କଟକ: ଦିନଥିଲା ପଟ୍ଟଚିତ୍ର ଗାଁ କହିଲେ ବୁଝାଉଥିଲା ରଘୁରାଜପୁରକୁ। ରଘୁରାଜପୁର ପରେ ଏବେ ବାଙ୍କୀର କେନ୍ଦୁପଲ୍ଲୀ, ପତିନି, ଗୋପବନ୍ଧୁନଗର, ଢଁସର, ଜଗନ୍ନାଥପୁର ଭଳି ଗାଁର ମହିଳାମାନେ ପଟ୍ଟଚିତ୍ର ଶାଢ଼ି ପ୍ରସ୍ତୁତ କରୁଛନ୍ତି। ଶାଢି, ଡ୍ରେସ୍, ଓଢଣୀଠାରୁ ଆରମ୍ଭ କରି ତାଳପତ୍ର ଖୋଦେଇରେ ପଟ୍ଟଚିତ୍ର ଆଙ୍କି ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳାମାନେ। ମେଳା ମହୋତ୍ସବ, ଉତ୍କଳିକା ତଥା ବିଭିନ୍ନ ସଂସ୍ଥାକୁ ବି ଅର୍ଡର ଅନୁସାରେ ଯୋଗାଉଛନ୍ତି ପଟ୍ଟଚିତ୍ର ଓ ପଟ୍ଟଚିତ୍ର ଅଙ୍କା ଶାଢ଼ି ଓ ପୋଷାକ। ତରୁଲତା ସାହୁଙ୍କ ଉଦ୍ୟମ ଯୋଗୁଁ ଉକ୍ତ ବ୍ଲକ୍ର ଶତାଧିକ ମହିଳାଙ୍କ ପଟ୍ଟଚିତ୍ର କାର୍ଯ୍ୟର ଚାହିଦା ବଢ଼ିବାରେ ଲାଗିଛି। କଟକର ଐତିହାସିକ ବାଲିଯାତ୍ରାରେ ମଧ୍ୟ କେନ୍ଦୁପଲ୍ଲୀର ତରୁଲତା ଓ ମହିଳାମାନେ ପଟ୍ଟଚିତ୍ର ଆଙ୍କିବା, ଶାଢ଼ି ଓ ପୋଷାକ ପ୍ରସ୍ତୁତିର ଲାଇଭ୍ ଡେମୋ ଦେଖାଇବାର ଯୋଜନା କରିଛି ଓରମାସ୍।
ପାରବାରିକ ଦୁଃସ୍ଥିତି ଆଗରେ ହାର ନମାନି ତରୁଲତା କିଛି କରି ଦେଖାଇବା ପାଇଁ ଅଣ୍ଟା ଭିଡ଼ିଥିଲେ। ପଟ୍ଟଚିତ୍ର ଶାଢ଼ି, ପୋଷାକ ପ୍ରସ୍ତୁତିରେ ଭାଗ୍ୟ ପରୀକ୍ଷା କରି ସଫଳତା ସାଉଁଟିଲେ। ନିଜେ ସ୍ବାବଲମ୍ବୀ ହେବା ସହ ନିଜର ଦୁଇ ପୁଅଙ୍କ ପାଠପଢ଼ା ଓ ଦେଢ଼ଶହ ମହିଳାଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଥିଲେ। ୨୦୦୪ରେ ପ୍ରଥମେ ଏକ ଘରୋଇ ସଂସ୍ଥାରୁ ଓ ପରେ ଓରମାସ୍ରୁ ତାଲିମ ନେଇଥିଲେ କେନ୍ଦୁପଲ୍ଲୀ ପଞ୍ଚାୟତର ତରୁଲତା। ତାଙ୍କ ସହିତ ଅନେକ ମହିଳା ବି ତାଲିମ ନେଇ କାମ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସମନ୍ବୟ ଅଭାବରୁ ଏହି ପଟ୍ଟଚିତ୍ର କାର୍ଯ୍ୟ ଆଗେଇ ପାରିନଥିଲା। ପରେ ତରୁଲତା ଏକ ଘରୋଇ ଆର୍ଟ କଲେଜରୁ ପଟ୍ଟଚିତ୍ର କାମର ତାଲିମ ନେଇ କିଛି ମହିଳାଙ୍କୁ ଏକାଠି କରି କାମ ଆରମ୍ଭ କଲେ। ୪୦ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂସ୍ଥାରେ ଏବେ ଦେଢ଼ଶହ ମହିଳା ଯୋଡ଼ି ହେବା ସହ ପ୍ରତି ଡିଜାଇନ୍ରେ ସ୍ବତନ୍ତ୍ର ଛାପ ଦେଇ ତାକୁ ଆକର୍ଷଣୀୟ କରୁଛନ୍ତି। ଶାଢ଼ିରେ ପଟ୍ଟଚିତ୍ର ଡିଜାଇନ୍ କରାଗଲେ ୨ ହଜାରରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ ଓଢ଼ଣୀକୁ ଡିଜାଇନ ଅନୁସାରେ ୩ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ସେହିଭଳି ବ୍ଲାଉଜ୍ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ, ତକିଆ ଖୋଳ ୨ଶହ/ ୩ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଗ୍ରାହକମାନେ ଶାଢି, କପଡ଼ା ଦେଲେ ସେମାନଙ୍କ ପସନ୍ଦର ଡିଜାଇନ୍ ଆଙ୍କି ଦେଇଥାନ୍ତି।
ପଟ୍ଟଚିତ୍ରରେ ସେମାନେ ପାରମ୍ପରିକ ରଙ୍ଗ ବ୍ୟବହାର କରୁଛନ୍ତି। ତୋଷାଳୀ, ବାଲିଯାତ୍ରା ଭଳି ବିଭିନ୍ନ ମହୋତ୍ସବରେ ସେମାନେ ଷ୍ଟଲ୍ ଦେଉଛନ୍ତି। ତରୁଲତାଙ୍କ ପାଖରେ ଏବେ ୨୦ରୁ ୩୦ଜଣ ପିଲା ନିୟମିତ କାମ କରୁଛନ୍ତି। ତାଙ୍କଠାରୁ କାମ ଶିଖି ଅନେକ ମହିଳା ଘରେ କାମ କରିବା ସହିତ ତରୁଲତାଙ୍କୁ ଶାଢ଼ି, ପୋଷାକ ଆଦି ଯୋଗାଉଛନ୍ତି। ସମସ୍ତଙ୍କୁ ଦରମା, ପ୍ରାପ୍ୟ ଦେବା ପରେ ମାସକୁ ଏହି ପଟ୍ଟଚିତ୍ର କାମରୁ ତରୁଲତା ଏବେ ୩୦ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି। ଆଗକୁ ଅନ୍ଲାଇନ୍ରେ ସାମଗ୍ରୀ ବିକ୍ରି କରିବାକୁ ଯୋଜନା ରଖିଛନ୍ତି ତରୁଲତା। ଓରମାସ୍ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ରାଉତ କହିଛନ୍ତି ଯେ ଦିନଥିଲା ପଟ୍ଟଚିତ୍ର ଗାଁ କହିଲେ ରଘୁରାଜପୁରକୁ ବୁଝାଉଥିଲା। ଏବେ କିନ୍ତୁ ସୂଚନା, ପ୍ରଯୁକ୍ତି, କାରିଗରୀ କୌଶଳ ବଳରେ ଚାହିଦାର ବିକେନ୍ଦ୍ରୀକରଣ ହୋଇଛି। ବାଙ୍କୀର ଗାଁଗୁଡିକ ଏବେ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧି ଆଣିଛି। ଏହା ଦ୍ବାରା ମହିଳାଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିଛି।