ବିଧାୟକ ପ୍ରଦୀପଙ୍କ ଜେଲ୍‌ରୁ ମୁକୁଳିବା ବାଟ ଖୋଲିଲା

ଗୋଳନ୍ଥରା ଥାନା ମାମଲାରେ ହାଇକୋର୍ଟରୁ ଜାମିନ୍
୨୦୨୦, ଡିସେମ୍ବର ୩ରୁ ଅଛନ୍ତି ଜେଲ୍‌ରେ
ଜାମିନ ପାଇଁ ୬ ମାମଲାରେ ଦାଖଲ କରିବେ ୬୯ ଲକ୍ଷ

କଟକ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜେଲରୁ ମୁକୁଳିବା ବାଟ ପରିଷ୍କାର ହୋଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ରୁଜୁ ଏକ ମାମଲାରେ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ୨ ଲକ୍ଷ ଟଙ୍କା ଜମା କରିବେ। ଅର୍ଥ ନିମ୍ନ ଅଦାଲତରେ ଜମା କରାଯିବା ପରେ ମାମଲାରେ ଏତଲାକାରୀଙ୍କୁ ଏହା ପ୍ରଦାନ କରାଯିବ। ଯଦି ମାମଲାର ଟ୍ରାଏଲ ସ‌ମୟରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ୍ ବିଫଳ ହୁଏ ତେବେ ରାୟ ପ୍ରକାଶର ଏକ ସପ୍ତାହ ଭିତରେ ଏତଲାକାରୀ ଏହି ଅର୍ଥ ନିମ୍ନ ଅଦାଲତରେ ଜମା କରିବେ। ଏପରି କ୍ଷେତ୍ରରେ ଏହି ଟଙ୍କା ଶ୍ରୀ ପାଣିଗ୍ରାହୀଙ୍କୁ ଫେରାଇ ଦିଆଯିବ। ଏଥିସହିତ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ ଶ୍ରୀ ପାଣିଗ୍ରାହୀ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ସହିତ ଅନ୍ୟ କେତେକ ସର୍ତ୍ତପୂରଣ ପରେ ଶ୍ରୀ ପାଣିଗ୍ରାହୀଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାମିନରେ ଛାଡ଼ ପାଇବା ଲାଗି ୬ଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ମୋଟ୍ ୬୯ ଲକ୍ଷ ୪୫ ହଜାର ଟଙ୍କା ନିମ୍ନ ଅଦାଲତରେ ଜମା କରିବାକୁ ପଡ଼ିବ। କ୍ରାଇମବ୍ରାଞ୍ଚ ମାମଲାରେ ୪୭ ଲକ୍ଷ ୪୫ ହଜାର, ବୈଦ୍ୟନାଥପୁର ଥାନା ମାମଲାରେ ୬ ଲକ୍ଷ ଟଙ୍କା, ଗୋଳନ୍ଥରା ଥାନାରେ ଥିବା ୪ଟି ମାମଲାରେ ଯଥାକ୍ରମେ ୬ ଲକ୍ଷ, ୫, ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ ଟଙ୍କା ଜମା କରିବାକୁ ଶ୍ରୀ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ରହିଛି।

ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର