ପିସିସି ସଭାପତି ହଟାଓ ଅଭିଯାନ କଂଗ୍ରେସ ଦଳର ପୁରୁଣା ରୋଗ, ଏହା ସହଜରେ ଯିବ ନାହିଁ : ନିରଞ୍ଜନ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିକଟରେ ଦେଇଥିବା ଏକ ବୟାନ କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି। ସେ କହିଛନ୍ତି, ଯିଏ  ମୋତେ ପିସିସି ସଭାପତି ପଦରୁ ହଟେଇ ଦେବେ ମୁଁ ତାଙ୍କ ପାଖରେ ଚିର ଋଣୀ ରହିବି। ପିସିସି ସଭାପତି କିଏ ହେବ ମୋତେ କୁହନ୍ତୁ, ମୁଁ ତାଙ୍କ ନାଁ ଏଆଇସିସି ଆଗରେ ରଖିବି । ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ବଦଳାଇବାକୁ ଉଦ୍ୟମ ହେଉଛି ବୋଲି ପ୍ରଶ୍ନରେ ପିସିସି ସଭାପତିଙ୍କ ଏଭଳି ଉତ୍ତର ଚର୍ଚ୍ଚାର ବିଷୟ ପାଲଟିଛି।

ଓଡ଼ିଶାରେ ଲୋକେ ବାରମ୍ବାର ହାତକୁ ହତାଦାର କରୁଥିଲେ ମଧ୍ୟ ଦଳୀୟ ନେତା ପୁରୁଣା ଅଭ୍ୟାସ ଛାଡି ପାରିନାହାନ୍ତି । ଗୋଡଟଣା ନୀତି ପାଇଁ ରାଜ୍ୟରେ କଂଗ୍ରେସ ‘ହାତ’ ଟେକି ପାରୁନାହିଁ। ଆଉ ଏଭଳି ସ୍ଥିତିରେ କଂଗ୍ରେସର ପୁରୁଣା ରୋଗ ପୁଣି ବାହାରିଛି । ନିରଞ୍ଜନଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବାକୁ କିଛି ଅସନ୍ତୁଷ୍ଟ ନେତା ଉଦ୍ୟମ କରୁଥିବା ଆଲୋଚନା ହେଉଛି।

ଭୁବନେଶ୍ୱର ପାନ୍ଥନିବାସରେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀଙ୍କ ବୈଠକ ବସିବା ସହ ମହମ୍ମଦ ମୋକିମଙ୍କୁ ପରବର୍ତୀ ପିସିସି ସଭାପତି କରିବାକୁ ଦାବି ହୋଇଛି । କଂଗ୍ରେସ ନେତା ବାପି ସର୍ଖେଲ ମୋକିମଙ୍କ ସପକ୍ଷରେ ଯୁକ୍ତି ରଖି କହିଛନ୍ତି, କଟକ ଭଳି ସ୍ଥାନରେ ବିଜେଡିକୁ ମୁକାବିଲା କରି ମୋକିମ ବିଜୟୀ ହୋଇଛନ୍ତି ଏବଂ ଏହା ହିଁ ତାଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରମାଣିତ କରୁଛି ।

ଏ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି,  ପିସିସି ସଭାପତି ହଟାଓ ଅଭିଯାନ କଂଗ୍ରେସ ଦଳର ୨୫ ବର୍ଷ ତଳର ପୁରୁଣା ରୋଗ । ଏହି ରୋଗ ସହଜରେ ଯିବନି । ସଭାପତି ଭାବେ ଏହି ରୋଗକୁ ମୁଁ ମାରିପାରିନି । ତେଣୁ ପୁଣି ଥରେ ଏହି ରୋଗ ବାହାରିଛି । ବାରମ୍ବାର ଏଭଳି ହେବା ଦ୍ୱାରା ଲୋକେ କଂଗ୍ରେସର ‘ହାତ’ ଛାଡୁଥିଲେ ମଧ୍ୟ ନେତାଙ୍କର ଏଯାଏଁ ପଦବୀ ଲୋଭ ଯାଇନି । ଯାହା କଂଗ୍ରେସକୁ ଓଡିଶାରେ ବ୍ୟାକଫୁଟକୁ ଠେଲି ଦେଇଛି । ତେଣୁ ଲଞ୍ଚ ଓ ଡିନର ଖାଇ ସଭାପତି ନ ବାଛିବାକୁ ମେଳି ବାନ୍ଧିଥିବା ନେତାଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ।

ଏହାପୂର୍ବରୁ ପିସିସି ସଭାପତି ହଟାଅ ଅଭିଯାନକୁ କଡା ସମାଲୋଚନା କରିଥିଲେ ଦଳର ବରିଷ୍ଠ ନେତା ସୁର ରାଉତରାୟ । ସୁର କହିଥିଲେ, କଂଗ୍ରେସର ପ୍ରକୃତି ହେଲା, ଯିଏ ସଭାପତି ହେଲା ତାକୁ ହଟାଇଦିଅ। ଯେଉଁଥିପାଇଁ ଓଡିଶାରେ କଂଗ୍ରେସ ହାତ ଟେକିପାରୁନି । ଏହାଛଡା ପରବର୍ତ୍ତୀ ମ୍ୟୁନିସପାଲଟି ନିର୍ବାଚନରେ କେମିତି ଦଳ ଜିତିବ ସେନେଇ ଦଳର ପ୍ରତ୍ୟେକ କର୍ମୀ ଚିନ୍ତା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର