ଅମର୍ଦ୍ଦା ବିମାନବନ୍ଦର ପାଇଁ ବାଟ ଫିଟିଲା

ପୁନଃନିର୍ମାଣ ପାଇଁ କେନ୍ଦ୍ରର ଅନୁମୋଦନ, ପ୍ରତିରକ୍ଷା ବିଭାଗକୁ ରାଜ୍ୟ ଦେବ ୨୬.୩ କୋଟି ଟଙ୍କା

ବାରିପଦା: ମୟୂରଭଞ୍ଜବାସୀଙ୍କର ବହୁଦିନର ଆଶା ପୂରଣ ହେବାକୁ ଯାଉଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରାସଗୋବିନ୍ଦପୁର ବ୍ଲକ୍‌ର ଐତିହାସିକ ଅମର୍ଦ୍ଦା ବିମାନଘାଟିର ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି।

ଏଠାରେ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ୧୬୦.୩୫ ଏକର ଜମିକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ପ୍ରତିରକ୍ଷା ବିଭାଗକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପୈଠ କରିବେ ରାଜ୍ୟ ସରକାର। ଏଥିସହ ଉକ୍ତ ଜମିର ଉପଯୋଗ ପାଇଁ ‘ସ୍ୱତନ୍ତ୍ର ବୋର୍ଡ ଅଫ୍‌ ଅଫିସର୍ସ’ ଗଠନ କରାଯିବ। ଏହି ବୋର୍ଡର ସଦସ୍ୟମାନେ ଜମିର ବାସ୍ତବ ସ୍ଥିତି, ସୀମା ନିର୍ଦ୍ଧାରଣ ଓ ନିୟମ ଅନୁଯାୟୀ ହସ୍ତାନ୍ତର କାର୍ଯ୍ୟ କରିବେ। ଜମି ଅଧିଗ୍ରହଣ ବେଳେ ସେଠାରେ ଥିବା ସରକାରୀ, ବେସରକାରୀ ନିର୍ମାଣକୁ ହଟାଇବାକୁ ଆଇନଗତ ପଦକ୍ଷେପ ନିଆଯିବ। ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ଡିଆର୍‌ଡିଓ ଓ ଡାଇରେକ୍ଟର ଜେନେରାଲ, ଡିଫେନ୍ସ ଇଷ୍ଟେଟ୍‌କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଡିଆର୍‌ଡିଓ ଓ ରାଜ୍ୟ ସରକାର କେତେ ପରିମାଣର ଜମି ଉପଯୋଗ କରିବେ, ସେ ବିଷୟରେ ମଧ୍ୟ ବୋର୍ଡ ଫଇସଲା କରିବ। ଏହି କାର୍ଯ୍ୟ ସଂପନ୍ନ ହେବାପରେ ବିମାନଘାଟିର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ‌ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିସହ ଜିଲ୍ଲାର ବହୁ ସଂଗଠନ ମଧ୍ୟ ଏ ନେଇ ଆନ୍ଦୋଳନ କରିଥିଲେ। ବିମାନବନ୍ଦର ପାଇଁ ପ୍ରତିରକ୍ଷା ବିଭାଗ ଜମି ହସ୍ତାନ୍ତର କରିବାକୁ ସବୁଜ ସଙ୍କେତ ଦେବା ପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ। ଏହି ବିମାନଘାଟି ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ସହ ବେସାମରିକ ଉଡ଼ାଣ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର