ପଟାଙ୍ଗି/କୋରାପୁଟ: କୋରାପୁଟ ଜିଲ୍ଲାରେ ସୁନ୍ଦର ଓ ମନୋରମ ପରିବେଶ ରହିଥିଲା। କିନ୍ତୁ ବିକାଶକୁ ପ୍ରାଧାନ୍ୟ ଦେଇ ଆମେ ପରିବେଶକୁ ବିନାଶ କରିଛୁ। ପରିବେଶ ପ୍ରଦୂଷଣ ସାମାଜିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜୁଛି। କୋରାପୁଟ ଜିଲ୍ଲା ପଟାଙ୍ଗି ଗାଙ୍ଗେଶ୍ବରୀ ସ୍ନାତକ ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ।

Advertisment

ପୂର୍ବରୁ ଜଙ୍ଗଲ ସହ ଆଦିବାସୀଙ୍କ ସୁସମ୍ପର୍କ ରହିଥିଲା। ଝରଣା ପାଣି ଓ ବନଜାତ ଦ୍ରବ୍ୟର ବ୍ୟବହାର ଯୋଗୁ ‌ରୋଗ ପ୍ରତିଷେଧକ ଶକ୍ତି ବଢ଼ୁଥିଲା। ଏବେ ଜଙ୍ଗଲରେ ମିଳୁନି ବନଜାତ ଦ୍ରବ୍ୟ। ଦୂଷିତ ହେଲାଣି ଝରଣା। ପରିବେଶ ସନ୍ତୁଳନ ହରାଇଛି। ପ୍ରଦୂଷିତ ପରିବେଶର ପ୍ରଭାବ ଶିକ୍ଷା, ସ୍ବାସ୍ଥ୍ୟ ଓ ରାଜନୈତିକ ବ୍ୟବସ୍ଥା ଉପରେ ପଡୁଛି। ଆଧୁନିକତା କାରଣରୁ ପାରମ୍ପରିକ ଖାଦ୍ୟ ଠାରୁ ଆମେ ଦୂରେଇ ରହୁଛେ। ଅପମିଶ୍ରିତ ଖାଦ୍ୟ ନୂଆ ନୂଆ ରୋଗ ସୃଷ୍ଟି କରୁଛି। ଶିକ୍ଷିତ ସମାଜ ନିଜ କୌଳିକ ବୃତ୍ତି ଓ ଚାଷ ଠାରୁ ଦୂରେଇ ରହୁଛନ୍ତି। ପ୍ରଦୂଷଣ ଓ ଅପିମିଶ୍ରିତ ଖାଦ୍ୟ ବିକୃତ ମାନସିକତା ବଢ଼ାଉଛି। ଯାହାଫଳରେ ନାରୀ ନିର୍ଯାତନା ବଢ଼ୁଛି। ନୀଳଗିରି ଭଳି ଗଛ ନଲଗାଇ ଫଳନ୍ତି ଓ ଔଷଧୀୟ ଗଛ ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ। ବ୍ୟାପକ ବୃକ୍ଷ‌ରୋପଣ ସହ ଜୈବିକ ଚାଷ ସଂପର୍କରେ ସଚେତନ କରିବାକୁ ପଡ଼ିବ ବୋଲି ବିଧାୟକ କହିଥିଲେ।

କଲେଜ ଅଧ୍ୟକ୍ଷ ଡ. ଜମ୍ବେଶ୍ୱର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ପ୍ରଦୂଷଣ ରୋଗ ସୃଷ୍ଟିର କାରଣ ବୋଲି କହିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ କେବଳ ବର୍ଷା, ଶୀତ ଓ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଛି। ତେଣୁ ପ୍ରତି ଛାତ୍ରଛାତ୍ରୀ ବର୍ଷକୁ ଅତିକମରେ ୧୦ଟି ବୃକ୍ଷ ଲଗାଇବା ସହ ଗାଁରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିବେଶବିତ୍‌ ପ୍ରତାପ ଚୌଧୁରୀ କହିଥିଲେ, ଜଙ୍ଗଲ ନଷ୍ଟ ଯୋଗୁଁ ପରିବେଶ ଦୂଷିତ ହେଉଛି। ଜଙ୍ଗଲରେ ଫଳନ୍ତି ଓ ଔଷଧୀୟ ଗଛ ଲୋପ ପାଇଲାଣି। ତେଣୁ ମଣିଷର ଆୟୁଷ କମୁଛି ବୋଲି ସତର୍କ କରିଥିଲେ। ବିଧାୟକଙ୍କ ପ୍ରତିନିଧି ଅର୍ଜୁନ ବାଙ୍କା କହି‌ଥିଲେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ କୋରାପୁଟ ଜିଲ୍ଲାରେ ପଡିଛି। ଅଗଷ୍ଟ ମାସରେ ଗରମ ଅନୁଭୂତ ହେଉଛି। ସୁସ୍ଥ ପରିବେଶ ପୁଣି ଥରେ ଫେରାଇ ଆଣିବା ଆମ ଦାୟିତ୍ବ। କାର୍ଯ୍ୟକ୍ରମକୁ ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ପାଢ଼ୀ ସଂଯୋଜନା କରିଥିବା ବେଳେ କନକ ଟିଭି ପ୍ରତିନିଧି ରମେଶଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ ଅଧ୍ୟାପକ ଅମୀୟ କୁମାର ସ୍ୱାଇଁ ପ୍ରାରମ୍ଭିକ ସୂଚନା ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ, କନକ ଟିଭିର ସତୀଶ ବିଶ୍ବାସରାୟ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅଶୋକ ପରିଡା, ଅଧ୍ୟାପିକା ସରିତା ସାହୁ, ଗୀତାଞ୍ଜଳି ବିଶୋଇ, ଝିଲିରାଣୀ ସାମନ୍ତରାୟ, ମାନସୀ ପଲେଇ, ମୌସୁମୀ ଭତ୍ରା, ଅଶୋକ ମିଶ୍ର, ଅକ୍ଷୟ ବେହେରା ପ୍ରମୁଖ ସହଯୋଗ କରିଥିଲେ।