ଭୁବନେଶ୍ବର/ କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ମାଧପୁରର ସଂଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖିବା ସହ ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଟାଉନ ଥାନା ଆଇଆଇସି ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।

Advertisment

ଏଣେ ଏହି ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ଜାଣି ମୁଁ ବିସ୍ମିତ। ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ରାଜ୍ୟରେ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରୁଥିବାରୁ ଏବଂ ବିଜେପିର ନୀତି ବିରୁଦ୍ଧରେ କହୁଥିବାରୁ ବିଜେପି ପାଇଁ ଏହା ପ୍ରତିବନ୍ଧକ ସାଜିଛି। କାହିଁକି ଆପଣଙ୍କ ଦଳ ଏଭଳି ଭୀରୁ ଭଳି ବ୍ୟବହାର କରୁଛି ? ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ପୁରୁନ୍ଦେଶ୍ୱରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ସେ।

ସୂଚନାଯୋଗ୍ୟ, କେନ୍ଦୁଝର ସହରର କାଶୀପୁର ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓଙ୍କୁ ମାଡ଼ ମାରିଥିଲେ। ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ରାଜେଶ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।