୪୨ବର୍ଷ ହେଲା ବଦଳୁନି ନିୟମ : ନର୍ସଙ୍କୁ ଏବେ ବି ମିଳୁଛି ୧୫୦ଟଙ୍କା ରିସ୍କ ଆଲାଉନ୍ସ

କଟକ : ୧୯୭୭ରେ କର୍କଟ କେନ୍ଦ୍ରରେ କାମ କରୁଥିବା ଷ୍ଟାଫ୍‌ ନର୍ସମାନଙ୍କୁ ମିଳୁଥିଲା ଦେଢ ଶହ ଟଙ୍କା। ଏହାକୁ କୁହାଯାଏ ରିକ୍ସ ଭତ୍ତା। କିନ୍ତୁ ଗଲା ୪୨ ବର୍ଷ ଭିତରେ ଚାକିରି, ଦରମା ଏବଂ ପ୍ରାୟ ସବୁ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଥିଲେ ବି ଏହି ରିକ୍ସ ଭତ୍ତା ପରିମାଣ କିନ୍ତୁ ବଢ଼ୁନାହିଁ। ସେହି ଦେଢ ଶହ ଟଙ୍କାରେ ସୀମିତ ରହିଛି। ଏପରିକି କର୍କଟ କେନ୍ଦ୍ରର କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ପୂର୍ବରୁ ଏହି ଭତ୍ତା ମିଳୁଥିଲା ବେଳେ ୨୦୦୩/୦୪ରୁ କେବଳ ରେଡିଏସନରେ କାମ କରୁଥିବା ଡାକ୍ତର ଓ ରେଗୁଲାର ଷ୍ଟାଫ୍‌ଙ୍କୁ ଏହି ଭତ୍ତା ମିଳୁଥିବାରୁ ଷ୍ଟାଫ୍‌ ନର୍ସମାନେ ଆପତ୍ତି ଉଠାଇଛନ୍ତି। କିନ୍ତୁ ଏଦିଗରେ ସ୍ବାସ୍ଥ୍ୟବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି।

ସୂଚନା ଅନୁସାରେ, ୧୯୬୦ରେ ଏସ୍‌ସିବି ମେଡିକାଲ କଲେଜ ରେଡିଓଥେରାପି ବିଭାଗ ଅଧୀନରେ ରେଡିଏସନ୍‌ ଚିକିତ୍ସା ଆରମ୍ଭ ହୋଇଥିଲା। ପରେ ଏହାକୁ ଅଲଗା କରାଯାଇ ଆଚାର୍ଯ୍ୟ ହରିହରି କର୍କଟ କେନ୍ଦ୍ର ନାମରେ ନାମିତ କରି ଚିକିତ୍ସା ବ୍ୟବସ୍ଥା କରାଗଲା। ଯେହେତୁ ବିକିରଣ ଚିକିତ୍ସା, କୋମୋଥେରାପି ଆଦି ଜୀବନକୁ ବିପଦ ଥିବା ଚିକିତ୍ସା ରୋଗୀଙ୍କର ଚିକିତ୍ସା କରୁଥିଲେ; ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ୧୫୦ଟଙ୍କା‌ ଲେଖାଏଁ ଭତ୍ତା ଦିଆଯାଉଥିଲା। ୨୦୦୩ରେ ଏ ସଂପର୍କରେ ଅଡିଟ୍‌ ଆପତ୍ତି ଉଠାଇବା ପରେ କେବଳ ସେହି ବିଭାଗରେ କାମ କରୁଥିବା ଡାକ୍ତର ଓ କର୍ମଚାରୀଙ୍କୁ ମିଳୁଛି ରିକ୍ସ ଭତ୍ତା। ୧୯୭୭ର ନିୟମ ବଦଳାଯାଉ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ୧୫୦ ଟଙ୍କାକୁ ପରିବର୍ତ୍ତନ କରାଯାଇ ୩ହଜାର ଟଙ୍କା ରିକ୍ସ ଭତ୍ତା‌ ପ୍ରଦାନ ପାଇଁ ଷ୍ଟାଫ୍ ନର୍ସମାନେ ଦାବି କରିଛନ୍ତି। ଅନ୍ୟପଟେ ୨୦/୨୫ବର୍ଷ ହେଲା ଚାକିରି କରୁଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଷ୍ଟାଫ୍‌ ନର୍ସମାନଙ୍କୁ ପେନସନ୍‌ ସୁବିଧାରୁ ବଂଚିତ କରାଯାଉଥିବାରୁ ତୁରନ୍ତ ଏହାର ସଂଶୋଧନ ପାଇଁ ଷ୍ଟାଫ୍‌ ନର୍ସ ସଂଘ ସଂପାଦିକା ରିନାବାଳା ପରିଡା, ଉପସଭାପତି ବବିତା ମହାନ୍ତି, ବାସନ୍ତୀଲତା ନାୟକ, ସୁପ୍ରଭା ବେହେରା, ବାସନ୍ତୀ ପଣ୍ଡା ପ୍ରମୁଖ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର