ଭୁବନେଶ୍ବର : ରାଜ୍ୟରେ ଏମିତି କେଉଁ ସରକାରୀ ଅଫିସ୍ ନାହିଁ, ଯେଉଁଠି ଦୁର୍ନୀତି ହେଉନାହିଁ। ପଞ୍ଚାୟତ, ବ୍ଲକ୍ରେ ଦୁର୍ନୀତି ହେଉଛି। ଲୋକସେବା ଭବନ, ଖାରବେଳ ଭବନରେ ବି ଦୁର୍ନୀତି ହେଉଛି। ଅଘୋଷିତ ଭାବେ କିଏ କେତେ ପିସି ନେବ, ତାହା ନିର୍ଦ୍ଧାରିତ ହୋଇଯାଇଛି। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ପିସି କାରବାର ଚାଲିଛି। ବାସ୍ତବରେ ରାଜ୍ୟରେ ଏକ ପିସି ସରକାର ଚାଲିଛି। ବୁଧବାର ଦିନ ବିଧାନସଭାରେ ସରକାରଙ୍କ ଉପରେ ଏମିତି ଗର୍ଜିଥିଲେ ବିରୋଧୀ।
ବିଧାନସଭାରେ ‘ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି କେବଳ ସ୍ଲୋଗାନ୍ରେ, ଦୁର୍ନୀତି ଓ ପିସିରେ ମାଲେମାଲ ଓଡ଼ିଶା ସରକାର’ ଶୀର୍ଷକ ଏକ ମୁଲତବୀ ପ୍ରସ୍ତାବ ଉପରେ ବୁଧବାର ଦିନ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଦୁର୍ନୀତି ଓ ଅନିୟମିତତା ହୁ ହୁ ହୋଇ ବଢ଼ିଚାଲିଛି। ପଞ୍ଚାୟତରୁ ଲୋକସେବା ଭବନ ସବୁଆଡ଼େ ଦୁର୍ନୀତି ମାଡ଼ିଗଲାଣି। ତୃତୀୟ ମହଲାରେ ଦୁର୍ନୀତି ବଢ଼ୁଥିବାରୁ ତଳ ସ୍ତରରେ ତାହାର ପ୍ରଭାବ ପଡ଼ୁଛି। ଏହି ଦୁର୍ନୀତି ରୋକିବାକୁ ୫-ଟି, ମୋ ସରକାର କ’ଣ କରୁଛନ୍ତି? ମୁଖ୍ୟମନ୍ତ୍ରୀ ଯେବେ ‘ଷ୍ଟପ୍ ପିସି’ କହିଲେ, ସେବେ ଠାରୁ ପିସି ଅଧିକ ବଢ଼ିଲା। ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି କୁଆଡ଼େ ଯାଉଛି। ରାଜ୍ୟରେ ଏବେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ପାଖାପାଖି ୩୫% ପିସିରେ ଯାଉଛି। ବାସ୍ତବରେ ଏହା ହେଉଛି ପିସି ସରକାର।
/sambad/media/post_attachments/wp-content/uploads/2020/09/mohan-majhi-640x430.jpg)
ବିଜେପି ସଭ୍ୟ ସନାତନ ବିଜୁଳି କହିଲେ, ରାଜ୍ୟରେ ଏମିତି ଗୋଟିଏ ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଓ ପିସି ନାହିଁ। ସରକାରୀ ଦଳ କହୁଛନ୍ତି ୫-ଟି ଏକ ଚିନ୍ତାଧାରା। ଚିନ୍ତାଧାରାରେ କ’ଣ ସରକାର ଚାଲେ? ୫-ଟିର ମନ୍ତ୍ରୀ କିଏ ଓ ସେହି ବିଭାଗ କେଉଁଠି ଅଛି? ସବୁ ଦୁର୍ନୀତିର ପେଣ୍ଠସ୍ଥଳୀ ୫-ଟି। ଯଦି ଓଡ଼ିଶାରେ ୫-ଟି ସବୁ କରୁଛି ତେବେ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ବ ବି ୫-ଟିକୁ ଦେଇଦିଅନ୍ତୁ। ତୃତୀୟ ମହଲାର ପାଣିଟାଙ୍କି ଗୋଳିଆ ହୋଇଯାଇଛି। ତେଣୁ ତଳ ସ୍ତରରେ ଦୁର୍ନୀତି ହିଁ ହେବ। ଜୟନ୍ତ ଷଡ଼ଙ୍ଗୀ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ପିସି କାରବାର ହେଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଅଧିକାଂଶ ଜାଗାରେ ଜେଇ ନିଜେ ଠିକା କାମ କରୁଛନ୍ତି। ଅନ୍ୟ ଠିକାଦାର ପିସି ନ ଦେଲେ ଜେଇ ଏମିତି ବାହାନା କରିବ ଯେ ଟଙ୍କା ମିଳିବନି। ପିସି ଦେଲା ପରେ କାମ ନ କଲେ ବି ଠିକାଦାରଙ୍କୁ ଟଙ୍କା ମିଳିଯିବ।
ସବୁ ଅଫିସ୍କୁ ଦୁର୍ନୀତି ମାଡ଼ିଗଲାଣି: ନରସିଂହ
ପଞ୍ଚାୟତରୁ ଲୋକସେବା ଭବନ ପର୍ଯ୍ୟନ୍ତ ଦୁର୍ନୀତି : ମୋହନ
ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ଦୃଢ଼ ହସ୍ତରେ ଦମନ କରୁଛନ୍ତି: ଅରୁଣ
ଅଭିଯୋଗ ନିରାଧାର: ମନ୍ତ୍ରୀ
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ବଲାଙ୍ଗୀରରେ ହୋଇଥିବା ୪ ହଜାର କୋଟିର ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁ ତଥା ବିଜେଡିର ବରିଷ୍ଠ ଉପସଭାପତିଙ୍କ ସଂପୃକ୍ତି ରହିଛି। ଏ ନେଇ ଗୃହରେ ବାରମ୍ବାର ଉଠାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହି ମାମଲାରେ ପୁରୁଣା କାଗଜପତ୍ର ଗାଏବ୍ କରିବାକୁ ତତ୍କାଳୀନ ତହସିଲ୍ଦାର ୧ କୋଟି ଟଙ୍କା ଲାଞ୍ଚ ନେଇଥିବାର ଅଭିଯୋଗ ରହିଛି। ବର୍ତ୍ତମାନ ରାଜ୍ୟର ସବୁ ବ୍ଲକ୍ରେ ଆଖିବୁଜା ଦୁର୍ନୀତି ଚାଲିଛି। କେବଳ ବ୍ଲକ୍ ନୁହେଁ, ସବୁ ଅଫିସ୍ରେ ପିସି କାରବାର ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ନେଇ ବହୁ ମାମଲା ହେଉଛି। କିନ୍ତୁ ଦଣ୍ଡବିଧାନ ହାର କମ୍। ଖଣି ମାଲିକଙ୍କୁ ଜରିମାନା ପାଇଁ ନୋଟିସ୍ ହେଉଛି। କିନ୍ତୁ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କାହିଁକି କରାଯାଉନି? କାରଣ ଖଣି ପଇସାରେ ସରକାର ଚାଲିଛି। ଲିଙ୍ଗରାଜଙ୍କ ଭାରତୀ ମଠ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ଏହି ମଠର ଜମି ଟ୍ରାନ୍ସଫର୍ ହୋଇପାରିବ ନାହିଁ। କିନ୍ତୁ ସେଠାରେ ଘର ତିଆରି ଚାଲିଛି ଓ କାର୍ଯ୍ୟାନୁଷ୍ଠାନ ନିଆଯାଉନି। କାରଣ ସେଥିରେ ଜଣେ ଖଣି ମାଲିକ ପ୍ରଭାକରନ୍ ଆଣ୍ଡ୍ କମ୍ପାନିଙ୍କ ସଂପୃକ୍ତି ରହିଛି। ଯେହେତୁ ସେ ସରକାରଙ୍କ ପୃଷ୍ଠପୋଷକତା କରୁଛନ୍ତି, ତେଣୁ ସରକାର ଚୁପ୍। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ ଯେ ପିସି କାରବାର, ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ବଲାଙ୍ଗୀର ଜିଲ୍ଲାରେ ୫-ଟିରେ ରୂପାନ୍ତରଣ ହୋଇଥିବା ହାଇସ୍କୁଲଗୁଡ଼ିକ ପାଇଁ ଜିଲ୍ଲା ସ୍ତରରେ ଫର୍ଣ୍ଣିଚର୍ କିଣାଯାଇଥିଲା। ୫୦% ଅଧିକ ଦରରରେ ଏସବୁ କିଣାଯାଇଥିଲା।
ଶାସକ ଦଳ ସଭ୍ୟ ଅରୁଣ ସାହୁ ଯୁକ୍ତି ବାଢ଼ିଥିଲେ ଯେ ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣ ପରେ ସମାଜରେ ପ୍ରଗତି ତୀବ୍ର ଗତିରେ ଚାଲିଛି। ଲୋକଙ୍କ ଆଶା, ଆକାଂକ୍ଷା ବି ବଢ଼ୁଛି। ତେଣୁ ରୋଜଗାର ପାଇଁ ବେଆଇନ ବାଟ ଆପଣାଇବାର ଆଶଙ୍କା ରହିଛି। ତାହାକୁ ଦୃଢ଼ ହସ୍ତରେ ଦମନ କରିବାକୁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ନେଇ ସବୁବେଳେ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଦୁର୍ନୀତିକୁ ଦୃଢ଼ ହସ୍ତରେ ଦମନ କରୁଛନ୍ତି। କଂଗ୍ରେସ ଓ ବିଜେପିକୁ ପାଲଟା ଆକ୍ରମଣ କରି ଶ୍ରୀ ସାହୁ କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସ୍ବୀକାର କରିଥିଲେ ଯେ ୧ ଟଙ୍କାରୁ ମାତ୍ର ୧୫ ପଇସା ଲୋକଙ୍କ ପାଖରେ ପହଞ୍ଚୁଛି। ୮୫% ଅର୍ଥ ବାଟମାଣା କରି କଂଗ୍ରେସ ଦେଶରୁ ସଫା ହୋଇଗଲା। ଏମାନଙ୍କ ତରିକା ଭିନ୍ନ। ସବୁ ସରକାରୀ ପିଏସ୍ୟୁକୁ ଅଚଳ କରିଦେଉଛନ୍ତି। ସବୁ ସରକାରୀ ବ୍ୟବସ୍ଥାକୁ ଘରୋଇକରଣ କରି ସେଠୁ ଟଙ୍କା ଆଣୁଛନ୍ତି। ଫଳରେ ଆଉ ଧରାପଡ଼ିବାର ସମ୍ଭାବନା ନାହିଁ। କେଉଁ ପଇସାରେ ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ତାହା ସମସ୍ତେ ଜାଣନ୍ତି। ଶାସକ ଦଳ ପକ୍ଷରୁ ଦିବ୍ୟଶଙ୍କର ମିଶ୍ର ଓ ବ୍ୟୋମକେଶ ରାୟ ଆଲୋଚନାରେ ଭାଗ ନେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଲୋଚନାର ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ବିନା ପ୍ରମାଣରେ ବିରୋଧୀ ଅଭିଯୋଗ ଆଣୁଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାଜ୍ୟ ଭିଜିଲାନ୍ସକୁ ସଶକ୍ତ କରାଯାଇଛି ଓ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଛି। ୨୦୨୨ରେ ଭିଜିଲାନ୍ସ ପକ୍ଷରୁ ୨୮୭ଟି ଅପରାଧିକ ମାମଲା ରୁଜୁ ହୋଇଥିଲା ଓ ୫୫୭ ଜଣଙ୍କ ନାମରେ ଏତଲା କରାଯାଇଛି। ଭିଜିଲାନ୍ସ ୧୯୮ ଜଣଙ୍କୁ ଗିରଫ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ୩୬ ଜଣ ଗ୍ରୁପ୍ ଏ ଅଫିସର୍ ଅଛନ୍ତି। ୩୦ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ବେଳେ ୨୬ ଜଣଙ୍କ ପେନ୍ସନ ବନ୍ଦ କରାଯାଇଛି। ଆୟ ବହିର୍ଭୁତ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି।