କୃଷି ବୀମାରେ ବି ପିସି କାରବାର! କ୍ଷତିଗ୍ରସ୍ତଙ୍କୁ ମିଳୁନି, କ୍ଷତି ହୋଇନଥିବା ଚାଷୀଙ୍କୁ ବୀମା

ଯାଜପୁର/ସିଂହପୁର : ଚାଷୀ ଓ ଚାଷର ବିକାଶ ପାଇଁ ସରକାରୀ ସହାୟତା ନାମରେ ଚାଲିଛି କୋଟି କୋଟି ଟଙ୍କା ହରିଲୁଟ୍। ଏପରିକି ବନ୍ୟା ସମୟରେ ଧୋଇଯାଇଥିବା ହଜାର ହଜାର ଚାଷୀଙ୍କ ଫସଲକୁ ବୀମାର ଅନ୍ତର୍ଭୁକ୍ତ କରାନଯାଇ କେନାଲ ପାର୍ଶ୍ବ ଜମି ତଥା ବିଶେଷ କ୍ଷତି ହୋଇନଥିବା ଅଞ୍ଚଳର ଚାଷୀଙ୍କୁ ମିଳୁଛି ସହାୟତା। ଅସାଧୁମେଣ୍ଟର କଳା କାରନାମାରେ କ୍ଷତିଗ୍ରସ୍ତ ଚାଷୀ ଶୋଷିତ। ଏଭଳି କେଳେଙ୍କାରୀ ଯାଜପୁରର ବିଂଝାରପୁର ଅଞ୍ଚଳରେ ଦେଖିବାକୁ ମିଳିଛି।

ଚାଷୀମାନଙ୍କୁ ଚାଷକ୍ଷେତ୍ରରେ ସହଯୋଗ କରିବା ପାଇଁ ଗଠନ ହୋଇଥିବା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଶୋଷଣର ପ୍ରୟୋଗଶାଳା ପାଲିଟିଛି। ପାକ୍ସଗୁଡ଼ିକ ଚାଷୀଙ୍କ ସୁରକ୍ଷା ପାଇଁ ବାଡ଼ ହେବା ବଦଳରେ ଫସଲ ଖାଇବା ମୁଖ୍ୟ କାମ ପାଲଟିଛି। ଧାନ ବିକ୍ରି ସମୟରେ ପ୍ରତି କୁଇଣ୍ଟାଲରେ ୫ଶହ ଟଙ୍କା କମିସନ ଚାଷୀଙ୍କ ଠାରୁ ବିଭିନ୍ନ ଉପାୟରେ ପାକ୍ସଗୁଡ଼ିକରେ ଆଦାୟ ହେଉଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କର କଷ୍ଟ ଲବ୍ଧ ଫସଲ ଧୋଇଯାଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ବୀମା ମିଳୁନାହିଁ। ଯେଉଁମାନେ କମିସନ ଦେଉଛନ୍ତି ସେମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରି କ୍ଷତିପୂରଣ ପ୍ରଦାନ କରାଯାଉଛି। ଏବେ ପ୍ରଧାନମନ୍ତ୍ରୀ କୃଷି ବୀମା ସହାୟତା ରାଶିରୁ ୧୦ ପ୍ରତିଶତ କମିସନ କଟାଯାଉଛି। ଗତ ୨୦୨୦ ବନ୍ୟାରେ ବିଂଝାରପୁର ବ୍ଲକ୍‌ରେ ଖରସ୍ରୋତା ନଦୀ ଓ ଶାଖାନଦୀ ନୂଆମାହାରା ଦ୍ବାରା ବ୍ୟାପକ ଫସଲ ଧୋଇ ଯାଇଥିଲା। ବିଝାରପୁର ବ୍ଲକର ୬ଟି ପାକ୍ସ ଅଧୀନରେ ଥିବା ହଜାର ହଜାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କୃଷି ବୀମା ଜରିଆରେ ପ୍ରାୟ ୨୦କୋଟି ୪୪ଲକ୍ଷ ୨୩ହଜାର ୬୫୫ ଟଙ୍କା ସହାୟତା ରାଶି ଆସିଛି। ଏଥିରୁ ସିଧାସଳଖ ୧୦ ପ୍ରତିଶତ ଅର୍ଥାତ ୨କୋଟି ୪ଲକ୍ଷ ଟଙ୍କା କମିସନ ଆଦାୟ କରି ଅସାଧୁମେଣ୍ଟ ଭାଗବାଣ୍ଟି ନେବାରେ ଲାଗିଛନ୍ତି। ୬ଟି ପାକ୍ସରେ ଆଦାୟ ହୋଇଥିବା କମିସନରୁ କାହାର ଭାଗ କେତେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି।

ପ୍ରକାଶ ଥାଉକି ୨୦୨୦ ମସିହାରେ ମଲ୍ଲିକାପୁର ଘାଇ ଦ୍ବାରା ରଣପୁର ଓ ଚନ୍ଦ୍ରମୁଁ ପଞ୍ଚାୟତର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। ଏହି ୨ପଞ୍ଚାୟତର ହଜାର ହଜାର ଚାଷୀ ଅସାଧୁମେଣ୍ଟର କମିସନ କାରବାରରେ ସାମିଲ ନହେବାରୁ ସେମାନଙ୍କର ନାମ ବୀମା ତାଲିକାରେ ରହିଲା ନାହିଁ। ଅଥଚ ଫସଲ ହୋଇଥିବା ନରହରିପୁର ପାକ୍ସର ଅନେକ ଅଞ୍ଚଳର ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ଆମର ହସ୍ତଗତ ହେଇଥିବା ୭ଟି ପାକ୍ସ ମଧ୍ୟରୁ ୬ଟି ପାକ୍ସରେ ମୋଟ ୬ହଜାର ୪୫୨ଜଣ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଟ ବୀମା ରାଶି ୨୦କୋଟି ୪୪ଲକ୍ଷ ୨୬ହଜାର ୬୫୫ଟଙ୍କା ବଣ୍ଟନ ଚାଲିଛି। କେତେକ ଅଞ୍ଚଳରେ ମଧ୍ୟ ବଣ୍ଟନ ଶେଷ ହୋଇଗଲାଣି। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କ ବୀମା ରାଶିରୁ ୧୦ ପ୍ରତିଶତ ପାକ୍ସ ଜରିଆରେ ଆଦାୟ ହେଉଛି। ନଚେତ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରାଯାଇଛି। ଏହି କାରବାରକୁ ଏକ ଗୋଷ୍ଠୀ ସୁନିୟନ୍ତ୍ରିତ ଭାବେ ପରିଚାଳନା କରୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରୁ ବାଦ ଦେବା ଓ କମିସନ କାରବାରର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବା ସହିତ ଚାଷୀମାନେ ଉପକୃତ ହେବେ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର