ଭୁବନେଶ୍ବର: ବର୍ଷ ପରେ ବର୍ଷ ବିତୁଛି। ଗୋଟିଏ ସରକାର ଯାଇ ଆଉ ଗୋଟିଏ ସରକାର କ୍ଷମତାକୁ ଆସୁଛି। ବିକାଶର ନାରା ଦେଇ ରାଜନୈତିକ ଦଳ ଭୋଟ ମାଗୁଛନ୍ତି। ତାହା ସତ୍ତ୍ବେ ୨୪୧୫ ଲୋକ ବାସ କରୁଥିବା ଗଜପତି ଜିଲ୍ଲାର ପୁଡୁଏଲ୍ ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ସାତସପନ ପାଲଟିଛି। ନିର୍ବାଚନ ସମୟରେ ରାଜନେତାମାନେ ଭୋଟ ହାତେଇବାକୁ ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ଆଜି ପର୍ଯ୍ୟପ୍ତ ଗାଁକୁ ପକ୍କା ରାସ୍ତା ହୋଇ ପାରିନାହିଁ। ପିଏମ୍-ଜନମନ ଯୋଜନାରେ ସେରାଙ୍ଗ-ପୁଡୁଏଲ୍କୁ ରାସ୍ତା ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେବେ ସରିବ ତାହାର ଉତ୍ତର କାହା ପାଖରେ ଉତ୍ତର ନାହିଁ। କେବଳ ଗଜପତି ଜିଲ୍ଲାର ପୁଡୁଏଲ୍ ନୁହେଁ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଈପାହାଡ଼କୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଛୁଇଁ ପାରିନାହିଁ। ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ସରକାର ଏହି ଗାଁକୁ ଦଖଲ କରିବାକୁ ଲୋକଙ୍କୁ ଯୋଜନା ପରେ ଯୋଜନା ଯୋଗାଇ ଦେଉଥିବା ବେଳେ ଅନ୍ୟପଟେ ଓଡ଼ିଶା ସରକାରଙ୍କ ମୌଳିକ ସୁବିଧା ଏଠାରେ ପହଞ୍ଚିପାରିନି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମଇନାପଦର ଗ୍ରାମବାସୀ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଦେଖିନାହାନ୍ତି।
ଏମିତି ତାଲିକା ବହୁତ ଲମ୍ବା। ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ବିକାଶଠାରୁ ବହୁ ଦୂରରେ ରାଜ୍ୟର ହଜାର ହଜାର ଗାଁ। କେବଳ ଉପାନ୍ତ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ଏତିକି ଅନେକ ଗାଁ ରହିଛି ଯେଉଁଠିକୁ ପକ୍କା ରାସ୍ତା ଖଣ୍ଡେ ହୋଇପାରି ନାହିଁ। ସୀମାନ୍ତ ଜିଲ୍ଲାଗୁଡ଼ିକ ଅବସ୍ଥା ନ କହିବା ଭଲ। ସୀମା ଟଣାଓଟରା ମଧ୍ୟରେ ଗ୍ରାମବାସୀ ପକ୍କା ରାସ୍ତା ଦେଖିପାରୁ ନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ପିଏମ୍-ଜନମନ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସତ, ମାତ୍ର ଯୋଜନା ଗୋଟିଏ ବାଟରେ ଥିବା ବେଳେ ବାସ୍ତବତା ଆଉ ଗୋଟିଏ। ପରିଣାମ ସ୍ବରୂପ ପକ୍କା ରାସ୍ତା ନ ଥିବାରୁ ଗର୍ଭବତୀକୁ ଖଟିଆରେ ବୁହାଯାଉଥିବାର ଚିତ୍ର କେତେବେଳେ ସାମ୍ନାକୁ ଆସୁଛି ତ ଆଉ କେତେବେଳେ ପିଡିଏସ୍ ଚାଉଳ ପାଇଁ ଗ୍ରାମବାସୀଙ୍କୁ ୫ କିମି ଚାଲିବାକୁ ପଡ଼ୁଛି। ଗମନାଗମନ ସୁବିଧା ନ ଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ।
ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସ୍ଥିତି ଗମ୍ଭୀର
ରାସ୍ତା ନ ଥିବାରୁ ପହଞ୍ଚିପାରୁନି ମୌଳିକ ସେବା
ଏହାରି ଭିତରେ ରାଜ୍ୟ ସରକାରଙ୍କ ତଥ୍ୟ ଆହୁରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୮୩୦୦ ଗାଁକୁ ସବୁଦିନିଆ ପକ୍କା ରାସ୍ତା ନାହିଁ। ଓଡ଼ିଶାରେ ମୋଟ ୫୯,୯୭୧ ଗାଁ ରହିଛି। ସେଥିମଧ୍ୟରୁ ୫୧,୬୭୧ଟି ଗାଁକୁ ସବୁଦିନିଆ ରାସ୍ତା ସଂଯୋଗ ହୋଇଛି। ବାକିଗୁଡ଼ିକ ଏଥିରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୦୦-୨୦୦୧ ଆର୍ଥିକ ବର୍ଷର ନେଟୱାର୍କ ହିସାବରେ ଏବେ ସୁଦ୍ଧା ୧୬,୯୯୧ଟି ଯୋଗ୍ୟ ବିବେଚିତ ଅସଂଯୋଜିତ ଗାଁକୁ ପକ୍କା ରାସ୍ତା ଦ୍ବାରା ସଂଯୋଗ ହୋଇଛି। ବାକି ୧୦ଟି ଗାଁର ସଂଯୋଗୀକରଣ କାର୍ଯ୍ୟ ଚାଲିଛି। ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଝିରିପଡ଼ା ଓ ବୁରୁତଳା, କୋରାପୁଟ ଜିଲ୍ଲାର ଅନଳାଗୁଡ଼ା ଓ ଲାଉମଳା, ମାଲକାନଗିରି ଜିଲ୍ଲାର ଦାଣ୍ଡିପଦାର, ଯନ୍ତ୍ରୀ, ଡାବୁଗୁଡ଼ା, ନୟାଗଡ଼ ଜିଲ୍ଲାର ଢିପାମାଳା, ନୂଆପଡ଼ା ଜିଲ୍ଲାର ବିକ୍ରମପୁର ଓ କୋଡାଳଡୁଙ୍ଗୁରି ଗାଁକୁ ରାସ୍ତା ସଂଯୋଗୀକରଣ ହେଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଏଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
୨୦୨୩-୨୪ ଆର୍ଥିକ ବର୍ଷରେ ପିଏମ୍-ଜନମନ ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶାର ୪୭ଟି ପିଭିଟିଜି ବାସସ୍ଥାନକୁ ରାସ୍ତା ସଂଯୋଗ କରିବାକୁ ମଞ୍ଜୁରି ମିଳିଛି। ସେଥିମଧ୍ୟରୁ ୪ଟି ଗ୍ରାମର ସଂଯୋଗୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବାକି ୪୩ଟି ଗାଁ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁଛି। ଗଜପତି ଜିଲ୍ଲାର ପୁଠୁଏଲ୍ ସମେତ ପୁସ୍ତାପୁର, ଦେବଗଡ଼ ଜିଲ୍ଲାର ବାଲିଢ଼ିହି, ଗଜପତି ଜିଲ୍ଲାର କିଙ୍ଗଡାଙ୍ଗକୁ ରାସ୍ତା କାମ ଚାଲିଛି। ରାୟଗଡ଼ା ଜିଲ୍ଲାର ୧୪ଟି ଗାଁ ସମେତ ଦେବଗଡ଼ ଜିଲ୍ଲାର ୩, ଗଜପତି ଜିଲ୍ଲାର ୬, ଗଞ୍ଜାମ ଜିଲ୍ଲାର ୬, କନ୍ଧମାଳ ଜିଲ୍ଲାର ୪, ମାଲକାନଗିରିର ଗୋଟିଏ, ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ଗ୍ରାମକୁ ଏହି ଯୋଜନାରେ ରାସ୍ତା ସଂଯୋଗ ପାଇଁ ଟେଣ୍ଡର ଡକାଯାଇଛି। ଅନୁରୂପ ଭାବେ ୨୦୧୪-୧୫ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏପର୍ଯ୍ୟନ୍ତ ସଂଯୋଗୀକରଣ ନିମନ୍ତେ ମଞ୍ଜୁର ହୋଇଥିବା ୧୨୨୬ ଅସଂଯୋଜିତ ଗ୍ରାମ ମଧ୍ୟରୁ ଏବେ ସୁଦ୍ଧା ୧୨୨୩ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ସଂଯୋଗ ହୋଇଛି। ବାକି ୩ଟି ଗ୍ରାମକୁ ରାସ୍ତା ସଂଯୋଗୀକରଣ ଚାଲିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସେହି ଗ୍ରାମଗୁଡ଼ିକୁ ରାସ୍ତା ସଂଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।