ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ର ଅଧ୍ୟକ୍ଷ ପରିବର୍ତ୍ତନ ନେଇ କଂଗ୍ରେସ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବର୍ଷେ ତଳେ ଗଠିତ ହୋଇଥିବା ମିଡିଆ ସେଲ୍ରେ ୨୭ ସଦସ୍ୟ ଥିବା ବେଳେ ତହିଁରୁ କିଛି ସଦସ୍ୟ ଖୁବଶୀଘ୍ର ଏହି କମିଟିରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଦସ୍ତଖତରେ ଗଣମାଧ୍ୟମକୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ପିସିସି ମିଡିଆ ସେଲ୍ର ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ବଦଳରେ ବିଶ୍ବରଂଜନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ କମିଟି ଭଙ୍ଗ ହୋଇଥିବା କୁହାଯାଇନାହିଁ। ତେଣୁ ପୂର୍ବଭଳି ଏହି କମିଟି କାର୍ଯ୍ୟ କରିବ ନା ବିଶ୍ବରଂଜନ ନିଜର କମିଟି ଗଢ଼ିବେ ତାହାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ମାତ୍ର ଶ୍ରୀ ମହାନ୍ତି ନୂଆ କମିଟି ଗଢ଼ିବା ନେଇ ସଙ୍କେତ ଦେଇଛନ୍ତି। ହେଲେ ଏଭଳି ପରିବର୍ତ୍ତନକୁ ନେଇ ବର୍ତ୍ତମାନ ପିସିସି ମିଡିଆ ସେଲ୍ର କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେମାନେ ନିଜ ଆଡ଼ୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।
ସେମାନଙ୍କ କହିବା କଥା ଯେ ଯେଉଁ ଢଙ୍ଗରେ ଅଧ୍ୟକ୍ଷ ପରିବର୍ତ୍ତନ କରାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ କୌଣସି କମିଟି ପରିବର୍ତ୍ତନ କରାଗଲେ ଏଥିରେ ସ୍ପଷ୍ଟ ଭାବେ ପୂର୍ବ କର୍ମକର୍ତ୍ତାଙ୍କ କାର୍ଯ୍ୟ ସଂପର୍କରେ କିଛି ଉଲ୍ଲେଖ କରାଯାଏ। ହେଲେ ଗଣମାଧ୍ୟମକୁ ଜାରି ଚିଠିରେ ସେଭଳି କିଛି ଉଲ୍ଲେଖ ନାହିଁ। ଏହାସହ ଯେଉଁ ଦୁଇ ଦୁଇଟି ଚିଠି ଜାରି ହୋଇଛି ତାହାକୁ ନେଇ ଦଳରେ ଏକପ୍ରକାର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପ୍ରଭାରୀ କିମ୍ବା ଏଆଇସିସି ଏହା ସଂପର୍କରେ ସ୍ପଷ୍ଟ ସୂଚନା ରଖିବା ଆବଶ୍ୟକ। ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବା କାରଣରୁ ପରବର୍ତ୍ତୀ ସମୟରେ ଏହା ଉପରେ ପଦକ୍ଷେପ ନିଆଯିବ।
ଅପରପକ୍ଷରେ ମିଡିଆ ସେଲ କମିଟିରୁ ଏଭଳି ଇସ୍ତଫାକୁ ନେଇ ସବୁ ସଦସ୍ୟଙ୍କ ଭିତରେ ସହମତି ହୋଇପାରିନାହିଁ। ଅନେକ ମଧ୍ୟ ଏହାର ବିରୋଧ କରିଛନ୍ତି। ଜଣେ ବରିଷ୍ଠ ସଦସ୍ୟଙ୍କ କହିବା କଥା ଯଦି ନବନିଯୁକ୍ତ ଅଧ୍ୟକ୍ଷ ନିଜର ଟିମ୍ ବଦଳାଇବାକୁ ଚାହିଁବେ ଓ ପୁରାତନ ସଦସ୍ୟଙ୍କ ବଦଳରେ ଆଉ କାହାକୁ ନିଯୁକ୍ତ କରିବେ ତାହା ତାଙ୍କର ଇଚ୍ଛାଧୀନ। ଯେହେତୁ ଏହି କମିଟକୁ ଏଆଇସିସି ଅନୁମତି ଦେଇଥିଲା ତେଣୁ ଆଗୁଆ ଇସ୍ତଫା ଦେବା ଠିକ୍ ନୁହେଁ। ନିର୍ବାଚନ ଆଉ କମ୍ ଦିନ ରହିଥିବାରୁ ଖୁବଶୀଘ୍ର ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏପ୍ରିଲ ୨୪ ତାରିଖରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓପିସିସ ମିଡିଆ ସେଲ୍ର ଅଧ୍ୟକ୍ଷ ଭାବେ ଗଣେଶ୍ବର ବେହେରାଙ୍କୁ ନିଯୁକ୍ତ କରିଥିଲେ। ମିଡିଆ ସେଲ୍ର ୨୭ଜଣିଆ କମିଟିରେ ପଞ୍ଚାନନ କାନୁନ୍ଗୋ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦେବଶିଷ ପଟ୍ଟନାୟକ, ଧରଣୀଧର ନାୟକ, ବିଭୂତି ଭୂଷଣ ମିଶ୍ର, ପଦ୍ମାକର ଗୁରୁ, ଅମୀୟ ପାଣ୍ଡବଙ୍କ ଭଳି ବରିଷ୍ଠ ଓ ଯୁବ ଚେହେରାଙ୍କୁ ଏଥିରେ ସ୍ଥାନ ମିଳିଥିଲା।