ଦୁଇ ହାତ ଗୋଡ଼ ହରାଇଥିବା ପାୟଲକୁ ମିଳିଲା ହ୍ବିଲ୍‌ ଚେଆର୍‌

ମୁରିବାହାଲ : ବାପା ମା’ଙ୍କ ସହ ଦାଦନ ଯାଇ ବିଦ୍ୟୁତ ଆଘାତରେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିବା ମୁରିବାହାଲ ବ୍ଲକ ବାନ୍ଦୁପଲା ପଂଚାୟତ ଯମୁନାବାହାଲ ଗାଁର ପାୟଲ ନାଗଙ୍କୁ ସୋମବାର ମୁରିବାହାଲ ବ୍ଲକ ପ୍ରଶାସନ ତରଫରୁ ଏକ ହ୍ବିଲ ଚେଆର ଦିଆଯାଇଛି। ରବିବାର ଏ ସମ୍ପର୍କରେ ‘ସମ୍ବାଦ’ରେ ‘ଦାଦନ ପାୟଲକୁ ଭୁଲିଯାଇଛି ପ୍ରଶାସନ, ମିଳୁନି ହ୍ବିଲ ଚେଆର, କୃତ୍ରିମ ଗୋଡ଼ ଅଚଳ’ ଶୀର୍ଷକ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ସମାଜସେବୀ ଦୀପକ ରଞ୍ଜନ ବାଗ ଏ ସମ୍ପର୍କରେ ଟିଟିଲାଗଡ଼ ଏସଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ମୁରିବାହାଲ ବିଡିଓ ଶିପକ ପାତ୍ରଙ୍କ ନିର୍ଦେଶରେ ଏସ୍‌ଇଓ ଗୁଣନିଧି ପାଇକ ଓ ପିଏ ରାଜକିଶୋର ସିଂ ବାବୁ ପାୟଲଙ୍କ ଘରକୁ ଯାଇ ତାଙ୍କୁ ହ୍ବିଲ ଚେଆର ପ୍ରଦାନ କରିଥିଲେ। ପାୟଲଙ୍କ ଅଧିକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତାଙ୍କ ମା’ ଜନତା ନାଗ ଦାବି କରିଛନ୍ତି। ସେହିପରି ପାୟଲଙ୍କ ପାଠପଢ଼ା ପାଇଁ ଉଦ୍ଦିଷ୍ଟ ବାଣୀଶ୍ରୀ ଠାରୁ ଅନ୍ୟାନ୍ୟ ଭତ୍ତା ମିଳୁ ନ ଥିବା ବେଳେ ତାଙ୍କୁ ସ୍କୁଲକୁ ନେବା ଆଣିବା କରୁଥିବା ତାଙ୍କ ମା’ଙ୍କୁ ମଧ୍ୟ କୌଣସି ସହାୟତା ଏ ପର୍ଯ୍ୟନ୍ତ ମିଳି ନାହିଁ। ତୁରନ୍ତ ପାୟଲଙ୍କ ପରିବାରକୁ ଅନ୍ୟ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ଅଧିକ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର