ସରକାରଙ୍କର କଣ୍ଟ୍ରାକ୍ଟର୍‌ ପ୍ରୀତି ଏତେ କାହିଁକି?: ପିସିସି ସଭାପତି

ମୃତ ବ୍ୟକ୍ତି ଓ ଆହତଙ୍କୁ ଅନୁକମ୍ପା ପ୍ରଦାନ ନ ହେବା ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ନିର୍ମାଣଧୀନ ବିଲ୍‌ଡିଂର ଛାତ ଭୁଶୁଡ଼ିବା ଘଟଣାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ନରସିଂହପୁର ଅଞ୍ଚଳର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଛନ୍ତି। ଏହାସହିତ ୩ ଦିନ ପରେ ବି ମୃତକଙ୍କ ପରିବାର ଓ ଆହତଙ୍କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ରାଶି ପ୍ରଦାନ କରି ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ଏଭଳି ଦୁର୍ଘଟଣା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଇତିହାସରେ କେବେ ବି ହୋଇନଥିଲା। ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍‌ଡିଂ ସବୁଠାରୁ ବଡ଼ ପ୍ରକଳ୍ପ। ରାଜ୍ୟର ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ତାଙ୍କ ପରିବାର ବୋଲି ବାରମ୍ବାର କହି ବୁଲୁଛନ୍ତି। ମୃତକ ଶ୍ରୀ ଗୁରୁ ଏବଂ ଦୁର୍ଘଟଣାରେ ଗଭୀର ଆଘାତପ୍ରାପ୍ତ ଢେଙ୍କାନାଳର ନବକିଶୋର ସ୍ବାଇଁ କଣ ମୁଖ୍ୟମନ୍ତ୍ରୀଙ୍କ ପରିବାରର ନୁହନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

କେତେଗୁଡ଼ିଏ ମୌଳିକ ପ୍ରଶ୍ନ ଉତ୍‌ଥାପନ କରି ପିସିସି ସଭାପତି କହିଥିଲେ, କେନ୍ଦ୍ର ସରକାରଙ୍କ ସିପିଡବ୍ଲ୍ୟୁଡି ମାଧ୍ୟମରେ ଠିକା ଦିଆଯାଇଥିବା କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନିର ଆନ୍ତର୍ଜାତିକ ବିମାନବନ୍ଦର ବିଲଡିଂ ନିର୍ମାଣ କରିବାର ପୂର୍ବରୁ ଦକ୍ଷତା ଥିଲା କି? ଏସଂପର୍କିତ ପ୍ରମାଣ ପତ୍ର ଟେଣ୍ଡର ଅଂଶଗ୍ରହଣ ବେଳେ ଠିକା କମ୍ପାନି ଦାଖଲ କରିଥିଲେ କି? କାହା ନିର୍ଦ୍ଦେଶରେ ବାଉଁଶ ଓ ବହ୍ଲା ମାଧ୍ୟମରେ କାମ ହେଉଥିଲା ଏବଂ ସିପିଡବ୍ଲ୍ୟୁଡି ଇଞ୍ଜିନିୟର ଓ ଏୟାରପୋର୍ଟ ଅଧିକାରୀମାନେ ଏଭଳି ନିମ୍ନମାନର କାମକୁ ବନ୍ଦକରିବା ପରିବର୍ତ୍ତେ ଆଖି ବୁଜି ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଏହି ଠିକା କମ୍ପାନିକୁ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାମ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ଠିକା ପ୍ରଦାନ କରିଛନ୍ତି। ଏଭଳି ଠିକାକମ୍ପାନିକୁ ପ୍ରଦାନ କରାଯାଇଥିବା ସମସ୍ତ କାମ ବନ୍ଦ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଏହାକୁ କଳାତାଲିକାଭୁକ୍ତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର