କୋଟିପତି କିରାଣିଙ୍କ ପିସି କାରବାରକୁ ନେଇ ହଟ୍ଟଗୋଳ 

ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ

ଯାଜପୁରରୋଡ୍ : କୋଟିପତି କିରାଣିଙ୍କ ପିସି କାରବାରକୁ ନେଇ ଯନ୍ତ୍ରୀ-ଠିକାଦାର ହଟ୍ଟଗୋଳ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକରେ ଆଜି ଏଭଳି ସାଂଘାତିକ ମୁହାଁମୁହିଁ ଘଟଣା ଚର୍ଚାର ବିଷୟ ପାଲଟିଛି। ପିସି କାରବାରକୁ ନେଇ ସରକାରଙ୍କୁ ବିରୋଧୀମାନେ ଘେରୁଛନ୍ତି। ଏହି ସମୟରେ ଯାଜପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନରେ ଜଣେ କିରାଣି ପିସି ଆଦାୟ କରିବା ଘଟଣାକୁ ନେଇ ଆଜି ସମୀକ୍ଷା ବୈଠକରେ ‌ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ ଓ ଠିକାଦାରମାନେ ହଟ୍ଟଗୋଳ କରିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ରମେଶ ବେହେରା କହିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ବୈଠକରେ ଡିଭିଜନରେ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଭାଗ ନେଇଥିଲେ। ଯାଜପୁର ଜିଲ୍ଲାରେ ୧୨୦କିମି ରାସ୍ତା ନିର୍ମାଣ କରିବାକୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ଠିକାଦାର ଓ ସହଯୋଗୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଭାଗ ନେଇଥିବା କେତେକ ଯନ୍ତ୍ରୀ ଓ ଠିକାଦାର ସଂପୃକ୍ତ କିରାଣିଙ୍କ ପିସି ଆଦାୟ ଉପରେ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲେ। ପ୍ରତି ଲକ୍ଷେ ଟଙ୍କା ବିଲ୍ ଉପରେ ଶହେ ଟଙ୍କା ହିସାବରେ ସଂପୃକ୍ତ କିରାଣି ପିସି ଆଦାୟ କରୁଥିବା ଅଭିଯୋଗ କରିଥିଲେ। ଏହି ଡିଭିଜନରେ ପ୍ରାୟ ବର୍ଷକୁ ଦେଢ ଶହ କୋଟି ଟଙ୍କାର ରାସ୍ତାଘାଟ, ପୋଲ ଓ ଘର କାମ ହେଉଛି। ଏହାକୁ ହିସାବ କଲେ ସଂପୃକ୍ତ କିରାଣି ବାର୍ଷିକ ୧୫ଲକ୍ଷ ଟଙ୍କା ପିସି ଆଦାୟ କରୁଛନ୍ତି ବୋଲି କେତେକ ଯନ୍ତ୍ରୀ ଓ ଠିକାଦାର ନାମ ଗୋପନ ରଖି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର