ଭୁବନେଶ୍ବର: ରାଜ୍ୟ କଂଗ୍ରେସର କିଏ ହେବ ବିଧାୟକ ଦଳ ନେତା ? ଏହାକୁ ନେଇ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪ଟି ଆସନ ହାତେଇଛି। ୩ଜଣଙ୍କୁ ବାଦ୍ ଦେଲେ ଅନ୍ୟ ୧୧ବିଧାୟକ ହେଉଛନ୍ତି ନୂଆ। ତେଣୁ ୩ ଅଭିଜ୍ଞଙ୍କ ଭିତରୁ ଜଣେ ବିଧାୟକ ଦଳ ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଚଳିତ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ନାରା ଥିଲା ୯ରୁ ୯୦। ପୂର୍ବ ନିର୍ବାଚନରେ କଂଗ୍ରେସର ୯ଜଣ ବିଧାୟକ ଥିବା ବେଳେ ଏହାକୁ ୯୦ରେ ପହଞ୍ଚାଇବାକୁ ଦୃଢ଼ୋକ୍ତି ଦେଖାଇ‌ଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ମାତ୍ର ତାହା ସଫଳ ହୋଇପାରିନାହିଁ। ୧୪ ବିଧାୟକଙ୍କ ମଧ୍ୟରୁ ତାରାପ୍ରସାଦ ବାହିନୀପତି, ଦାଶରଥି ଗମାଙ୍ଗୋ ଓ ସିଏସ୍‌ ରାଜନ ଏକ୍କା ଚଳିତ ନିର୍ବାଚନରେ ପୁନର୍ବାର ବିଧାନସଭାକୁ ଫେରିଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ତାରାପ୍ରସାଦ ବାହିନୀପତିଙ୍କ ନାମ ବିଧାୟକ ଦଳ ନେତା ଭାବେ ଆଗରେ ରହିଛି। ମାତ୍ର କିଛି ନେତା ତାଙ୍କୁ ଚାହୁ ନ ଥିବା କୁହାଯାଉଛି। ଦୁଇଦିନ ତଳେ ପ୍ରଭାରୀ ଅଜୟ କୁମାର ଏକ ତାରକା ହୋଟେଲରେ ନବନିର୍ବାଚିତ ବିଧାୟକଙ୍କ ପାଇଁ ଏକ ‌ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିଲେ। ସେଠାରେ ବିଧାୟକ ଦଳ ନେତା କାହାକୁ କରାଗଲେ ଦଳ ବିଧାନସଭାରେ ନିଜର ସ୍ବର ଉଠାଇପାରିବ ତାହା ଉପରେ ଆଲୋଚନା କରିଛନ୍ତି।

ଆସନ୍ତାକାଲି ଦିଲ୍ଲୀରେ ଏଆଇସିସିର ସିଡବ୍ଲୁସି ବୈଠକ ବସୁଛି। ଏହି ବୈଠକରେ ପିସିସି ସଭାପତି ଓ ପ୍ରଭାରୀ ଯୋଗ ଦେବେ। ବୈଠକରେ ଓଡ଼ିଶାରେ କଂଗ୍ରେସର ବିଧାନସଭା ଓ ଲୋକସଭାର ପ୍ରଦର୍ଶନକୁ ନେଇ ଆଲୋଚନା କରାଯିବ। ଏଆଇସିସିରେ ଲବି କରିବା ପାଇଁ ବିଧାୟକ ଶ୍ରୀ ବାହିନୀପତିଙ୍କ ସହ କିଛି ନେତା ଦିଲ୍ଲୀ ଗସ୍ତରେ ଥିବା ସୂଚନା ମିଳିଛି। ଏହାସହ ଚଳିତ ବିଧାନସଭା ନିର୍ବାଚନରେ ୩୦ହଜାରରୁ ଅଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀଙ୍କୁ ୨୦୨୯ ନିର୍ବାଚନ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ବିଭିନ୍ନ ସାଂଗଠନିକ ଦାୟିତ୍ବ ଦିଆଯିବ। ପ୍ରଭାରୀ ଅଜୟ କୁମାର ମଧ୍ୟ ଏ ନେଇ ସଙ୍କେତ ଦେଇ ସାରିଛନ୍ତି। ପ୍ରଭାରୀ ଅଜୟ କୁମାର ‘ସମ୍ବାଦ’କୁ କହିଛନ୍ତି, ବିଧାୟକ ଦଳ ନେତା କାହାକୁ କରାଯିବ ତାହାର ତାଲିକା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ ପ୍ରଦାନ କରାଯାଇଛି। କେତେ ଜଣଙ୍କ ନାଁ ବିଚାରକୁ ନିଆଯାଇଛି ତାହା ସଂପର୍କରେ ଶ୍ରୀ କୁମାର କିଛି କହି ନାହାନ୍ତି।