ବଣାଇଗଡ଼ : ରାଜ୍ୟ ସରକାର ପିସି କାରବାର ନେଇ କଠୋର ଥିବା ଓ ସେ ବାବଦରେ ‘ଜିରୋ ଟଲୋରେନ୍ସ’ କଥା କହୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା ମୂଲ୍ୟହୀନ ହୋଇପଡିଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଣାଇଗଡ଼ ବ୍ଲକ ଅନ୍ତର୍ଗତ କଷଡ଼ା ପଞ୍ଚାୟତରେ।
ଘଟଣାରୁ ପ୍ରକାଶ ଯେ, କଷଡ଼ା ପଞ୍ଚାୟତ ପକ୍ଷରୁ ୨୦୨୦ ମସିହାରେ ବିଭିନ୍ନ ଗ୍ରାମରେ ଥିବା ନଳକୂପର ଚାନ୍ଦିନୀ ନିର୍ମାଣ ପାଇଁ କଷଡା ଗ୍ରାମର ଦୋଳାନନ୍ଦ ପ୍ରଧାନଙ୍କୁ ଠିକାସୂତ୍ରରେ କାର୍ଯ୍ୟାଦେଶ ଦିଆଯାଇଥିଲା। ସେ ମୋଟ୍ ୧୩ଟି ଚାନ୍ଦିନୀ ନିର୍ମାଣ କାର୍ଯ୍ୟ ସାରିବା ପରେ ଆବଶ୍ୟକ ସାମଗ୍ରୀର ବିଲ୍ ଓ ଫଟୋ ପ୍ରଦାନ କରିଥିଲେ। ଗୋଟିଏ ଚାନ୍ଦିନୀ ନିର୍ମାଣ ବାବଦକୁ ୬,୦୦୦ ଟଙ୍କାର ଅଟକଳ କରାଯାଇ ୧୩ଟି ଚାନ୍ଦିନୀ ବାବଦକୁ ୭୮,୦୦୦ ଟଙ୍କାର ବିଲ୍ ହୋଇଥିଲା। କିନ୍ତୁ ଦୋଳାନନ୍ଦ ପ୍ରଧାନଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାତ୍ର ୫୨,୦୦୦ ଟଙ୍କା ପ୍ରଦାନ କରି ଅବଶିଷ୍ଟ ୨୬,୦୦୦ ଟଙ୍କା ପିସି ବାବଦକୁ କଟାଗଲା ବୋଲି କହିଥିଲେ। ଏତେ ପରିମାଣର ଟଙ୍କା ପିସି ବାବଦକୁ କଟାଯିବାକୁ ଦୋଳାନନ୍ଦ ପ୍ରଧାନ ଘୋର ବିରୋଧ କରିଥିଲେ ଓ ତାଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ନିର୍ବାହୀ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଟଙ୍କା ନ ଦେବାରୁ ବାଧ୍ୟ ହୋଇ ସେ ବଣାଇଗଡ଼ ବିଡିଓ ସନ୍ତୋଷ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି।
ବିଡିଓ ଶ୍ରୀ ସାହୁ ଘଟଣାର ତଦନ୍ତ କରି ୪ ଦିନ ମଧ୍ୟରେ ବକେୟା ଟଙ୍କା ପ୍ରଦାନ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଆଜକୁ ପ୍ରାୟ ୨୦ ଦିନରୁ ଊର୍ଦ୍ଧ୍ବ ହେବ ସେ ତାହା ଦେଇ ନ ଥିବା ଜଣାପଡିଛି। ଏତେ ମାତ୍ରାରେ ପିସି କାଟୁ ଥିବାରୁ ସାଧାରଣରେ ନିର୍ବାହୀ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/tubewell.jpg)