ଭୁବନେଶ୍ୱର : ସଂସଦରେ ତିନିଗୋଟି କୃଷକ ମାରଣ ବିଧେୟକ ପାରିତ ପ୍ରତିବାଦରେ ପ୍ରଦେଶ କଂଗ୍ରସ ପକ୍ଷରୁ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ଗୋପବନ୍ଧୁ ଛକରୁ ପ୍ରଦେଶ କଂଗ୍ରେସ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇ ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ଏହି ତିନୋଟି ବିଲ୍ ଦ୍ବାରା ଓଡ଼ିଶା ସମେତ ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର ଓ ସାରା ଦେଶରେ କୋଟି କୋଟି କ୍ଷୁଦ୍ର, ମଧ୍ୟମ, ନାମମାତ୍ର ଓ ଭାଗଚାଷୀମାନଙ୍କର ବହୁ କ୍ଷତି ଘଟିବ। ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ‌‌‌ରେ ବିକ୍ରିରୁ ସେମାନେ ବଞ୍ଚିତ ହେବେ। ଏହାଦ୍ବାରା ଶିଳ୍ପପତି ଓ ପୁଞ୍ଜିପତିମାନେ ଲାଭବାନ ହେବା ବେଳେ କୃଷକମାନଙ୍କର ଜମି ଉପରେ ଅଧିକାର କ୍ଷୁଣ୍ଣ ହେବ। ବିଜେପି ନେତୃତ୍ବ ମୋଦି ସରକାର ଚାଷୀମାନଙ୍କୁ ପ୍ରତାରିତ କରିଛନ୍ତି। ଏପରିକି ରାଷ୍ଟ୍ରପତି ଗତକାଲି ତରବରିଆ ଭାବେ ତିନୋଟି ବିଲକୁ ଆଇନରେ ପରିଣତ କରିବା କୋଟି କୋଟି ଚାଷୀଙ୍କୁ ଗଭୀର ଦୁଃଖ ଦେଇଛି ବୋଲି ପିସିସି ପକ୍ଷରୁ କୁହାଯାଇଛି।

Advertisment

ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ବରେ ପିସିସିର ୫ଜଣିଆ ପ୍ରତିନିଧି ଦଳ ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ, ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ୍, ରମେଶ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନକୁଳ ନାୟକ, ବରିଷ୍ଠ ନେତା ଗଣେଶ୍ବର ବେହେରା, ଜଗନ୍ନାଥ ପଟ୍ଟନାୟକ, ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ସମେତ ପ୍ରମୁଖ ନେତା ଓ କର୍ମୀ ସାମିଲ ହୋଇଥିଲେ।