ପିସିସି ନେତୃତ୍ବ ପରିବର୍ତ୍ତନ ହେବ ନାହିଁ : ଚେଲ୍ଲା କୁମାର

ଭୁବନେଶ୍ବର : ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ କରାଯିବାର କୌଣସି ସମ୍ଭାବନା ନାହିଁ। ତେଣୁ ବାରମ୍ବାର ବୈଠକ କରି କିଛି ଲାଭ ନାହିଁ। ଏବେ କିମ୍ବା ନିକଟ ଭବିଷ୍ୟତରେ ପିସିସି ସଭାପତି ବଦଳିବେ ନାହିଁ ବୋଲି କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ସ୍ପଷ୍ଟ କରିଦେଇଛନ୍ତି। ଗତ କିଛି ଦିନ ଧରି ପିସିସି ସଭାପତି ପରିବର୍ତ୍ତନ ପାଇଁ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ କିଛି ଅସନ୍ତୁଷ୍ଟ ନେତା ତୁହାକୁ ତୁହା ବୈଠକ କରୁଥିଲେ। ଏ ସମ୍ପର୍କରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ପ୍ରଭାରୀଙ୍କ ଏହି ବୟାନ ସେଥିରେ ପୂର୍ଣ୍ଣଛେଦ ଟାଣିଛି। ସେ ଆହୁରି କହିଛନ୍ତି ଯେ ସଭାପତି ପରିବର୍ତ୍ତନ ମିଡିଆର ମନଗଢ଼ା କାହାଣୀ। ବର୍ତ୍ତମାନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା କଂଗ୍ରେସ ବହୁତ ଭଲ କାର୍ଯ୍ୟ କରୁଛି। ପିସିସି ସଭାପତିଙ୍କ ଆହ୍ବାନରେ ତେଲ ଦର ବୃଦ୍ଧି ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ‘ଓଡ଼ିଶା ବନ୍ଦ’ ସଫଳ ହୋଇଛି।

ଓଡ଼ିଶା ଗସ୍ତରେ ଆସିଥିବା ଚେଲ୍ଲା କୁମାର ଆଜି କଂଗ୍ରେସ ଭବନରେ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକମାନେ ଉପସ୍ଥିତ ଥିଲେ। ବିଧାନସଭାର ବଜେଟ୍‌ ଅଧିବେଶନରେ କିପରି ପ୍ରଭାବୀ ଢଙ୍ଗରେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା।  ବୈଠକ ପରେ ଚେଲ୍ଲା କୁମାର ଅଭିଯୋଗ କରିଥିଲେ ଯେ ଦେଶରେ ତେଲ ଦର ସର୍ବକାଳୀନ ଅଧିକ। ଦର ସେଞ୍ଚୁରି ମାରିବାକୁ ଯାଉଛି। କଂ‌େଗ୍ରସ ସମୟରେ ଲୋକଙ୍କ ଉପରେ ବୋଝ ପଡ଼ିବାକୁ ଦିଆଯାଉ ନ ଥିଲା। ମୋଦୀ ସରକାର ପ୍ରତି କଥାରେ କଂଗ୍ରେସ କରିଥିଲା ବୋଲି କହୁଛନ୍ତି। କ’ଣ ତେଲ ଦର ବୃଦ୍ଧି ବି କଂଗ୍ରେସ ସରକାରର କାମ ? ପ୍ରଧାନମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏହାକୁ ଦିନରେ ଡକାୟତି ବୋଲି କହିପାରିବା। ମୋଦୀ ସରକାର କର୍ପୋରେଟ୍‌ଙ୍କ ସରକାର। ଏହା ହେଉଛି ବିଜେପିର ଅସଲ ରଙ୍ଗ।

ବିଜେଡିକୁ ଟାର୍ଗେଟ୍‌ କରି କଂଗ୍ରେସ ପ୍ରଭାରୀ କହିଥିଲେ ଯେ ବିଜେଡି ମଧ୍ୟ ସେମାନଙ୍କ ସହ ମିଶିକି ଅଛି। ମୁଖ୍ୟମନ୍ତ୍ରୀ ସବୁବେଳେ କେନ୍ଦ୍ର ଦାୟୀ ବୋଲି ଆଗରୁ କହିଥିଲେ। ଗତ ୬ ବର୍ଷ ହେଲା ସେ ଅଭିଯୋଗ କାହିଁକି ନାହିଁ? ସେମାନେ ଭିତରେ ଭିତରେ କୋଳାକୋଳି ହୋଇଛନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ। ଏଠି ରାଜନୈତିକ ହତ୍ୟାକାଣ୍ଡ ଘଟୁଛି। ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର