ରାସ୍ତା କାମ ବିଲ୍ ପାଇଁ ଲାଞ୍ଚ ମାମଲା: ଭିଏଲଡବ୍ଲୁଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଗୁଟିଙ୍ଗିଆ ପଞ୍ଚାୟତରେ ରାସ୍ତା କାମ ବିଲ୍ ପାଇଁ ଲାଞ୍ଚ ନେବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ ଜଜ୍ ଭଗବାନ ପ୍ରଧାନ ଦୋଷୀ ସାବ୍ୟସ୍ତ ଗୁଟିଙ୍ଗିଆ ପଞ୍ଚାୟତର ଭିଏଲଡବ୍ଲୁ ସୁଧୀନ୍ଦ୍ର କୁମାର ସାହୁଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତର ମଲିକପଡାଠାରୁ ଗୁଡ୍ରିପଡି ରାସ୍ତା ନିର୍ମାଣ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାରେ ସାମିଲ କରାଯାଇଥିଲା। ରାସ୍ତା କାମ ପାଇଁ ବ୍ଳକରୁ ୨ ଲକ୍ଷ ଟଙ୍କା ଗାଁ ସାଥୀ କୁବେର ପ୍ରଧାନଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ରାସ୍ତା କାମ ଶେଷ ହେଲା ପରେ ୨ ଲକ୍ଷରୁ ୧ ଲକ୍ଷ ୫୦ ହଜାର ଟଙ୍କା ବିଲ୍‌ ହୋଇଥିଲା। ବାକି ୫୦ ହଜାର ଟଙ୍କା ବିଲ୍‌ କରିବା ନିମନ୍ତେ ଗାଁ ସାଥୀ ବହୁବାର ଭିଏଲଡବ୍ଲୁ ଶ୍ରୀ ସାହୁଙ୍କୁ ଅନୁରୋଧ କରିଥିଲେ। ହେଲେ ଏଥିପାଇଁ ଭିଏଲଡବ୍ଲୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତ ୨୦୧୫ ଅକ୍ଟୋବର ୮ ତାରିଖ ଦିନ ଶ୍ରୀ ପ୍ରଧାନଙ୍କୁ ଗାଁସାଥୀ ୧୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ସଜାଗ ଥିବା ଭିଜିଲାନସ ଟିମ୍ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଭିଏଲ୍‌ଡବ୍ଲୁଙ୍କୁ ଗିରଫ କରିଥିଲା। ଦୀର୍ଘ ୪ ବର୍ଷ ପରେ ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର