ଭୁବନେଶ୍ବର : ଲଗାଣ ବର୍ଷା ଓ ବନ୍ୟାଦ୍ୱାରା ଚାଷ ଉଜୁଡ଼ିଯିବା ଫଳରେ ରାଜ୍ୟର ଚାଷୀକୁଳ ଏବେ ବେସାହାରା। ସରକାରଙ୍କ ପକ୍ଷରୁ ଫସଲ କ୍ଷୟକ୍ଷତିର ଠିକ୍ ଆକଳନ କରା ନ ଯାଇ ମାତ୍ର ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲହାନୀ ହୋଇଥିବା କୁହାଯାଇଛି। ପୁନଃ ଆକଳନ କରାଗଲେ ଏହାଠାରୁ ଯଥେଷ୍ଟ ଅଧିକ ଫସଲ କ୍ଷତି ହେବାର ତଥ୍ୟ ମିଳିବ। କ୍ଷେତ୍ରସ୍ତରରେ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା କ୍ଷୟକ୍ଷତିର ଆକଳନ କରାଯାଇଛି ଏଥିରେ ଅନେକ ତ୍ରୁଟି ରହିଛି। ଅନେକ ଜାଗାକୁ କ୍ଷେତ୍ର ଅଧିକାରୀମାନେ ଆଦୌ ଯାଇ ନ ଥିବାର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ୧୭ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ପ୍ରଦାନ କରାଯାଇଛି।
କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ଚିରାଚରିତ ଢଙ୍ଗରେ ଯେଉଁ ବନ୍ୟା ସହାୟତା ଘୋଷଣା କରିଛନ୍ତି ଏହା କେବଳ ଧର୍ମକୁ ଆଖିଠାର। ଏଥିରେ କିଛି ନୂତନତ୍ତ୍ବ ନାହିଁ। ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଯେଉଁ କୃଷି ଇନପୁଟ୍ ସହାୟତା ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଛି ଏଥିରେ ଚାଷୀର ଫସଲ କ୍ଷତି ଭରଣାରେ ଆଦୌ ସମ୍ଭବପର ନୁହେଁ। ଯଦି ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଜଳସେଚିତ ଅଞ୍ଚଳ ପାଇଁ ପ୍ରତି ହେକ୍ଟର ପିଛା ୧୩,୫୦୦ ଓ ଅଣ ଜଳସେଚିତ ପାଇଁ ୬,୮୦୦ଟଙ୍କା କୃଷି ଇନପୁଟ୍ ସହାୟତା ଯୋଗାଇ ଦିଆଯାଏ। ଏଥିରେ ଚାଷୀ ଲାଭ ପାଇବ କ’ଣ? ତେଣୁ ପ୍ରଚଳିତ କୃଷି ଇନପୁଟ୍ ସହାୟତା ରାଶିର ଦୁଇଗୁଣା ବୃଦ୍ଧି କରାଯିବା ଜରୁରୀ। କାର୍ଯ୍ୟକ୍ରମରେ ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ବସନ୍ତ କୁମାର ମାହାରଣା, ଦାଶରଥି ସାହୁ, ନାରାୟଣ ପରିଡ଼ା, ସଦାନନ୍ଦ ଓଝା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/m8.jpg)