ସୁବାସ ଚୌହାନଙ୍କ ବିୟୋଗରେ ଶୋକ

ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ବଡ଼ କ୍ଷତି
ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି, ସ୍ବର୍ଗତ ଚୌହାନଙ୍କ ସହ ଦୀର୍ଘ ବର୍ଷ ଧରି କାମ କରିବାର ଅନେକ ସ୍ମୃତି ମୋ ପାଖରେ ଅଛି। ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ଼ କ୍ଷତି।
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ

ସେ ଜଣେ ବିଶିଷ୍ଟ ଜନନେତା ଥିଲେ
ସୁବାସ ବାବୁ ଏକାଧାରାରେ ଜଣେ ରାଜନେତା, ସମାଜସେବୀ, ଦକ୍ଷ ସଂଗଠକ ଥିଲେ। ପଶ୍ଚିମ ଓଡ଼ିଶା ବିକାଷ ପରିଷଦ ଅଧ୍ୟକ୍ଷଭାବେ ତାଙ୍କ କାର୍ଯ୍ୟକାଳ ଗରିମାମୟ ଥିଲା। ତାଙ୍କ ବିୟୋଗ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସ୍ବର୍ଗତଃ ଚୌହାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି, ଓଡ଼ିଶା ବିଧାନସଭା

ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି
ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ସେ ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ନେତା ଭାବେ ପରିଚିତ ଥିଲେ। ସ୍ବର୍ଗତଃ ଚୌହାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପତ୍ର ପରିବାର ବର୍ଗ ପ୍ରତି ମୁଁ ସମବେଦନା ଜଣାଉଛି।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ସେ ଜଣେ ଦକ୍ଷ ସଂଗଠକ ଥିଲେ
ସୁବାସ ଚୌହାନ୍ ଜଣେ ଦକ୍ଷ ସଂଗଠକ ଥିଲେ। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟାଇଛି। ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି।
ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପସଭାପତି

ଜଣେ ସମାଜସେବୀ ଓ ଲୋକପ୍ରିୟ ନେତା ଥିଲେ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଜଣେ ସମାଜସେବୀ, ସଂଗଠକ ଓ ଲୋକପ୍ରିୟ ନେତା ଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଖୁବ୍‌ କମ୍‌ ଦିନର କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସୁଥିଲେ। ତାଙ୍କର ଦେହାନ୍ତ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ବର୍ଗତଃ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପତ୍ର ପରିବାରକୁ ସମବେଦନା ଜଣାଉଛି।
ନିରଞ୍ଜନ ପୂଜାରୀ, ଅର୍ଥ ଓ ଅବକାରୀ ମନ୍ତ୍ରୀ

ଜଣେ ସରଳ ଓ ଅମାୟିକ ଲୋକ ଥିଲେ
ସ୍ବର୍ଗତଃ ସୁବାସ ଚୌହାନ୍ ଜଣେ ଅତି ସରଳ ଓ ଅମାୟିକ ଲୋକ ଥିଲେ। ତାଙ୍କର ଭଦ୍ର ବ୍ୟବହାର ଦ୍ବାରା ସମାଜର ସବୁବର୍ଗର ଲୋକଙ୍କ ଭିତରେ ସେ ଅତି ଆପଣାର ହୋଇପାରିଥିଲେ। ରାଜନୈତିକ ତଥା ସାମାଜିକ କାର୍ଯ୍ୟକଳାପ ନିମନ୍ତେ ସେ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କର ବିୟୋଗ ପଶ୍ଚିମ ଓଡ଼ିଶା ତଥା ଆମ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ଏଭଳି ଦୁଃସମୟରେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ସୁବାସ ବାବୁ ଥିଲେ ଦରଦୀ ବ୍ୟକ୍ତି
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ସେ ଜଣେ ଦରଦୀ ମଣିଷ ଥିଲେ। ୨୦୧୯ ସେପ୍ଟେମ୍ବରରୁ ସେ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସହ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନିରନ୍ତର କାର୍ଯ୍ୟରତ ଥିଲେ। ତାଙ୍କର ଅବର୍ତ୍ତମାନରେ ଓଡ଼ିଶା ରାଜନୀତି କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି। ଏପରି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଓ ଦକ୍ଷ ସଂଗଠକ ଥିଲେ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ୍‌ଙ୍କ ଅସୁସ୍ଥତା ଜନିତ ଦେହାନ୍ତରେ ସମସ୍ତେ ମର୍ମାହତ। ସେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଭାବେ ସୁପରିଚିତ ଥିଲେ। ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ। ତାଙ୍କର ବିୟୋଗ ଓଡ଼ିଶା ରାଜନୀତି ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସ୍ବର୍ଗତଃ ଆତ୍ମାର ସଦଗତି କାମନା କରିବାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।
ରଘୁନନ୍ଦନ ଦାସ, ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ

ମୁଁ ଗଭୀର ଭାବେ ମର୍ମାହତ
ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପଶ୍ଚିମ ଓଡ଼ିଶା ବିକାଷ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ଖବର ମୋତେ ବ୍ୟଥିତ କରିଛି। ତାଙ୍କର ଅକାଳ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୟୀ କ୍ଷତି। ଏପରି ଅସମୟରେ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜ୍ଞାପନ କରୁଛି।
ନବ କିଶୋର ଦାସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ରାଜ୍ୟ ଏକ ଟାଣୁଆ ନେତାଙ୍କୁ ହରାଇଲା
ସୁବାସ ଚୌହାନଙ୍କ ବିୟୋଗ ଏ ରାଜ୍ୟ ପାଇଁ ବଡ଼ କ୍ଷତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ତାଙ୍କର ସ୍ବଳ୍ପ ଅବଧି ସମୟରେ ସେ ଅଞ୍ଚଳର ବିକାଶ ପାଇଁ ସେ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ସେ ଜଣେ ଟାଣୁଆ ନେତା ଥିଲେ। ଏହି ଅପୂରଣୀୟ କ୍ଷତି ସହ୍ୟ କରିବାକୁ ଈଶ୍ବର ତାଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ।
ଦିବ୍ୟ ଶଙ୍କର ମିଶ୍ର, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ

ସେ ଥିଲେ ଦକ୍ଷ ରାଜନେତା
ସୁବାସ ଚୌହାନଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ। ପଶ୍ଚିମ ଓଡ଼ିଶାର ଜଣେ ଲୋକପ୍ରିୟ ନେତା ଭାବେ ସେ ଜଣାଶୁଣା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଅଳ୍ପଦିନ ଭିତରେ ସେ ତାଙ୍କର କାର୍ଯ୍ୟଦକ୍ଷତା ପ୍ରମାଣିତ କରିଥିଲେ। ଏଭଳି ଜଣେ ଦକ୍ଷ ରାଜନେତାକୁ ହରାଇବା ବିଜୁ ଜନତା ଦଳ ପାଇଁ ବଡ଼ କ୍ଷତି। ଦଳ ପକ୍ଷରୁ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି।
ସଞ୍ଜୟ ଦାସବର୍ମା, ଉପାଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡ଼

ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ ସୁବାସ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ୍ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ ଯୋଗଦେଇ ସେ ତାଙ୍କର ଲୋକସେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସ୍ବର୍ଗତଃ ଚୌହାନ୍‌ ଜଣେ ସଂଗଠକ, ରାଜନେତା ଭାବେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ। ସେ ବିଜେପି ଛାଡ଼ି ବିଜେଡି ଦଳରେ ଯୋଗ ଦେବା ପରେ ବି ଆମମାନଙ୍କ ସହ ଉତ୍ତମ ସମ୍ପର୍କ ରଖିଥିଲେ। ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ମ୍ରିୟମାଣ କରିଛି। ଏଭଳି ଦୁଃଖଦ ପରିସ୍ଥିତିରେ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭଗବାନ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ।
ପ୍ରଦୀପ ପୁରୋହିତ, ପୂର୍ବତନ ବିଜେପି ବିଧାୟକ

ସମ୍ବନ୍ଧିତ ଖବର