ମନୋଜ ପଣ୍ଡାଙ୍କ ବିୟୋଗରେ ଶୋକ

ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା
ଏତେ କମ୍‌ ବୟସରେ ଏମିତି ଜଣେ ପ୍ରତିଭାବାନ୍‌ ସାହିତ୍ୟକ ଚାଲିଯିବା ଓଡ଼ିଆ ସାରସ୍ବତ ଜଗତ ପାଇଁ ଏକ ଦୁଃଖର ବିଷୟ। ତାଙ୍କଠାରୁ ଆହୁରି ଅନେକ ସାରସ୍ବତ ରଚନା ଏ ଓଡ଼ିଆ ସମାଜ ପାଇପାରିଥା’ନ୍ତା। ତାଙ୍କ ମୃତ୍ୟୁ ଓଡ଼ିଆ ସାରସ୍ବତ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କଲା। ମୁଁ ଅନ୍ତରରୁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।
ପ୍ରତିଭା ରାୟ, ପ୍ରଥିତଯଶା ଔପନ୍ୟାସିକା

ଓଡ଼ିଶା ସାହିତ୍ୟ ଜଗତ ପାଇଁ ଦୁଃଖଦାୟକ ଖବର
ମନୋଜ ପଣ୍ଡାଙ୍କ ଆକସ୍ମିକ ବିୟୋଗ ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ଦୁଃଖଦାୟକ ଖବର। ସେ ନୂଆ ଶୈଳୀରେ ଗଳ୍ପ ଲେଖୁଥିଲେ ଏବଂ ତାହା ତାଙ୍କୁ ଜଣେ ଅସାଧାରଣ ଲେଖକର ସ୍ବୀକୃତି ଦେଇଥିଲା। ଗତ ୩ ଦିନ ତଳେ ତାଙ୍କ ସହ କଥା ହୋଇଥିଲି। ‘କଥା’ ପତ୍ରିକାର ଅଗଷ୍ଟ ସଂଖ୍ୟା ପାଇଁ ‌ସେ ପଠାଇଥିବା ଗଳ୍ପଟିରେ କେତୋଟି ଛୋଟ ସଂଶୋଧନ ପାଇଁ ସେ ମୋତେ କହିଥିଲେ। ଏମିତି ହଠାତ୍‌ ସେ ଚାଲିଯିବେ ଏବଂ ନିଜ ଗଳ୍ପର ଛପା ଚେହେରା ଦେଖିବା ପାଇଁ ସୁଦ୍ଧା ଅପେକ୍ଷା କରିବେ ନାହିଁ, ଏକଥା ମୁଁ ଚିନ୍ତା କରିପାରୁନାହିଁ। ପରିମାଣତ୍ମକ ଦୃଷ୍ଟିରୁ ସ୍ବଳ୍ପ ହେଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ ତାଙ୍କ ଗଳ୍ପର ଉତ୍କର୍ଷ ପାଇଁ ମନୋଜ ପଣ୍ଡା ସବୁବେଳେ ବଞ୍ଚିରହିବେ।
ଗୌରହରି ଦାସ, ବିଶିଷ୍ଟ କଥାକାର

ଦେହାନ୍ତ ଖବର ଦୁଃଖିତ ଓ ଚକିତ କରିଛି
ସ୍ବର୍ଗତ ମନୋଜ ପଣ୍ଡାଙ୍କ ହାଡ଼ ବଗିଚା, ବର୍ଣ୍ଣ ବଗିଚା ଓ ଶବ୍ଦ ବଗିଚା ୩ଟି ଭିନ୍ନ ସ୍ବାଦର ଗଳ୍ପ ସଙ୍କଳନ। ତାଙ୍କ ରଚନାରେ ପାଠକଟିଏ ଯେମିତି ହଠାତ୍‌ ଆକସ୍ମିକତାକୁ ଭେଟେ ଏବଂ କିଛି କ୍ଷଣ ପାଇଁ ଚକିତ ହୋଇ ରହିଯାଏ ଠିକ୍‌ ସେମିତି ଭାବରେ ତାଙ୍କର ହଠାତ୍‌ ଦେହାନ୍ତର ଖବର ଆମକୁ ଦୁଃଖିତ ଓ ଚକିତ କରିଛି। ତାଙ୍କ ରଚନାରେ ଗୋଟିଏ ସ୍ବାତନ୍ତ୍ର୍ୟ ସବୁ ବେଳେ ରହିଥାଏ। ଗତ ମାର୍ଚ୍ଚରେ ତାଙ୍କ ସହ ଶେ‌ଷ ଦେଖା ହୋଇଥିଲା। ତାଙ୍କ ବିୟୋଗରେ ଭିନ୍ନ ସ୍ବାଦର ଏଇ ଲେଖକଙ୍କର ଅଭାବ ବୋଧ ହୁଏ ପୂରଣ ହେବ ନାହିଁ।
ଶୁଭଶ୍ରୀ ଲେଙ୍କା, କବୟିତ୍ରୀ

କ୍ଷୁଦ୍ରଗଳ୍ପ ରଚନାରେ ସେ ପଥ ପ୍ରଦର୍ଶକ ଥିଲେ
ମନେଜ ପଣ୍ଡାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଓଡ଼ିଆ ଭାଷାରେ ଆଧୁନିକ କ୍ଷୁଦ୍ରଗଳ୍ପ ରଚନାରେ ସେ ଜଣେ ପଥ ପ୍ରଦର୍ଶକ ଥିଲେ। ତାଙ୍କ ଆତ୍ମାର ସଦଗତି ହେଉ।
ଆର.କେ ମିଶ୍ର, ସମ୍ପାଦକ, ସାରଳା କମିଟି

କେନ୍ଦ୍ର ସାହିତ୍ୟ ଅକାଦେମିର ଶୋକ
ଭୁବନେଶ୍ବର : ବିଶିଷ୍ଟ ଗାଳ୍ପିକ ମନୋଜ ପଣ୍ଡାଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଶୋକ ପ୍ରକାଶ ପାଇଛି। ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦ ଆବାହକ ଡ. ବିଜୟାନନ୍ଦ ସିଂହ କହିଛନ୍ତି ଯେ, ସ୍ବର୍ଗତଃ ପଣ୍ଡା ଜଣେ ଅନନ୍ୟ କଥାଶିଳ୍ପୀ ଥିଲେ। ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟର ଅପୂରଣୀୟ କ୍ଷତି ହୋଇଛି।

ସମ୍ବନ୍ଧିତ ଖବର