ ନିଃସଙ୍ଗ। ଆଉ ଜୀବନ ଯୁଦ୍ଧରେ ସେ ସାଜିଛନ୍ତି ଏକାକୀ ସଂଗ୍ରାମୀ।

ଜଙ୍ଗଲ ଭିତରେ ଗାଈଗୋଠଙ୍କ ଭିତରେ ଜୀବନ କାଟୁଥିବା ବେଳ‌େ ଅନ୍ୟ ବ୍ୟକ୍ତିଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏମିତି ଜଣେ ମଣିଷ ହେଲେ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରାତାଲା ପଞ୍ଚାୟତ ମହାଲିମ୍ବ ଗ୍ରାମର ବିଞ୍ଜା ଭୂୟାଁ। ସ୍ବର୍ଗତ ପାଣ୍ଡବ ଭୂୟାଁ ଓ ସ୍ବର୍ଗତ ମାଣିକଙ୍କ ଏକ ମାତ୍ର ପୁଅ ବିଞ୍ଜାଙ୍କ ଶରୀର ଭଲ ଥିବା ବେଳେ ମୁହଁରେ କିନ୍ତୁ ଅସ୍ବାଭାବିକ ଭାବେ ମାଂସପିଣ୍ଡୁଳା ବଢ଼ିବା‌‌ରେ ଲାଗିଛି। କିନ୍ତୁ ଗୋଟିଏ ପଟେ ବେସାହାରା ଥିବା ବେଳେ ଅନ୍ୟପଟେ ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ। କାରଣ ସେ ନିଜେ ଅନ୍ୟର ଦୟାର ପାତ୍ର ସାଜିଛନ୍ତି।

ବିଞ୍ଜା ବାଲ୍ୟ ସମୟରୁ ପାହାଡ଼ ଜଙ୍ଗଲରେ ଗାଈଗୋଠ ଚରାଉଛନ୍ତି। ବାପାମା’ ଚାଲିଯିବା ପରେ ପ୍ରାୟ ୩୦ ବର୍ଷ ହେଲା ସାମନ୍ତରାପୁର ଗ୍ରାମର ଜଣେ ବ୍ୟକ୍ତି (ଗୌଡ଼ ପରିବାର)ଙ୍କ ଘରେ ରହୁଛନ୍ତି। ତାଙ୍କ ଗାଈଗୋଠକୁ ସେ ପ୍ରତିଦିନ ଚରାଇବାକୁ ଜଙ୍ଗଲକୁ ନିଅନ୍ତି। ତେବେ ତାଙ୍କ ପ୍ରତି ଗ୍ରାମବାସୀଙ୍କ ସହାନୁଭୂତି ମନୋଭାବ ରହିଛି। ଯାହାକୁ ଦେଖିଲେ ବି ବିଞ୍ଜା ଭଲରେ କଥାବାର୍ତ୍ତା ହେବା ସହ ଦୁଃଖସୁଖ ବୁଝିଥାନ୍ତି। ଗୋଟିଏ ଆଖିରେ ମିଟିମିଟି କରି ଦେଖନ୍ତି। କିନ୍ତୁ ଖାଇବା ପାଇଁ ଆଁ କରିବା ବେଳକୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ବୋଲି ବିଞ୍ଜା କହନ୍ତି।

ସାମନ୍ତରାପୁରର ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, ଅସ୍ତ୍ରୋପଚାର ହୋଇଥିଲେ ହୁଏତ ବିଞ୍ଜା ସୁସ୍ଥ ହୋଇପାରନ୍ତେ। କିନ୍ତୁ ପାଖରେ ଅର୍ଥ ନାହିଁ। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା।

 

 

ସମ୍ବନ୍ଧିତ ଖବର