ପୱନ କୁମାର ଅଗ୍ରୱାଲ ଓୟୁଏଟି କୁଳପତି

ଭୁବନେଶ୍ବର : ଭାରତ କୃଷି ଗବେଷଣା କେନ୍ଦ୍ରର ଅତିରିକ୍ତ ମହାନିେର୍ଦଶକ ତଥା ନିର୍ଦ୍ଦେଶକ ଡ. ପୱନ କୁମାର ଅଗ୍ରୱାଲଙ୍କୁ ଆଜି ଓୟୁଏଟିର କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଣୀ ଲାଲ ନିଯୁକ୍ତି ଦେଇଛନ୍ତି।

କୁଳପତି ଭାବେ କାର୍ଯ୍ୟରେ ଯୋଗଦେବାର ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ଆଗାମୀ ନିର୍ଦ୍ଦେଶନାମା ପାଇବା ପର୍ଯ୍ୟନ୍ତ ଡ. ଅଗ୍ରୱାଲଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଅପରପକ୍ଷେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଚାଲିଥିବା ମାମଲା ଡବ୍ଲ୍ୟୁପି(ସି) ନଂ ୮୦୦୮ର ୨୦୧୯ (ଡ. ବିମଳ ପ୍ରସନ୍ନ ମହାନ୍ତି ଭର୍ସେସ୍ ଓଡ଼ିଶା ସରକାର, କୁଳାଧିପତି, ଓୟୁଏଟି ଏବଂ ସର୍ଚ୍ଚ କମିଟି) ଏବେ ବିଚାରାଧୀନ ଥିବାରୁ ଏହାର ରାୟ ଉପ‌େର ଏହି ନିଯୁକ୍ତି ନିର୍ଦ୍ଦେଶନାମା ବଦଳିବ କି ନାହିଁ ତାହା ନିର୍ଭର କରୁଛି ବୋଲି କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ନାମରେ ତାଙ୍କ ପଦବିର ଅପବ୍ୟବହାର କରିବା ନେଇ ଅଭିଯୋଗ ଆସିବା ପରେ କୁଳାଧିପତି ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୃଷି ସଚିବଙ୍କୁ ଓୟୁଏଟି କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେ ନୂଆ ଦାୟିତ୍ବ ନେଇନଥିଲେ। ଅପରପକ୍ଷେ ପ୍ରଫେସର ପଶୁପାଳକ ତୁରନ୍ତ ଛୁଟିରେ ନଯାଇ ମାର୍ଚ୍ଚ ୧୯ରେ କୁଳପତି ପଦବି ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ। ଏହାପରେ କୁଳାଧିପତି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଓୟୁଏଟି କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର