ହାତ ମୁଠାରେ ତଥ୍ୟ, ଲେଖା ପାଇବାର ସୁଯୋଗ ଦେଇଛି ଡିଜିଟାଇଜେସନ୍
‘ପୌରୁଷ’ର ପ୍ରଥମ ୨୫ ବର୍ଷର ସବୁ ସଂଖ୍ୟା ଏବେ ସିଡିରେ
ଭୁବନେଶ୍ବର : ଗୋଟିଏ ଜାତିର ଇତିହାସକୁ, ଇତିହାସରେ ଥିବା ତଥ୍ୟରାଶିକୁ ସୁରକ୍ଷିତ କରିବାକୁ ଏବେ ବହୁ ଉଦ୍ୟମ କରାଯାଉଛି। ଅତୀତେର ପ୍ରକାଶିତ ପୁସ୍ତକଗୁଡ଼ିକୁ କିମ୍ବା ସାହିତ୍ୟକୁ ସୁରକ୍ଷିତ ଭାବେ ସାଇତି ରଖିବାର କୌଣସି ଉପାୟ ନ ଥିଲା। ବର୍ତ୍ତମାନ ସମୟରେ ଡିଜିଟାଇେଜସନ୍ ପାଠକ ଓ ଲେଖକଙ୍କୁ ନିଜ ହାତ ମୁଠାରେ ସମସ୍ତ ତଥ୍ୟ ଓ ଲେଖା ପାଇବାର ସୁଯୋଗ ଦେଇଛି ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।
ମାସିକ ପତ୍ରିକା ‘ପୌରୁଷ’ର ୫୦ ବର୍ଷ ପୂର୍ତ୍ତି ଅବସରରେ ‘ସୃଜନିକା’ ପକ୍ଷରୁ ଏହାର ପ୍ରଥମ ୨୫ ବର୍ଷ (୧୯୬୭ରୁ ୧୯୯୨ ମସିହା) ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ଡିଜିଟାଇଜେସନ୍ କରି ଏକ ସିଡି ପ୍ରସ୍ତୁତ କରାଯାଇଛି। ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାକୁ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଡିଜିଟାଇଜେସନ୍ ପ୍ରକ୍ରିୟାରେ ମାଧ୍ୟମରେ ଆମକୁ ଯଥେଷ୍ଟ ଅଧିକ ନିର୍ଭରଯୋଗ୍ୟ ସୁଯୋଗ ମିଳିଛି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ସରକାରୀସ୍ତରରେ ଏହି ପ୍ରୟାସକୁ ତ୍ବରାନ୍ବିତ କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ଯୋଗ ଦେଇ ‘ସୃଜନିକା’ର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇବା ସହ ସାହିତ୍ୟ ସହ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ସାହିତ୍ୟକୁ ବିଶ୍ବବ୍ୟାପୀ କରିପାରିବ ବୋଲି କହିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଏଥିରେ ଉପସ୍ଥିତ ରହି ପୌରୁଷର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ।
ସୃଜନିକାର ୱେବସାଇଟ୍ odiabibhaba.inରେ ‘ପୌରୁଷ’ର ପ୍ରଥମ ୨୫ ବର୍ଷର ୩୦୦ଟି ସଂଖ୍ୟା ଉପଲବ୍ଧ ହେଉଛି। ଏହି ୱେବ୍ସାଇଟ୍ରେ ପୌରୁଷ ସୂଚୀ ମଧ୍ୟରେ ଥିବା ପ୍ରକାଶନ ସୂଚୀେର ପତ୍ରିକାଟି ସଂଖ୍ୟାକ୍ରମ ଅନୁସାରେ ଉପଲବ୍ଧ ହେବା ସହ ଲେଖକକ୍ରମ ସୂଚୀରେ ‘ପୌରୁଷ’ରେ ଲେଖିଥିବା ଲେଖକମାନଙ୍କ ସମସ୍ତ ଲେଖା ଉପଲବ୍ଧ ହେଉଛି। ପୁଣି aamaodisha.org.inରେ ମଧ୍ୟ ଏସବୁ ସଂଖ୍ୟା ଉପଲବ୍ଧ ହେଉଛି। ସୃଜନିକାର ସଂଯୋଜକ ଡ. ନିଖିଳ ମୋହନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏସବୁ କାର୍ଯ୍ୟ ସମ୍ପାଦିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ସୃଜନିକାର ସଂପାଦିକା ପୁଷ୍ପଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସଭାରେ କଥାକାର ଗୌରହରି ଦାସ, ସ୍ତମ୍ଭକାର ରଣଜିତ ଗୁରୁ, ବରିଷ୍ଠ ସାହିତ୍ୟିକ ଦାଶ ବେନହୁର ଓ ‘ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।