ଆବାସ ଯୋଜନା ଘର ଦେବା ନାଁରେ ଅର୍ଥ ଆଦାୟ, ଦୁଇ ଅଭିଯୁକ୍ତ ଜେଲ୍‌ ଗଲେ

ମୁରିବାହାଲ: ମୁରିବାହାଲ ଥାନା ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇଦେବା ନାଁରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେଦୁହେଁ ହେଲେ ଗୁଡ଼ିଘାଟ ଗାଁର ରାଧେଶ୍ୟାମ ନାଏକ (୫୦ବର୍ଷ) ଓ କଣ୍ଟାବାଞ୍ଜିର ଲଛମନ ସାଗର (୪୫ବର୍ଷ)। ଉଭୟ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ବ୍ରାହ୍ମଣୀ ଗ୍ରାମର ଦହି ରଣା (୬୫ବର୍ଷ) ଥାନାରେ ଦେଇଥିବା ଏତଲା ଅନୁସାରେ, ଶନିବାର ସକାଳେ ଉଭୟ ଅଭିଯୁକ୍ତ ତାଙ୍କ ଗାଁକୁ ଆସି ସେମାନେ ବଲାଙ୍ଗୀରରୁ ଆସିଥିବା ଓ ତାଙ୍କ ସହ ଅନ୍ୟମାନଙ୍କ ଆବାସ ଯୋଜନାରେ ଘର ଆସିଥିବା କହି ଆଧାରକାର୍ଡ ଓ ୧ ହଜାର ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ଦହି ରଣା ୧ ହଜାର, ବିବଚ୍ଛ ରଣା ୧ ହଜାର ଓ ଚଇତ ରଣା ୫ ଶହ ଟଙ୍କା ଦେଇଥିଲେ। ପରେ ଏ ସମ୍ପର୍କରେ ସେମାନେ ଲଖନା ପଞ୍ଚାୟତର ଜିଓଟେଗର୍‌ ପିଣ୍ଟୁ ପଧାନଙ୍କୁ ପଚାରିବାରୁ ଏହା ସମ୍ପୂର୍ଣ୍ଣ ମିଛ, ସରକାର କାହାକୁ ପଠାଇ ନାହାନ୍ତି, ସେମାନେ ଠକେଇର ଶିକାର ହୋଇଥିବା ପ୍ରକାଶ କରିଥିଲେ। ଫଳରେ ଗ୍ରାମବାସୀ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ମୁରିବାହାଲ ଥାନା ଏସ୍‌ଆଇ ଜନାର୍ଦ୍ଦନ ଓରାମଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଥାନା କେସ୍‌ ନଂ ୮/୨୩ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର