ସୁବର୍ଣ୍ଣପୁର ଜିଲ୍ଲାରେ ଖେଳପଡ଼ିଆ ପ୍ରତି ଦୃଷ୍ଟି ନାହିଁ : ଖେଳପଡ଼ିଆର ଅଭାବ ଯୋଗୁଁ କ୍ରୀଡ଼ାର ବିକାଶ ନେଇ ପ୍ରଶ୍ନବାଚୀ

୮୬ ପ୍ରତିଶତ ବିଦ୍ୟାଳୟରେ ନାହିଁ ଖେଳ ପଡ଼ିଆ, ଅସ୍ଥିତ୍ୱ ହରାଇବାକୁ ବସିଲାଣି ସୋନପୁର ସଦର ମହାକୁମାରେ ଥିବା ବିଭିନ୍ନ ଖେଳ ପଡ଼ିଆ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଖେଳପଡ଼ିଆର ଅଭାବ ଯୋଗୁଁ କ୍ରୀଡ଼ାର ବିକାଶ ହୋଇ ପାରୁ ନାହିଁ। ବିଦ୍ୟାଳୟ ସ୍ତରରେ ଜିଲ୍ଲାରେ ୮୬ ପ୍ରତିଶତ ବିଦ୍ୟାଳୟରେ ନାହିଁ ଖେଳ ପଡ଼ିଆ ଫଳରେ ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ାର ବିକାଶ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୋଦ ସୋନପୁର ସଦର ମହାକୁମାରେ ଥିବା ବିଭିନ୍ନ ଖେଳ ପଡ଼ିଆ ମଧ୍ୟ ଅସ୍ଥିତ୍ବ ହରାଇବାକୁ ବସିଲାଣି। ସୋନପୁର ସହରରେ ଗାନ୍ଧୀ ପଡ଼ିଆ, ରୟାଲ ପଡ଼ିଆ, ଲୁଲୁ ପଡ଼ିଆ ରହିଥିଲା। ଗାନ୍ଧୀ ପଡ଼ିଆରେ ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଭିଳି ଅନ୍ୟାନ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି ପ୍ରତିଯୋଗିତା ଯୋଗୁଁ ଏହି ପଡ଼ିଆର ଅବସ୍ଥା କିଛି ବଞ୍ଚିଛି ନଚେତ ଏହାର ଅବସ୍ଥା ଆହୁରି ଶୋଚନୀୟ ହୋଇ ସାରନ୍ତାଣି। ଏହି ପଡ଼ିଆର ସୁରକ୍ଷା ପାଇଁ ଗୋଟିଏ ପାର୍ଶ୍ବରେ ‌ଗ୍ୟାଲେରି ନିର୍ମାଣ ଏବ‌େ ସରିଛି। କିନ୍ତୁ ପଡ଼ିଆକୁ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପାଚେରି ନାହିଁ। ଏଥିପାଇଁ ଏହି ପଡ଼ିଆ ଦେଇ ସାଧାରଣ ଲୋକଙ୍କ ଯିବା ଆସିବା ଲାଗି ରହିଛି। ପଡ଼ିଆର ଅଧିକାଂଶ ସ୍ଥାନରେ ଘାସ ଉପୁଡ଼ି ପଡ଼ିଥିବାରୁ ବାଲି ଦେଖା ଯାଉଛି। ଏଭଳି ଏକ ପଡ଼ିଆର ସୁରକ୍ଷା ପାଇଁ ଏଠାରେ ପାଚେରି ନିର୍ମାଣ ସହିତ ଘାସରୋପଣ ମଧ୍ୟ ଜରୁରି ଅଟେ।

ସେହିପରି ସ୍ପିନିଂ ମିଲ୍‌ ନିକଟରେ ଥିବା ରୟାଲ ପଡ଼ିଆର ଅବସ୍ଥା ମଧ୍ୟ ଅନୁରୁପ। ଏହି ପଡ଼ିଆର ମଧ୍ୟ ପାଚେରି ନଥିବାରୁ ପଡ଼ିଆ ଭିତରେ ଲୋକଙ୍କ ଯିବା ଆସିବା ସହିତ ଯାନବାହାନ ମଧ୍ୟ ପ୍ରବେଶ ପଡ଼ିଆ ଭିତରକୁ କରୁଛି। ଏଠାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହିତ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥାଏ। ବର୍ତ୍ତମାନ ପଡ଼ିଆରେ ଖାଲ ଖମା ସୃଷ୍ଟି ହୋଇ ପାଣି ଜମି ରହୁଛି। ବହୁସ୍ଥାନରେ ଘାସ ମଧ୍ୟ ଉଠି ଗଲାଣି। ସେହିପରି ସୋନପୁର ଜେଲ ପଛରେ ଥିବା ଲୁଲୁ ପଡ଼ିଆ ତାହାର ଅସ୍ଥିତ୍ବ ହରାଇ ସାରିଛି। ଜବର ଦଖଲ ଯୋଗୁଁ ଏହି ପଡ଼ିଆର ଆଉ ଅସ୍ଥିତ୍ବ ନାହିଁ। ସେପଟେ ରାମେଶ୍ବର ନିକଟରେ ନିର୍ମାଣ ହୋଇଥିବା ଷ୍ଟାଡିୟମର ଅବସ୍ଥା‌ ମଧ୍ୟ ଖରାପ। ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ ଭିତର ସାରା ଖାଲଖମା ଭର୍ତ୍ତି। ପଡ଼ିଆର ସମତୁଲ ନଥିବାରୁ ସେଠାରେ କୌଣସି ପ୍ରତିଯୋଗିତା କରିବା ସମ୍ଭବ ହେଉ ନାହିଁ। ଏହି ପଡ଼ିଆ କେବଳ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ପାଳନ ଛଡ଼ା ଏହା କୌଣସି କାର୍ଯ୍ୟକୁ ଆସୁ ନାହିଁ। ସୋନପୁର ସହର ତଥା ଅନ୍ୟାନ୍ୟ ଅଞ୍ଚଳରେ ଥିବା ଖେଳ ପଡ଼ିଆର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର