ପ୍ରତିଷ୍ଠା ହେବ ପାଉଡ଼ି ଭୂୟାଁ ଡେଭଲପମେଣ୍ଟ ଏଜେନ୍ସି : ସାମିଲ ହେବ ୧୩୦ ଗାଁ, ବାଂଶପାଳ ବ୍ଲକରେ ରହିବ ମୁଖ୍ୟ କାର୍ଯ୍ୟାଳୟ

କେନ୍ଦୁଝର : ବର୍ଷ ବର୍ଷ ଧରି ଅବହେଳିତ ତଥା ବିକାଶଠୁ ଦୂରରେ ରହିଥିବା‌ କେନ୍ଦୁଝର ଜିଲ୍ଲାର ଆଦିମ ଜନଜାତି ପାଉଡ଼ି ଭୂୟାଁଙ୍କର ବିକାଶ ହେବ। ବିଳମ୍ବରେ ହେଲେ ବି ଏହି ଆଦିମ ଜନଜାତିଙ୍କ ବିକାଶ ପାଇଁ ପାଉଡ଼ି ଭୂୟାଁ ଡେଭଲପମେଣ୍ଟ ଏଜେନ୍ସି(ପିବିଡିଏ) ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେବା ପରେ ଏଭଳି ଆଶା ସଞ୍ଚାର ହୋଇଛି।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ଗତ ୪ ତାରିଖରେ ସଙ୍କଳ୍ପନାମା ନଂ-୭୭୪୭ ଅନୁସାରେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ଥିବା ୧୩୦ଟି ଗ୍ରାମକୁ ନେଇ ପାଉଡ଼ି ଭୂୟାଁ ଡେଭଲପମେଣ୍ଟ ‌ଏଜେନ୍ସି(ପିବିଡିଏ) ପ୍ରତିଷ୍ଠା ହେବ। ପିବିଡିଏର ମୁଖ୍ୟ କାର୍ଯ୍ୟାଳୟ ବାଂଶପାଳରେ ରହିବ। ବାଂଶପାଳ ବ୍ଲକର ୨୧ଟି ପଞ୍ଚାୟତ ଅଧୀନରେ ଥିବା ଏହି ସବୁ ଗାଁକୁ ଏଥିରେ ସାମିଲ କରାଯିବ।

Pulitzer Center

ବାଂଶପାଳ ପଞ୍ଚାୟତର ୭ଟି ଗାଁ, ବାରାଗଡ଼ ପଞ୍ଚାୟତର ୨ଟି ଗାଁ, ବାୟାକୁମୁଟିଆ ପଞ୍ଚାୟତର ୮ଟି ଗାଁ, ଫୁଲଝର ପଞ୍ଚାୟତର ୭ଟି ଗାଁ, ଗୋନାସିକା ପଞ୍ଚାୟତର ୫ଟି ଗାଁ, ଯାତ୍ରା ପଞ୍ଚାୟତର ୬ଟି ଗାଁ, ତଳ କାଦକଳା ପଞ୍ଚାୟତର ୪ଟି ଗାଁ, କଲଣ୍ଡା ପଞ୍ଚାୟତର ୫ଟି ଗାଁ, କରଙ୍ଗାଡିହି ପଞ୍ଚାୟତର ୯ଟି ଗାଁ, କୋଡ଼ିପଶା ପଞ୍ଚାୟତର ଗୋଟିଏ ଗାଁକୁ ଏଥିରେ ସାମିଲ କରାଯାଇଛି। ସେହିପରି କୁଆଁର ପଞ୍ଚାୟତର ୩ଟି ଗାଁ, କୁମୁଣ୍ଡି ପଞ୍ଚାୟତର ୫ଟି ଗାଁ, ନୟାକୋଟ ପଞ୍ଚାୟତର ୬ଟି ଗାଁ, ସାହରପୁର ପଞ୍ଚାୟତର ୭ଟି ଗାଁ, ସିଂପୁର ପଞ୍ଚାୟତର ୯ଟି ଗାଁ, ଶୁଆକାଟି ପଞ୍ଚାୟତର ୭ଟି ଗାଁ, ତଳଚମ୍ପେଇ ପଞ୍ଚାୟତର ୬ଟି ଗାଁ, ତଳକଇଁସାରି ପଞ୍ଚାୟତର ୭ଟି ଗାଁ, ଟଣ ପଞ୍ଚାୟତର ୮ଟି ଗାଁ, ତରମାକାନ୍ତ ପଞ୍ଚାୟତର ୮ଟି ଗାଁ ଓ ଉପର ରାଇଗୋଡ଼ାର ୧୦ଟି ଗାଁକୁ ଏହି ପାଉଡ଼ି ଭୂୟାଁ ଡେଭଲପମେଣ୍ଟ ଏଜେନ୍ସି(ପିବିଡିଏ)ରେ ସାମିଲ କରାଯାଇଛି। ଏହି ୧୩୦ ଗାଁ ମଧ୍ୟରୁ ୮ଟି ଗାଁରେ ଜୁଆଙ୍ଗ ଜନଜାତି ରହୁଥିବାରୁ ପୂର୍ବରୁ ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି (ଜେଡିଏ)ରେ ସାମିଲ କରାଯାଇଥିଲା। ହାତୀଶିଳା, ବାୟାକୁମୁଟିଆ, ବାୟାପଣ୍ଡାଧର, ଗୋନାସିକା, ଉପର ରାଇଡିହା, ଜନ୍ତାରୀ, ଦୁଆରଶୁଣି, ତାଳପଦା ଗାଁ ପୂର୍ବରୁ ଜେଡିଏରେ ସାମିଲ ଥିଲେ ବି ବର୍ତ୍ତମାନ ଏହି ଗାଁକୁ ପିବିଡିଏରେ ସାମିଲ କରାଯାଇଛି। ମାତ୍ର ଜେଡିଏ ଏଠାରେ ଜୁଆଙ୍ଗ ଜନଜାତିର ବିକାଶ ଦିଗରେ କାର୍ଯ୍ୟ କରିବ ଏବଂ ପିବିଡିଏ ଏଠାରେ ପାଉଡି ଭୂୟାଁ ଜନଜାତିର ବିକାଶ ଦିଗରେ କାର୍ଯ୍ୟ କରିବ ବୋ‌ଲି ସ୍ଥିର ହୋଇଛି। ପିବିଡିଏର କାର୍ଯ୍ୟକାରୀ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଥିବା ବେଳେ ପିଏ ଆଇଟିଡିଏ କିମ୍ବା ପିଡି ଡିଆର୍‌ଡିଏ ଏହାର ଉପାଧ୍ୟକ୍ଷ ରହିବେ। ସ୍ଥାନୀୟ ସାଂସଦ, ବିଧାୟକ, ତହସିଲଦାର, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ଡିଏଫ୍‌ଓ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର, ଜିଲ୍ଲା ଶିକ୍ଷାଧିକାରୀ, ପଞ୍ଚାୟତର ସରପଞ୍ଚ, ପାଉଡ଼ି ଭୂୟାଁ ଜନଜାତିରୁ ଜଣେ ସଦସ୍ୟ ଓ ଜଣେ ସ୍ବତନ୍ତ୍ର ଅଧିକାରୀ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର