ପାଉଡ଼ିଭୂୟାଁଙ୍କ ବିକାଶ ଚିନ୍ତା ଏମିତି…: ଘୋଷଣାରେ ରହିଗଲା ପିବିଡିଏ

କାର୍ଯ୍ୟାଳୟ ନାହିଁ କି କର୍ମଚାରୀ ନାହାନ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପାଉଡ଼ିଭୂୟାଁଙ୍କ ବିକାଶ ପାଇଁ ପାଉଡ଼ିଭୂୟାଁ ଡେଭଲପମେଣ୍ଟ ଏଜେନ୍ସି (ପିବି‌ଡିଏ) ପ୍ରତିଷ୍ଠା ହେବ ବୋଲି ସରକାର ଘୋଷଣା କରିଥିଲେ। ଇତିମଧ୍ୟରେ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ପିବିଡିଏର କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇପାରିଲା ନାହିଁ। କାର୍ଯ୍ୟାଳୟ ଓ କର୍ମଚାରୀ ନଥିବାରୁ ପାଉଡ଼ିଭୂୟାଁଙ୍କ ବିକାଶ ପାଇଁ ଯେଉଁସବୁ କାର୍ଯ୍ୟ ଆରମ୍ଭ ହେବା କଥା ତାହା ‌ହୋଇପାରୁ ନାହିଁ।

୨୦୨୦ ଜୁନ୍‌ ୪ ତାରିଖରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତାବ ନମ୍ବର-୭୭୪୭ ଅନୁସାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ଥିବା ୧୩୦ଟି ଗ୍ରାମକୁ ନେଇ ପାଉଡ଼ିଭୂୟାଁ ଡେଭଲପମେଣ୍ଟ ‌ଏଜେନ୍ସି (ପିବିଡିଏ) ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଥିଲା। ପିବିଡିଏର ମୁଖ୍ୟ କାର୍ଯ୍ୟାଳୟ ବାଂଶପାଳରେ ରହିବ। ଏହି ଗ୍ରାମ ଗୁଡ଼ିକର ପ୍ରାୟ ୮ ହଜାର ପରିବାର ପିବିଡିଏରେ ସାମିଲ ହେବେ। ପିବିଡିଏ ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବ। ଏହି ନିଷ୍ପତ୍ତି ଅନୁସାରେ ପିବିଡିଏ ପାଇଁ ଏକ କମିଟି ମଧ୍ୟ ଗଠନ ହେବ। ଯାହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ। ସେହିପରି ପିଏ ଆଇଟିଡିଏ କିମ୍ବା ପିଡି ଡିଆର୍‌ଡିଏ ଏହାର ଉପାଧ୍ୟକ୍ଷ ରହିବେ। ସାଂସଦ, ବିଧାୟକ, ତହସିଲଦାର, ବ୍ଲକ୍‌ ଅଧ୍ୟକ୍ଷ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ଡିଏଫ୍‌ଓ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର, ଜିଲ୍ଲା ଶିକ୍ଷା ଅଧିକାରୀ, ସରପଞ୍ଚ, ପାଉଡ଼ିଭୂୟାଁ ଜନଜାତିରୁ ଜଣେ ସଦସ୍ୟ ଏବଂ ଜଣେ ସ୍ବତନ୍ତ୍ର ଅଧିକାରୀ ପିବିଡିଏର କାର୍ଯ୍ୟକାରୀ କମିଟି ସଦସ୍ୟ ରହିବେ ବୋଲି ସ୍ଥିର ହୋଇଥିଲା।

utkaltoday.com

ଘୋଷଣାକୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ପିବିଡିଏ ପାଇଁ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇପାରିଲା ନାହିଁ। ଯଦିଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇଛି ବୋଲି କୁହାଯାଉଛି ମାତ୍ର ଏହା କେବଳ ଧର୍ମକୁ ଆଖିଠାର ପରି। ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ହେବା ପରେ ତୁରନ୍ତ କାର୍ଯ୍ୟାଳୟ ଖୋଲାଯାଇ କାମ ଆରମ୍ଭ ହୋଇଥିଲା। ଆଇଟିଡିଏ କ୍ୟାମ୍ପସ ପରିସ‌ରରେ ଏହାର କାର୍ଯ୍ୟାଳୟ ଖୋଲା ଯାଇଥିଲା। ପିବିଡିଏ କାର୍ଯ୍ୟାଳୟ କୌଣସି ଏକ ସରକାରୀ କୋଠାରେ
ଆରମ୍ଭ କରି କାମ କରାଯାଇ ପାରିଥାନ୍ତା। ମାତ୍ର ତାହା ହେଲାନାହିଁ। ପିବିଡିଏ ପାଇଁ ଏଯାଏ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। କର୍ମଚାରୀ ନିଯୁକ୍ତି ହୋଇଥିଲେ ପିବିଡିଏ କାର୍ଯ୍ୟାଳୟ ନିର୍ମାଣଠାରୁ ଆରମ୍ଭ କରି ପାଉଡ଼ିଭୂୟାଁଙ୍କ ପରିବାର ସର୍ଭେ ପର୍ଯ୍ୟନ୍ତ ଅନେକ କାମ ହୋଇପାରିଥାନ୍ତା। କର୍ମଚାରୀ ନଥିବାରୁ ଏ ସମ୍ପର୍କିତ ସମସ୍ତ କାମ ଜିଲ୍ଲା ମଙ୍ଗଳ ଅଧିକାରୀ ତୁଲାଉଛନ୍ତି।

ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶଙ୍କୁ ପଚାରିବାରୁ, ପିବିଡିଏ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଛି। ବାଂଶପାଳ ବ୍ଲକ୍‌ ମୁଖ୍ୟାଳୟରେ ପିବିଡିଏ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ। ସେହିପରି ଗଭର୍ଣ୍ଣିଂ ବଡି ମଧ୍ୟ ଗଠନ ହୋଇସାରିଥିବା ଶ୍ରୀ ଦାଶ କହିଛନ୍ତି। ତେବେ ଏନେଇ ପୂର୍ବତନ ବିଧାୟକ ତଥା ପିବିଡିଏ ଗଠନ ପାଇଁ ବାରମ୍ବାର ବିଧାନସଭାରେ ସ୍ବର ଉଠାଇଥିବା ସୁବର୍ଣ୍ଣ ନାଏକ କହିଛନ୍ତି, ଦୀର୍ଘଦିନର ଚେଷ୍ଟା ପରେ ସରକାର ପିବିଡିଏ ପ୍ରତିଷ୍ଠା ପାଇଁ ଘୋଷଣା କଲେ। କିନ୍ତୁ ଯେଭଳି ଭାବରେ କାମ ଆଗେଇବା କଥା ତାହା ହେଉନାହିଁ। ଆଜି ପର୍ଯ୍ୟନ୍ତ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇପାରିଲା ନାହିଁ। ଯାହା ଅତ୍ୟନ୍ତ ଦୁଃଖର ବିଷୟ। ସେ ଆହୁରି ମଧ୍ୟ କହିଛନ୍ତି, ପିବିଡିଏ ପ୍ରତିଷ୍ଠା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ଏହି ଜନଜାତିକୁ ଆଦିମ ଜନଜାତି ପିଜିଟି ଶ୍ରେଣୀଭୁକ୍ତ କରିବାପାଇଁ ପ୍ରଥମେ ୨୦୧୧ ଅଗଷ୍ଟ ୨୦ ତାରିଖରେ ବିଧାନସଭାରେ ପ୍ରଶ୍ନ କରି ଦାବି ଜଣାଇଥିଲି। ପରେ ପୁଣି ୨୦୧୨ ମାର୍ଚ୍ଚ ୩୧ରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲି। ଏହାପରେ ୨୦୧୨ ସେପ୍ଟମ୍ବର ୧, ୨୦୧୩ ଫେବ୍ରୁଆରି ୨୩, ମାର୍ଚ୍ଚ ୧୬, ୨୩, ଅଗ‌ଷ୍ଟ ୨୧ ଏବଂ ଡିସେମ୍ବର ୪ରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲି। ଏହାପରେ ପିବିଡିଏ ଘୋଷଣା ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି। ପିବିଡିଏ କାର୍ଯ୍ୟାଳୟ ଶୀଘ୍ର ପ୍ରତିଷ୍ଠା ହେଲେ କେନ୍ଦୁଝର ଜିଲ୍ଲାରେ ଅବହେଳାର ଶିକାର ହେଉଥିବା ପାଉଡ଼ିଭୂୟାଁ ସଂପ୍ରଦାୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର