ପାଇକ ବିଦ୍ରୋହ, ବୁଦ୍ଧ ସଂଗ୍ରହାଳୟ ନେଇ ନୂଆଦିଲ୍ଲୀରେ ସମୀକ୍ଷା

ଭୁବନେଶ୍ୱର: ପାଇକ ବିଦ୍ରୋହର ସ୍ମୃତି ରକ୍ଷା ଓ ଲଳିତଗିରେ ବୁଦ୍ଧ ମ୍ୟୁଜିୟମ୍‌ର ଅଗ୍ରଗତି ନେଇ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।

ବୈଠକରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଓଡ଼ିଶା ସମେତ ଦେଶ ଭିତରେ ଓ ବାହାରେ କିପରି ପାଳନ କରାଯିବ, ସେ ନେଇ ଆଲୋଚନା ହୋଇଥିଲା। ପେଟ୍ରୋଲିୟମ୍‌ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସୂଚନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଇକ ବିଦ୍ରୋହର ସ୍ଥାୟୀ ସ୍ମୃତି ପାଇଁ ବରୁଣେଇ ପାହାଡ଼ରେ ବକ୍ସି ଜଗବନ୍ଧୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ସମସ୍ତଙ୍କ ମନରେ ଅଛି। ଏ ନେଇ ଯୋଜନା ଚାଲିଛି। ପାଇକ ବିଦ୍ରୋହର ସାହିତ୍ୟ, ଏହା ଉପରେ ମୁଦ୍ରା ଓ ଡାକଟିକଟ ପ୍ରକାଶନ ନେଇ ଆଲୋଚନା ହୋଇଛି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ପାଇକ ବିଦ୍ରୋହର ସ୍ମୃତିରୁ ପ୍ରେରଣା ନେବା ପାଇଁ ଏକ ଅତ୍ୟାଧୁନିକ ମ୍ୟୁଜିୟମ୍‌ ସ୍ଥାପନ ନେଇ ଆଲୋଚନା ହୋଇଛି।

ଲଳିତଗିରିଠାରେ ଭଗବାନ ବୁଦ୍ଧଙ୍କର ମିଳିଥିବା ଦେହାବଶେଷ ଏବେ ମ୍ୟୁଜିୟମ୍‌ରେ ରଖାଯାଇଛି। ଲଳିତଗିରିଠାରେ ଏକ ଆନ୍ତର୍ଜାତିକ ସ୍ତରର ବୁଦ୍ଧିଷ୍ଟ ମ୍ୟୁଜିୟମ୍‌ରେ ଭଗବାନ ବୁଦ୍ଧଙ୍କ ଦେହାବଶେଷ ରଖାଯିବା ସହ ଏହାର ସମ୍ଭାବ୍ୟ ଉଦ୍‌ଘାଟନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବିଭିନ୍ନ ଦେଶର ବୌଦ୍ଧ ପର୍ଯ୍ୟଟକଙ୍କୁ ଏହି କାର୍ଯ୍ୟକ୍ରମରେ ଏକାଠି କରି ରାଜ୍ୟରେ ପର୍ଯ୍ୟଟନର ସମ୍ଭାବନା ବୃଦ୍ଧି ପାଇଁ ଯୋଜନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିର ଜଗମୋହନ ମରାମତି ସମ୍ପର୍କରେ ଏଏସ୍‌ଆଇ ଅଧିକାରୀମାନେ ସୂଚନା ଦେଇଥିଲେ। ହାଇକୋର୍ଟଙ୍କ ତଦାରଖରେ କାର୍ଯ୍ୟ ଆଗଉଥିବା ସେମାନେ କହିଥିଲେ।

ସମ୍ବନ୍ଧିତ ଖବର