ଦଳିତ ବର୍ଗର କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିଲେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ବିେୟାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ। ମନ୍ତ୍ରୀ, ସାଂସଦ ଓ ବିଧାୟକ ଭାବେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସେ ତାଙ୍କ ଅବଦାନ ରଖିଯାଇଛନ୍ତି। ବିଶେଷ କରି ଜଗତସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ। ବିଜେଡିର ଜଣେ ବରିଷ୍ଠ ନେତା ଭାବେ ଦଳର ସାଂଗଠନିକ ଶକ୍ତିକୁ ମଜବୁତ୍ କରିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ବଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ଓଡ଼ିଶା ରାଜନୀତିରେ ଏକ ଯୁଗର ଅବସାନ ଘଟିଲା : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଷ୍ଣୁ ଦାସଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଲା। ଦୀର୍ଘ ରାଜନୈତିକ ଓ ସାମାଜିକ ଜୀବନରେ ସାଧାରଣ ଗରିବ ଲୋକଙ୍କ ସେବାରେ ସେ ଏକ ଅଲିଭା ଛାପ ଛାଡ଼ି ଚାଲିଯାଇଛନ୍ତି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ଶ୍ରୀ ପ୍ରଧାନ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।
ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଷ୍ଣୁ ଦାସଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଦୀର୍ଘ ଦିନ ଧରି ରାଜନୀତିରେ ରହି ବିଧାୟକ, ସାଂସଦ ଓ ମନ୍ତ୍ରୀ ଭାବେ ଓଡ଼ିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।
ଜଣେ ଦରଦୀ ନେତାଙ୍କୁ ହରାଇଲୁ : ସୌମ୍ୟରଞ୍ଜନ
ବିଷ୍ଣୁ ଦାସଙ୍କର ବିୟୋଗରେ ଆମେ ଜଣେ ଅନୁଭବୀ ଦଳିତ, ଦରଦୀ ଓ ଅତ୍ୟନ୍ତ ଲୋକପ୍ରିୟ ନେତାଙ୍କୁ ହରାଇଲୁ ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଶୋକବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଛାତ୍ରାବସ୍ଥାରୁ ରାଜନୀତିରେ ରୁଚି ରଖି ସେ ବିଜୁବାବୁଙ୍କର ଜଣେ ପ୍ରିୟ ଅନୁଗାମୀ ହୋଇ ପାରିଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ଗଠନ ପରେ ଜଗତସିଂହପୁର ଜିଲ୍ଲାରେ ଦଳର ସଙ୍ଗଠନକୁ ମଜବୁତ କରିଥିଲେ। ବିଧାୟକ, ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଭାବେ ଜନସାଧାରଣଙ୍କର ସେବା କରିବାର ସୁଯୋଗ ତାଙ୍କୁ ମିଳିଥିଲା। ଦୀର୍ଘଦିନର ଅସୁସ୍ଥତା ପରେ ଆଜି ସେ ଆମ ଗହଣରୁ ଚାଲି ଯାଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ବିଭିନ୍ନ ମହଲରେ ଶୋକ
ବିଷ୍ଣୁ ଦାସଙ୍କ ବିୟୋଗରେ ଦଳ, ମତ ନିର୍ବିଶେଷରେ ବହୁ ନେତା ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦାସଙ୍କ ଜଣେ ବିଶିଷ୍ଟ ଦଳିତ ନେତା ଭାବେ ଅଭିହିତ କରିବା ସହ ତାଙ୍କ ବିୟୋଗରେ ରାଜ୍ୟ ଜଣେ ଯୋଗ୍ୟ ତଥା ଦରଦୀ ନେତାଙ୍କୁ ହରାଇଲା ବୋଲି ମତ ଦେଇଛନ୍ତି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଭୂପିନ୍ଦର ସିଂହ, ବିଧାୟକ ଅମର ଶତପଥୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ କେ ଭି ସିଂହଦେଓ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓ ଖଦୀ ବୋର୍ଡ ପୂର୍ବତନ ସଭାପତି ତେଜେଶ୍ବର ପରିଡ଼ା ପ୍ରମୁଖ ଶୋକବାର୍ତ୍ତା ପଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Bishnu-Das.jpg)