ଭୁବନେଶ୍ବର : ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ଯେତିକି ଅର୍ଥ ମିଳିଥାନ୍ତା, ତାହାକୁ ବିଚାରକୁ ନେଲେ ପଞ୍ଚଦଶ ଅର୍ଥ କମିସନ ୨୦୨୦-୨୧ ପାଇଁ ଯେଉଁ ସୁପାରିସ କରିଛନ୍ତି ସେଥିରେ ରାଜ୍ୟମାନଙ୍କୁ ଯଥେଷ୍ଟ କମ୍ ଅର୍ଥ ମିଳିବ। ସାମ୍ନାକୁ ଆସିଥିବା ପଞ୍ଚଦଶ ଅର୍ଥ କମିସନଙ୍କ ଅନ୍ତରୀଣ ରିପୋର୍ଟରୁ ଆଜି ଏଭଳି ସାଂଘାତିକ ସଙ୍କେତ ମିଳୁଛି। ଯଦିଓ କିଛି କ୍ଷେତ୍ରରେ ସ୍ବତନ୍ତ୍ର ଅନୁଦାନ ସଂପର୍କରେ କମିସନ ଠାରିଛନ୍ତି, ତଥାପି ରାଜ୍ୟ ସରକାର ଯେଉଁ କିଛି କ୍ଷେତ୍ରରୁ ଆଶ୍ବସ୍ତି ଆଶା କରିଥିଲେ, ତାହା ସ୍ବପ୍ନରେ ରହିଯାଇଛି।
କେନ୍ଦ୍ରୀୟ ଟିକସରୁ ୫୦ଭାଗ ଅର୍ଥ ରାଜ୍ୟମାନଙ୍କୁ ପ୍ରଦାନ ଲାଗି ଏନ୍.କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ କମିସନଙ୍କ ନିକଟରେ ଦାବି ରଖିଥିଲା ଓଡ଼ିଶା। କମିସନ ତାଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ପରବର୍ତୀ ସମୟରେ ଦାଖଲ କରିବେ। ହେଲେ ଆଜି ବଜେଟ ଉପସ୍ଥାପନ ବେଳେ ସଂସଦ ସାମ୍ନାକୁ ଆସିଥିବା ରିପୋର୍ଟରେ ଅନୁଦାନ ପରିମାଣ ବଢିବା ବଦଳରେ କମିଛି। କମିସନଙ୍କ ଏହି ରିପୋର୍ଟରେ କେବଳ ଏହି ବର୍ଷକ ପାଇଁ ସୁପାରିସ କରାଯାଇଛି।
ଚତୁର୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨% ରାଜ୍ୟମାନଙ୍କୁ ପ୍ରଦାନ କରିବା ଲାଗି ସୁପାରିସ କରିଥିବା ବେଳେ ପଞ୍ଚଦଶ ଅର୍ଥ କମିସନ ଏହାକୁ ୪୧%କୁ କମାଇ ଦେଇଛନ୍ତି। ଜଣାଇଛନ୍ତି ଯେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ଭଳି ରାଜ୍ୟ ଗଠନ ହୋଇଛି। ସେମାନଙ୍କ ପାଇଁ ୧% ଅର୍ଥ ଆବଣ୍ଟନ ହେବ। କୌତୂହଳର କଥା ହେଲା, ଏହି ରାଶି ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ ବେଳେ ବିହାର ଭଳି ରାଜ୍ୟ ମାଲାମାଲ ହେବେ। ଆଉ ଓଡ଼ିଶା ଆର୍ଥିକ କ୍ଷତି ସହିବ। କାରଣ ପଞ୍ଚଦଶ କମିସନ ଅର୍ଥ ଆବଣ୍ଟନ ଲାଗି ଯେଉଁ ନିୟମ କରିଛନ୍ତି, ତାହା ବିହାର ଭଳି ରାଜ୍ୟ ସପକ୍ଷରେ ଯାଉଛି। ଏଣୁ ରାଜ୍ୟମାନଙ୍କୁ ଆବଣ୍ଟିତ ରାଶିର ୧୦.୦୬% ବିହାର ପାଇବ, ଯେତେବେଳେ କି ଓଡ଼ିଶା ପୂର୍ବାପେକ୍ଷା କମ୍ ଅର୍ଥାତ୍ ୪.୬୨୯% ହାରରେ ଅର୍ଥ ପାଇବ। ଚତୁର୍ଦଶ ଅର୍ଥ କମିସନଙ୍କ ସମୟରେ ଏହି ରାଶିର ପରିମାଣ ୪.୬୪% ଥିଲା। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ, ଆୟ ସ୍ଥିତି, ଜନସଂଖ୍ୟା ଭିତ୍ତିକ ପ୍ରଦର୍ଶନ ଓ ଟିକସ ଆଦି କ୍ଷେତ୍ରକୁ ବିଚାରକୁ ନେଇ ଅର୍ଥ ଆୟୋଗ ଏହି ହାର ନିର୍ଧାରଣ କରିଛନ୍ତି।
୨୦୨୦-୨୧ ପାଇଁ ସୁପାରିସ କରିଛନ୍ତି
କେନ୍ଦ୍ରୀୟ ଟିକସରୁ ରାଜ୍ୟ ଭାଗ ୪୧%
ଓଡ଼ିଶାକୁ ୪.୬୨%, ପୂର୍ବାପେକ୍ଷା କମିଲା
ଲାଭରେ ରହିବେ ବିହାର ଭଳି ରାଜ୍ୟ
ଏହାବ୍ୟତୀତ ରାଜସ୍ବ ନିଅଣ୍ଟ ଅନୁଦାନ ବାବଦରେ ୭୪ ହଜାର ୩୪୦ କୋଟି, ବିପର୍ଯ୍ୟୟ ମୁକାବିଲା ବାବଦରେ ୨୨ ହଜାର ୧୮୪ କୋଟି, ସ୍ବାୟତ୍ତ ସଂସ୍ଥା ଭାଗ ୯୦ ହଜାର କୋଟି, ସ୍ବତନ୍ତ୍ର ଅନୁଦାନ ୬୭୬୪ କୋଟି ଟଙ୍କା ଓ ବିଭିନ୍ନ େକ୍ଷତ୍ରୀୟ ଅନୁଦାନ ରାଶିର ପରିମାଣ ୭୭୩୫ େକାଟି ଟଙ୍କା ଧାର୍ଯ୍ୟ ହୋଇଛି।
୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଓଡ଼ିଶା ଲାଗି ଯେଉଁ ଚିତ୍ର କମିସନ ଆଙ୍କିଛନ୍ତି, ସେଥିରୁ ସୂଚନା ମିଳୁଛି ଯେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ପରିମାଣ ୫ଲକ୍ଷ ୮୬ ହଜାର ୬୪୭ କୋଟି ଛୁଇଁବ। େଯଉଁଥିରେ ରାଜ୍ୟର ନିଜସ୍ବ ଆୟ ୫୫ ହଜାର ୯୭୧ କୋଟି ଟଙ୍କା ଛୁଇଁଥିବ। ଏଥିରୁ ନିଜସ୍ବ ଟିକସର ପରିମାଣ ୪୪ ହଜାର ୬୮୬ କୋଟି ଟଙ୍କା, ଅଣ ଟିକସ କ୍ଷେତ୍ରରୁ ୧୧ହଜାର ୨୮୬ େକାଟି ମିଳିପାରେ। ୧୦.୭ ପ୍ରତିଶତ ହାରରେ ଓଡ଼ିଶା ବିକାଶ ଆଗେଇବ।
ଏହାକୁ ବିଚାରକୁ ନେଇ କମିସନ ଓଡ଼ିଶାକୁ ରାଜସ୍ବ ବଳକା ରାଜ୍ୟ ଭାବେ ଚିହ୍ନଟ କରିଛନ୍ତି। ପରିଣାମରେ ରାଜସ୍ବ ନିଅଣ୍ଟ ବାବଦ ଅନୁଦାନରୁ ରାଜ୍ୟ ବଞ୍ଚିତ େହାଇଛି। ୧୪ଟି ରାଜ୍ୟ ପାଇଁ ଆୟୋଗ ଏ କ୍ଷେତ୍ରରେ ପାଖାପାଖି ୭୪ ହଜାର ୪୩୦ େକାଟି ଟଙ୍କା ସୁପାରିସ କରିଛନ୍ତି। ସେହିଭଳି କମିସନଙ୍କ ସ୍ବତନ୍ତ୍ର ଅନୁଦାନ ତାଲିକାରେ ମଧ୍ୟ ଓଡ଼ିଶା ନାହିଁ। ଅଥଚ ତେଲେଙ୍ଗାନା, ମିଜୋରାମ ଓ କର୍ଣ୍ଣାଟକ ଭଳି ରାଜ୍ୟ ସ୍ଥାନ ପାଇଛନ୍ତି। ଆର୍ଥିକ ସୁପରିଚାଳନା କାରଣରୁ ଓଡ଼ିଶା ଭଳି ରାଜ୍ୟ ଯେଉଁମାନଙ୍କୁ ସ୍ବତନ୍ତ୍ର ପୁରସ୍କାର ରାଶି ଦିଆଯାଉଥିଲା, ଏଥର ସେ ଅନୁଦାନ ବ୍ୟବସ୍ଥା ନାହିଁ।
ପଞ୍ଚଦଶ ଅର୍ଥ କମିସନ ପୋଷଣ େକ୍ଷତ୍ରରେ ସ୍ବତନ୍ତ୍ର ଅନୁଦାନ ଦେବା ଲାଗି ଆଗ୍ରହ ଦେଖାଇଛନ୍ତି। କହିଛନ୍ତି ଯେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଜାରି ରହିବା ସତ୍ତ୍ବେ ଭୋକିଲା ସୂଚକାଙ୍କରେ ଭାରତ ୨୦୧୯ରେ ୧୦୨ତମ ସ୍ଥାନକୁ ଅର୍ଥାତ୍ ତଳକୁ ଖସିଛି। ୨୦୧୫ରେ ୯୩ତମ ସ୍ଥାନରେ ଥିଲା। ଏ ବାବଦରେ ଅତିରିକ୍ତ ଭାବେ ଓଡ଼ିଶା ୪୧୮ କୋଟି ଟଙ୍କା ପାଇବ। ଦୁଇଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯିବ। ପ୍ରଥମ କିସ୍ତି ମେ’ରେ ଓ ଏହାର ବିନିଯୋଗ ପରେ ଦ୍ବିତୀୟ କିସ୍ତି ଅର୍ଥ ମିଳିବ।
୨୦୨୦-୨୧ ବର୍ଷପାଇଁ ସ୍ବାୟତ୍ତ ସଂସ୍ଥା ପାଇଁ ୯୦ ହଜାର କୋଟି ଟଙ୍କା ଅର୍ଥ ରାଶି ସୁପାରିସ ହୋଇଛି। ଏହା ଲୋକସଂଖ୍ୟା ଓ ଆୟତନ (୯୦:୧୦) ହାରରେ ଆବଣ୍ଟିତ ହେବ। ଯେତିକି ଅର୍ଥ ରାଜ୍ୟକୁ ମିଳିବ, ସେଥିରୁ ପଞ୍ଚାୟତିରାଜ ଅନୁଷ୍ଠାନକୁ ୬୭.୫% ଓ ପୌରସଂସ୍ଥାକୁ ୩୨.୫% ହାରରେ ଅର୍ଥ ଦିଆଯିବ। ଏହାକୁ ବିଚାର କଲେ ସମୁଦାୟ ଅର୍ଥରୁ ପଞ୍ଚାୟତିରାଜ ଅନୁଷ୍ଠାନକୁ ୬୦ହଜାର ୭୫୦ େକାଟି ଟଙ୍କା ଓ ବଳକା ୨୯ ହଜାର ୨୫୦ କୋଟି ଟଙ୍କା ପୌରାଞ୍ଚଳ ଓ ମହାନଗର ନିଗମ ପାଇବେ।
ଲୋକସଂଖ୍ୟା ଓ ଆୟତନକୁ ବିଚାରକୁ ନେଲେ ଓଡ଼ିଶା ୩.୭୨% ହାରରେ ଏ କ୍ଷେତ୍ରରେ ଅର୍ଥ ପାଇବ। ଏବର୍ଷ ପଞ୍ଚାୟତିରାଜ ଅନୁଷ୍ଠାନକୁ ପଞ୍ଚଦଶ ଅର୍ଥ କମିସନଙ୍କ ସୂତ୍ରରୁ ୨୨୫୮ କୋଟି ଟଙ୍କା ଓ ପୌର ସଂସ୍ଥାକୁ ୧୦୮୭ କୋଟି ଟଙ୍କା ମିଳିବ। ଚତୁର୍ଦଶ ଅର୍ଥ କମିସନ କେବଳ ପଞ୍ଚାୟତକୁ ଫୋକସ କରିଥିବା ବେଳେ ପଞ୍ଚଦଶ ଅର୍ଥ କମିସନ କିନ୍ତୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ପଞ୍ଚାୟତକୁ ଅର୍ଥ ଆବଣ୍ଟନ କଥା କହିଛନ୍ତି। ସେହିଭଳି ସମୁଦାୟ ସୁପାରିସ ଅର୍ଥ ରାଶି ପୂର୍ବରୁ ଅନାବଦ୍ଧ ପାଣ୍ଠି ଭାବେ ବିବେଚିତ ହୋଇଥିଲା। ପଞ୍ଚଦଶ ଅର୍ଥ କମିସନ କିନ୍ତୁ ୫୦ ପ୍ରତିଶତ ଅର୍ଥ ରାଶି ଅନାବଦ୍ଧ ପାଣ୍ଠି ବୋଲି ସୂଚାଇଥିବା ବେଳେ ବଳକା ୫୦ ପ୍ରତିଶତ ପରିମଳ, ପାନୀୟ ଜଳ ଯୋଗାଣ, ମଳମୁକ୍ତ ଅଞ୍ଚଳ ଆଦି ପାଇଁ ଖର୍ଚ୍ଚ କରିବେ ବୋଲି ସର୍ତ ରଖିଛନ୍ତି। ପୌରସଂସ୍ଥା କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଅର୍ଥ ଆବଣ୍ଟନ ହେବ।
dastaktimes.orgକମିସନ ୧୦ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ନଗର ଅର୍ଥାତ୍ ମିଲିୟନ୍ ପ୍ଲସ୍ ସିଟି ପାଇଁ ସ୍ବତନ୍ତ୍ର ଅନୁଦାନ କଥା କହିଛନ୍ତି। ହେଲେ ଓଡ଼ିଶାରେ ଏଭଳି ସହର ନଥିବା କାରଣରୁ ରାଜ୍ୟ ଏ ବାବଦ ସ୍ବତନ୍ତ୍ର ଅନୁଦାନ ପାଇବ ନାହିଁ।
ବିପର୍ଯ୍ୟୟ ପରିଚାଳନା େକ୍ଷତ୍ରରେ ଚତୁର୍ଦଶ ଅର୍ଥ କମିସନ ୭୫-୨୫ ହାରରେ ଅର୍ଥ ଆବଣ୍ଟନ ପାଇଁ ସୁପାରିସ କରିଥିଲେ। ହେଲେ ବର୍ଷେ ପରେ କେନ୍ଦ୍ର ସରକାର ୯୦:୧୦ ହାରରେ ଅର୍ଥ ବାଣ୍ଟିଥିଲେ। ପଞ୍ଚଦଶ ଅର୍ଥ କମିସନ କହିଛନ୍ତି ଯେ ଜିଏସଟି କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ଏହା ପୂର୍ବବତ ୯୦: ୧୦ ହାରରେ ଦିଆଯିବ। ୨୦୨୦-୨୧ ବର୍ଷରେ ବିପର୍ଯ୍ୟୟ ମୁକାବିଲା ତଥା ପରିଚାଳନା ପାଇଁ ମୋଟ ୨୧୩୯ େକାଟି ଟଙ୍କା ମିଳିବ, ଯେଉଁଥିରେ କେନ୍ଦ୍ରର ଅଂଶଧନ ୧୬୦୪ କୋଟି ଓ ରାଜ୍ୟ ଅଂଶଧନ ୫୩୫ କୋଟି ରହିବ। ଅଗ୍ନିଶମ ବ୍ୟବସ୍ଥାର ଉନ୍ନତୀକରଣ, ମରୁଡି ପ୍ରବଣ ରାଜ୍ୟ ଆଦି ବାବଦରେ କିଛି ଅର୍ଥ ମିଳିବ।
କମିସନ ସ୍ବାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜରେ ରୂପାନ୍ତରିତ କରିବାକୁ ଜୋର ଦେଇଛନ୍ତି। ଚୂଡାନ୍ତ ରିପୋର୍ଟରେ ଏ ବାବଦରେ ଅର୍ଥ ବରାଦ ହେବ। ପୁଲିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଗୃହ ନିର୍ମାଣ ପାଇଁ କମିସନ ଅର୍ଥ ଦେବେ ବୋଲି ସୂଚାଇଛନ୍ତି, ହେଲେ ଏହାର ପରିମାଣ ଚୂଡାନ୍ତ ରିପୋର୍ଟରେ ସାମ୍ନାକୁ ଆସିବ। ରେଳବାଇ ବିକାଶ କ୍ଷେତ୍ରରେ ମଧ୍ୟ କିଛି ଅର୍ଥ ପ୍ରଦାନ କରିବା ଲାଗି କମିସନ କହିଛନ୍ତି।
କମିସନ ଆହୁରି ସୂଚାଇଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ମରାମତି ପାଇଁ ଅର୍ଥର ଆବଶ୍ୟକତା ରହିଛି। େଯଉଁ ସବୁ ରାସ୍ତାର ପାଞ୍ଚବର୍ଷିଆ ଚୁକ୍ତି ଅବଧି ଶେଷ ହୋଇଛି, ସେ କ୍ଷେତ୍ରରେ ଅର୍ଥ ଆବଣ୍ଟନ ହେବା ଉଚିତ୍। ଏହାକୁ ମଧ୍ୟ ଚୂଡାନ୍ତ ରିପୋର୍ଟ ବେଳେ କମିସନ ଧ୍ୟାନ ଦେବେ। ଶିକ୍ଷା, ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ, ଓକିଲମାନଙ୍କ ପ୍ରକୋଷ୍ଠ, ସୂଚନା କେନ୍ଦ୍ର ଆଦି ନିର୍ମାଣ ଉପରେ କମିସନ ଗୁରୁତ୍ବ ଦେବା ସହିତ ଏ ବାବଦରେ ପରବର୍ତୀ ସମୟରେ ଅର୍ଥ ଆବଣ୍ଟନ ହେବ ବୋଲି ଆଶା ଦେଖାଇଛନ୍ତି। ସେହିଭଳି କୃଷି କ୍ଷେତ୍ରରେ ସଂସ୍କାର ଆଣିଥିବା ରାଜ୍ୟ, ଆକାଂକ୍ଷୀ ଜିଲ୍ଲା,ବିଦ୍ୟୁତ କ୍ଷେତ୍ରରେ ସଂସ୍କାର, ଶିକ୍ଷା ଓ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ଅନୁଦାନ ମିଳିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/finance-commission.jpg)