ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ସଙ୍ଗୀତାଙ୍କ ପୁରୁଷବନ୍ଧୁ ତେରୋହୀ ଗ୍ରାମର ଯୁବକଙ୍କୁ ପୁଲିସ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣିଛି। ଆଜି କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟେରିଆ ଫରେନ୍ସିକ୍ ବିଶେଷଜ୍ଞମାନଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଏସ୍ପି କହିଛନ୍ତି। ତଦନ୍ତ ପ୍ରକ୍ରିୟା ଠିକ୍ ଦିଗରେ ଚାଲିଛି। ତରବର ହେଲେ ଏହାର ଦିଗ ଭୁଲ ବାଟରେ ଯାଇପାରେ। ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରି ଯାଇଛନ୍ତି। ପୁଲିସର ଅନୁରୋଧକ୍ରମେ ଆଜି ଫରେନ୍ସିକ୍ ଏକ୍ସପର୍ଟମାନେ ପୁଣି ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍ପି କହିଛନ୍ତି। ମୃତ ଛାତ୍ରୀଙ୍କ ବାପାଙ୍କୁ ଗୋଟିଏ ଘରେ ବସାଇ ପଚରାଉଚରା କରାଯିବା ସହ ପୁଲିସ ଓ ଫରେନ୍ସିକ୍ ଟିମ୍ ଘର ଛାତ ଉପରକୁ ଯାଇ ଆତ୍ମଦାହସ୍ଥଳରୁ ନମୁନା ସଂଗ୍ରହ କରିଥିଲା। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିନାହିଁ ବୋଲି ଏସ୍ପି ଶ୍ରୀ କାଟେରିଆ କହିଛନ୍ତି। ଆଜି ଏସ୍ପିଙ୍କ ଗସ୍ତ ସମୟରେ କାଠିଆପଡ଼ା ଗ୍ରାମ ପୁଲିସ ଛାଉଣିରେ ପରିଣତ ହୋଇଥିଲା। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ମୃତ ସଙ୍ଗୀତାଙ୍କ ବାପା ଓ ମା’ଙ୍କୁ ପଚରାଉଚରା କରିବା ସହ ପଡ଼ୋଶୀ ଓ ଗ୍ରାମବାସୀଙ୍କ ବୟାନ ରେକର୍ଡ କରିଛନ୍ତି। ଅପରପକ୍ଷରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ କାଠିଆପଡ଼ାରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ମୃତ୍ୟୁ କାରଣ: ଏସ୍ପି
ହତ୍ୟା ଅଭିଯୋଗ ଆଣିଲେ ଭଉଣୀ
ସଙ୍ଗୀତାଙ୍କ ପୁରୁଷବନ୍ଧୁଙ୍କୁ ପୁଲିସ ହେପାଜତକୁ ନେବା ପରେ ଘଟଣା ସମ୍ପର୍କରେ ତାଙ୍କ ମା’ ଓ ଭଉଣୀ ମୁହଁ ଖୋଲିଛନ୍ତି। ମା’ କହିଛନ୍ତି ଯେ ଦୁଇଜଣ ପରସ୍ପରକୁ ଭଲ ପାଉଥିଲେ। ସେମାନେ କିଛିଦିନ ଭିତରେ ବିବାହ କରିଥା’ନ୍ତେ। ପୁଅ ପ୍ରତାପ ନିର୍ଦ୍ଦୋଷ ଏବଂ ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ପୁଲିସ ଯଦି ତାଙ୍କ ପୁଅକୁ ଗିରଫ କରେ ସେ ଆତ୍ମାହୁତି ଦେବେ। ଅନ୍ୟପଟେ ଯୁବକଙ୍କ ଭଉଣୀ କହିଛନ୍ତି ଯେ ଝିଅକୁ ହତ୍ୟା କରି ପୋଡ଼ି ଦିଆଯାଇଥିବା ବେଳେ ଓଲଟା ତାଙ୍କ ଭାଇକୁ ଦୋଷୀ କରାଯାଉଛି। ସେ କହିଛନ୍ତି, ପୁଅ-ଝିଅ ପରସ୍ପରକୁ ଭଲ ପାଉଥିଲେ। ବିବାହ ମଧ୍ୟ କରିବାକୁ ସ୍ଥିର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବାପା ଓ ମା’ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ। ଝିଅ ଅତିଷ୍ଠ ହୋଇ ଆମ ଘରକୁ ପଳାଇ ଆସିବ ବୋଲି ଫୋନ୍ ଯୋଗେ କହୁଥିଲା। ମୋ ଭାଇ କେବେ ତାଙ୍କୁ ମାରି ନାହିଁ। ଏଥିପାଇଁ ତାଙ୍କ ବାପା ସମ୍ପୂର୍ଣ୍ଣ ଦାୟୀ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/29/fire-2025-07-29-00-01-23.jpg)