ପୁରୀ : ରଥଯାତ୍ରା ଉପଲକ୍ଷେ ପୁରୀ ସହରରେ ନାଳ ସଫେଇକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ମୌସୁମୀ ବର୍ଷା ଓ ଭକ୍ତଙ୍କ ଆଗମନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସହରରେ ଥିବା ସବୁ ଗଳିକନ୍ଦିର ନାଳନର୍ଦ୍ଦମା ସଫେଇ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଜୋରସୋରରେ ଉଦ୍ୟମ ଚଳାଇଛି। କିନ୍ତୁ ଏଥିରେ ଅନେକ ପ୍ରତିବନ୍ଧକ ସାଜିଛନ୍ତି। ଅନେକ ସ୍ଥାନରେ ଅଳିଆ ଆବର୍ଜନା ପକାଇ ରାସ୍ତା ଅବରୋଧ କରିବା ସହ ନାଳନର୍ଦ୍ଦମାକୁ ଜବରଦଖଲରେ ରଖି ଏହାର ଗତିପଥ ଅବରୋଧ କରିଛନ୍ତି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ତଥା ପୌରସଂସ୍ଥା କଡ଼ା ଆଭିମୁଖ୍ୟ ପ୍ରତିପୋଷଣ କରିଛି। ରାସ୍ତାରେ ଅଳିଆ ପକାଇବା କାରଣରୁ ଆଜି ୩ ଜଣଙ୍କୁ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ତିନି ଜଣ ହେଲେ ଘୋଡ଼ାବଜାରର ପ୍ରମୋଦ କୁମାର ତ୍ରିପାଠୀ, ଭିଆଇପି ରୋଡ୍ର ଦୁର୍ଗାପ୍ରସାଦ ମହାପାତ୍ର ଓ ରୟାଲ୍ ଏନ୍ଫିଲ୍ଡ ସୋ’ରୁମ୍ର ସତ୍ୟପ୍ରକାଶ ପଣ୍ଡା। ପ୍ରମୋଦଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଦୁର୍ଗାପ୍ରସାଦ ଓ ସତ୍ୟପ୍ରକାଶଙ୍କୁ ୨୫ ହଜାର ଟଙ୍କା ଲେଖା ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ପୌରପାଳିକାର ୩ ନଂବର ୱାର୍ଡ଼ ଅନ୍ତର୍ଗତ ଡାକ୍ତରଖାନା ଛକରେ ଥିବା ବିଶାଲ ମେଗାମାର୍ଟକୁ ପୌର ସଂସ୍ଥା ୨୫ ହଜାର ଟଙ୍କା ଜରିମାନା କରିଥିଲା। ସେହିଭଳି ପ୍ରମୋଦ ହୋଟେଲକୁ ୩୫ ହଜାର ଓ ଜିଲ୍ଲା ସ୍କୁଲ ନିକଟ ଏକ ରାସ୍ତାପାର୍ଶ୍ବ ହୋଟେଲକୁ ୧୦ ହଜାର ଟଙ୍କା ଜରିମାନା କରିଥିଲା। ଏହାଛଡ଼ା ନାଳ ମଧ୍ୟକୁ ଗୁହାଳ ଆବର୍ଜନା ଛାଡ଼ିବା ଅଭିଯୋଗରେ ଗଜେନ୍ଦ୍ର ଦାସ ନାମକ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଓ ବାବୁଲା ବେହେରାଙ୍କୁ ୫ ଶହ ଟଙ୍କା ଜରିମାନା କରାଯାଇଛି। ନାଳ ଅବରୋଧ ପାଇଁ ଭିଆଇପି ରୋଡ୍ରେ ଥିବା ରୟାଲ୍ ଏନ୍ଫିଲ୍ଡ ସୋ’ରୁମ୍ ରୁମ ଓ ଅନ୍ୟ ଦୁଇ କୋଠା ଘରକୁ ମଧ୍ୟ ନୋଟିସ ଜାରି କରିଛି ପୌରପାଳିକା। ଅନ୍ୟପଟେ ଆଜି ସିଟି ରୋଡ୍, ଭିଆଇପି ରୋଡ୍, ଗୋରାକବର ଲେନ୍ ଆଦି ସ୍ଥାନରେ ନାଳରୁ ଅଳିଆ ଆବର୍ଜନା ସଫା କରାଯାଇଛି।
ରଥଯାତ୍ରା ପାଇଁ ନାଳ ସଫେଇ : ଅଳିଆ ପକାଇବାରୁ ୬୦ ହଜାର ଜରିମାନା
/sambad/media/post_attachments/wp-content/uploads/2019/06/Drain-Cleaning-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)