ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଦେଶାତ୍ମବୋଧକ କବିତା ପାଠୋତ୍ସବ

‘ବର୍ତ୍ତମାନର ପିଢ଼ି ଆମ ଐତିହ୍ୟ ଓ ପରମ୍ପରାକୁ ଜାଣିବା ଜରୁରୀ’

ବାଲେଶ୍ବର : ଯେଉଁ ଦେଶ ତାର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଭୁଲିଯାଏ ସେ ଜାତି କୃତଘ୍ନ। ବର୍ତ୍ତମାନର ପିଢ଼ି ଆମ ଐତିହ୍ୟକୁ ଜାଣିବା ଦରକାର। ବାଘାଯତୀନଙ୍କ ପରି ଅନ୍ୟ ବୀର ପୁରୁଷଙ୍କ ବିଷୟରେ ଆମ ପିଲାମାନେ ପଢ଼ିବା ଉଚିତ। ଏଥିପାଇଁ ସବୁ ସଂଗଠନ ଓ ଅନୁଷ୍ଠାନ ଉଦ୍ୟମ କରିବା ଜରୁରୀ ହୋଇପଡ଼ିଛି। ସହରର ସବୁ କାନ୍ଥରେ ଆମ ଐତିହ୍ୟ ଚିତ୍ରିତ ହେଉ। କବି ଓ ସାହିତ୍ୟିକଙ୍କ ମଧ୍ୟରେ ଜାତୀୟତାବୋଧ ରହୁ। ପୂର୍ବରୁ ଦେଶାତ୍ମବୋଧ କବିତା ଲେଖାଯାଉଥିଲା। କିନ୍ତୁ ଆଜି ସେସବୁ କବିତା ଲେଖାଯାଉନାହିଁ। କବି ଓ ସାହିତ୍ୟିକଙ୍କ ଲେଖାରେ ଆତ୍ମପ୍ରେମ, ଆତ୍ମପ୍ରଶଂସା, ଆତ୍ମକଥା ଅପେକ୍ଷା ରାଷ୍ଟ୍ରପ୍ରେମ, ରାଷ୍ଟ୍ରର ପ୍ରଶଂସା ଓ ରାଷ୍ଟ୍ରଭକ୍ତିର କଥା ରହୁ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବାଧୀନ ଭାରତର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଉପଲକ୍ଷେ ‘ଦେଶାତ୍ମବୋଧକ କବିତା’ ପାଠୋତ୍ସବରେ ଯୋଗ ଦେଇ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କାଙ୍କ ସଭାପତିତ୍ୱରେ ଜିଲ୍ଲା ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ସୁରେଶ ଚନ୍ଦ୍ର ଦଳେଇ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ। ରାଜ୍ୟ ସରକାର ଏହି ବିଭାଗକୁ ଗୁରୁତ୍ବ ଦେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଭାଷା, ସାହିତ୍ୟ ଆନ୍ଦୋଳନର ପୁରୋଧା ଫକୀରମୋହନ ସେନାପତିଙ୍କର ଶାନ୍ତିକାନନ ଠାରେ ଥିବା ପାଠାଗାର ଅବହେଳିତ ଅବସ୍ଥାରେ ରହିଛି। ଏହି ପାଠାଗାରକୁ ଏକ ସ୍ମାର୍ଟ ପାଠାଗାର କରାଯିବା ସହିତ କଳାକାରଙ୍କ ଉନ୍ନତି ପାଇଁ ଏକ ଆର୍ଟ ଗ୍ୟାଲେରୀ କରାଯାଉଛି। ଛାତ୍ରଛାତ୍ରୀମାନେ ଏହି ପାଠାଗାରକୁ ବ୍ୟବହାର କରିବେ। ସେହିପରି ଶାନ୍ତିକାନନର ଉପର ମହଲାରେ ଫକୀରମୋହନଙ୍କ ନାମରେ ଏକ ମ୍ୟୁଜିୟମ୍‌ କରାଯିବ। ତାହା ବାଲେଶ୍ବର ଏୗତିହ୍ୟ ବାତାବରଣକୁ ରୁଦ୍ଧିମନ୍ତ କରିବ। ସଂସ୍କୃତି ଭବନର ବିକାଶ ନେଇ ସଂସ୍କୃତି ବିଭାଗ ସହ ଆଲୋଚନା କରାଯାଇଛି ବୋଲି ଶ୍ରୀ ଦଳେଇ ସୂଚନା ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ମନୋଜ ଦାସ ମେମୋରିଆଲ’ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ମନୋଜ ଦାସଙ୍କ ପୁରସ୍କାର ପାଇଁ ବିଧିବଦ୍ଧ ବ୍ୟବସ୍ଥା ଖୁବ୍‌ଶୀଘ୍ର କରାଯିବାର ଉଦ୍ୟମ ଜାରି ରହିଛି। ଏଥିପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ଶ୍ରୀ ଦଳେଇ କହିଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କବି ଶୈଳବାଳା ବେହେରାଙ୍କ ସଂଯୋଜନାରେ ବାଲେଶ୍ଵରର ନିମନ୍ତ୍ରିତ ୨୦ ଜଣ କବିଙ୍କ ସହ ଶେ‌ଷରେ ଗିରୀଶ ଦାଶ ପ୍ରମୁଖ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏହି ଅବସରରେ ଶିଳ୍ପୀ କେଶୁଦାସ ଅତିଥିମାନଙ୍କୁ ବାଲେଶ୍ବରର ଜଉକେଣ୍ଢଇ ପ୍ରଦାନ କରିବା ସହ ଶ୍ରୀ ଦଳେଇ ଓ ଶ୍ରୀ ଦାସଙ୍କର ଦୁଇଟି ଅଙ୍କାଯାଇଥିବା ଚିତ୍ର ତାଙ୍କୁ ଉପହାର ଦେଇଥିଲେ। ଶେ‌ଷରେ ଡ. ଲେଙ୍କା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର