ଟ୍ୟୁଟର, ସିନିୟର୍‌ ଓ ଜୁନିୟର ରେସିଡେଣ୍ଟ୍‌ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି

ଚୁକ୍ତିଭିତ୍ତିକ ଟ୍ୟୁଟର୍‌ ପାଇବେ ୭୫ହଜାର, ପିଜି କରି ନ ଥିବା ଟ୍ୟୁଟର୍‌ଙ୍କୁ ୬୫ହଜାର ଟଙ୍କା

ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜମାନଙ୍କରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଟ୍ୟୁଟର୍‌, ସିନିୟର ଓ ଜୁନିୟର ରେସିଡେଣ୍ଟ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଏହି ସଂଶୋଧନ ଅନୁଯାୟୀ ଏଣିକି ପିଜି କରିଥିବା ଚୁକ୍ତିଭିତ୍ତିକ ଟ୍ୟୁଟର୍‌ମାନେ ମାସିକ ୬୫ହଜାର ଟଙ୍କା ପାରିଶ୍ରମିକ ସହିତ ୧୦ହଜାର ଟଙ୍କା ପ୍ରୋତ୍ସାହନକୁ ମିଶାଇ ୭୫ହଜାର ଟଙ୍କା ପାଇବେ। ସେହିପରି ପିଜି କରି ନ ଥିବା ଟ୍ୟୁଟର୍‌ମାନେ ମାସିକ ୬୫ହଜାର ଟଙ୍କା ପାରିଶ୍ରମିକ ସହିତ ୫ହଜାର ଟଙ୍କାର ପ୍ରୋତ୍ସାହନକୁ ମିଶାଇ ମୋଟ ୭୦ହଜାର ଟଙ୍କା, ସିନିୟର ରେସିଡେଣ୍ଟମାନେ ମାସିକ ୬୫ହଜାର ଟଙ୍କା ଓ ଜୁନିୟର ରେସିଡେଣ୍ଟ ଡାକ୍ତରମାନଙ୍କୁ ମାସିକ ୫୫ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ନିୟମିତ ଚାକିରିରେ ଥାଇ ଯେଉଁ ଡାକ୍ତରମାନେ ପିଜି କରିବା ସହିତ ଟ୍ୟୁଟର୍‌ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମାସିକ ୨୦ହଜାର ଟଙ୍କା, ପିଜି କରି ନ ଥିଲେ ୧୫ହଜାର ଓ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ୧୦ ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସଂଶୋଧିତ ପାରିଶ୍ରମିକ ଅଧିସୂଚନା ପ୍ରକାଶ ପାଇବା ଦିନଠାରୁ ଲାଗୁ ହେବ। ଏ ନେଇ ବିଭାଗ ପକ୍ଷରୁ ଖୁବଶୀଘ୍ର ଅଧିସୂଚନା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଉଲ୍ଲେଖ ଯେ, ଏବେ ଟ୍ୟୁଟର, ସିନିୟର ରେସିଡେଣ୍ଟ ଡାକ୍ତରମାନେ ମାସିକ ୫୦ହଜାର ଓ ଜୁନିୟର ରେସିଡେଣ୍ଟମାନଙ୍କୁ ୩୫ହଜାର ଟଙ୍କାର ପାରିଶ୍ରମିକ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର