ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ଜୋର୍ଦାର ହୋଇଛି। କିଛି ସ୍ଥାନରେ ରାସ୍ତାରୋକ ହୋଇ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ସାରର ଅଭାବ ନାହିଁ ବୋଲି ସରକାର କହୁଥିଲେ ବି ତଳ ସ୍ତରରେ ଚିତ୍ର ଭିନ୍ନ ରହିଛି। ସାର ବଣ୍ଟନରେ ସମସ୍ୟାର ଏକ ବଡ଼ କାରଣ ହେଉଛି ଗୋଦାମ ଓ ବୈଧ ଲାଇସେନ୍ସ ଅଭାବ। ଏହା ଜଣାପଡ଼ିବା ପରେ ବିଭାଗ କଠୋର ଆଭିମୁଖ୍ୟ ନେଇଛି। ଆଜି ସମବାୟ ନିବନ୍ଧକ ସବୁ ଡିଭିଜନ୍ର ସମବାୟ ଉପନିବନ୍ଧକ(ଡିଆର୍ଏସ୍)ମାନଙ୍କୁ ଚିଠି ଲେଖି ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି, ପ୍ୟାକ୍ସଗୁଡ଼ିକ ନିଜ ପ୍ରାଥମିକ ବ୍ୟବସାୟିକ କାର୍ଯ୍ୟ ଭାବେ ସାର ବଣ୍ଟନ ଉପରେ ଫୋକସ୍ କରିବେ। ସମସ୍ତ ପ୍ୟାକ୍ସ ନିଜର ସାର ଲାଇସେନ୍ସର ନବୀକରଣ କରିବେ। ୫୦% ସାର କେବଳ ପ୍ୟାକ୍ସ ଜରିଆରେ ଦିଆଯିବ। ଯେଉଁ ପ୍ୟାକ୍ସମାନେ ସାର ବଣ୍ଟନରେ ସାମିଲ ନ ହେବେ, ସେମାନେ ଧାନ କିଣିପାରିବ ନାହିଁ।
ରାଜ୍ୟରେ ସାର ବଣ୍ଟନକୁ ନେଇ ଗତ ୨ତାରିଖରେ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ନିଷ୍ପତ୍ତିଗୁଡ଼ିକୁ ସମବାୟ ନିବନ୍ଧକ ନିଜ ଚିଠିରେ ଦର୍ଶାଇଛନ୍ତି। ନିଷ୍ପତ୍ତି ମୁତାବକ, ପ୍ୟାକ୍ସଗୁଡ଼ିକ ପ୍ରତିବର୍ଷ ଏପ୍ରିଲ ମାସରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବେ। ଏବେ କ୍ଷେତ୍ରସ୍ତରରେ ଥିବା ସମସ୍ୟା ଓ ସାର ବଣ୍ଟନ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବା ଉପରେ ଗୁରୁତ୍ବ ଦିଆଯାଇଛି। ଖରାପ ହୋଇପଡ଼ିଥିବା ପିଓଏସ୍ ମେସିନଗୁଡ଼ିକୁ ଚଳିତ ସପ୍ତାହ ଭିତରେ ହିଁ ବଦଳାଯିବ। କ୍ଷେତ୍ରସ୍ତରରେ ଥିବା କର୍ମଚାରୀଙ୍କ ସହ ସମନ୍ୱୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ପ୍ୟାକ୍ସ ଆଉ ମାର୍କଫେଡ୍ରୁ ଷ୍ଟକ୍ କ୍ଲିୟର ହେଉ ନଥିବାରୁ ସାର କମ୍ପାନି ସାର ପଠାଇପାରୁ ନାହାନ୍ତି। ୫ରୁ ୧୦ ଦିନ ଭିତରେ ବିଭିନ୍ନ ଜିଲ୍ଲାରେ ଥିବା ଅଭାବ ପୂରଣ କରାଯିବ। ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ଠିକ୍ ସମୟରେ ସାର ଯୋଗାଣ ପାଇଁ କମ୍ପାନିଗୁଡ଼ିକ ସହ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି। ତେବେ ଆସନ୍ତାବର୍ଷ ସାର ବଣ୍ଟନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି।