ଖରିଫ୍ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି: ରାଜ୍ୟପାଳଙ୍କୁ ଭେଟିଲା ପିସିସି କିଷାନ କଂଗ୍ରେସ

ଭୁବନେଶ୍ବର : ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ସମୟସୀମାକୁ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଦାବି କରିଛି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ। ସଂଗଠନର ରାଜ୍ୟ ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ନେତୃତ୍ବରେ ସବୁ ଜିଲ୍ଲାର କିଷାନ କର୍ମକର୍ତାଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏଭଳି ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ରାଜ୍ୟ ସରକାର ଚ‌ାଷୀ ପଞ୍ଜୀକରଣ ସମୟସୀମାକୁ ବୃଦ୍ଧି ନ କରନ୍ତି ତାହାଲେ ୧୭ତାରିଖରେ ପ୍ରତି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ସୂଚନା ଦିଆଯାଇଛି।

କିଷାନ କଂଗ୍ରେସର କହିବାନୁଯାୟୀ, ରାଜ୍ୟ ସରକାର ଚଳିତବର୍ଷର ବଳକା ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟ ଜୁଲାଇ ୧୫ରୁ ଚଳିତମାସ ୧୬ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛନ୍ତି। ମାତ୍ର ଅନେକ କୃଷି ସେବା ସମୟ ସମିତିରେ କର୍ମଚାରୀ ନ ଥିବା ଓ ସୀମିତ ସମୟ ଦୃଷ୍ଟିରୁ ରାଜ୍ୟରେ ଆଉ ୪୦ ପ୍ରତିଶତରୁ ଅଧିକ ଚାଷୀ ନିଜର ପଞ୍ଜୀକରଣ କରିପାରି ନାହାନ୍ତି। ଗତବର୍ଷ ଖରିଫ ଓ ରବି ଉତ୍ପାଦିତ ଧାନରେ ରାଜ୍ୟର ପ୍ରାୟ ୩ଲକ୍ଷରୁ ଅଧିକ ପଞ୍ଜୀକୃତ ଚାଷୀ ଧାନ ବିକ୍ରିୟ ପାଇଁ ସମସ୍ତ ସର୍ତ ପୂରଣ କରିଥିଲେ ‌ହେଁ ସରକାର ସେମାନଙ୍କଠାରୁ ଧାନ କ୍ରୟ କଲେନାହିଁ। କରୋନା ପରିସ୍ଥିତିରେ ସମ୍ମୁଖୀନ ହୋଇ ମଧ୍ୟ ଚାଷୀ କୃଷି ଉତ୍ପାଦନ ଜାରି ରଖିଛନ୍ତି। ତେଣୁ ସଂକଟ ପରିସ୍ଥିତିରେ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଧାନ କିଣା ନ ଯିବା ପରିତାପର ବିଷୟ।

ପ୍ରତିନିଧିମଣ୍ଡଳୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମ‌ନୋରଂଜନ ଦାଶ, ‌ସ୍ବପ୍ନେଶ୍ବର ପୃଷ୍ଟି, ଗୋବିନ୍ଦ ମିଶ୍ର, ପଦ୍ମଚରଣ ସାହୁ, ରାମ ବିଶ୍ବାସରାୟ, ଭୁବନାନନ୍ଦ ସାମଲ, ନାରାୟଣ ପରିଡ଼ା, ବୀରେନ୍ଦ୍ର ଭୂଷଣ ହୋତା, ଦାଶରଥି ସାହୁ, ନିରଞ୍ଜନ ବେହେରା, ଭାଗୀରଥି ସାହୁ, ଧ୍ରୁବଚରଣ ପରିଡ଼ା ଓ ଦେବଲୋଭନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର