ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ‘ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ଉପରେ କିଛି ନାହିଁ’: ପିସିସି ସଭାପତି

ମହାପ୍ରଭୁଙ୍କ କଲେ ଦର୍ଶନ, ଜୁଲାଇ ପୂର୍ବରୁ ସରିବ ସାଂଗଠନିକ କର୍ମକର୍ତ୍ତା ଚୟନ

ପୁରୀ: ଆମେ ବିକାଶକୁ ବିରୋଧ କରୁନୁ। ଏହାର ମାନେ ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତିକୁ ଦଳିଚକଟି ଦେବା। ଏହା ସପକ୍ଷରେ କଂଗ୍ରେସ କେବେ ବି ରହିନି କି ରହିବନି। ଯିଏ ଶ୍ରୀଜଗନ୍ନାଥଙ୍କ ସହ ଖେଳ ଖେଳୁଛନ୍ତି ଏବଂ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ପାରୁନାହାନ୍ତି, ସେ ଆଦୌ ଗ୍ରହଣଯୋଗ୍ୟ ନୁହନ୍ତି। ଯାହା କାମ ହେଉଛି ଆଇନ ଭିତରେ ହେଉ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି, ତା’ଠାରୁ ବଡ଼ ମନ୍ତବ୍ୟ ଅନ୍ୟ କିଛିନାହିଁ। ଖୁବ୍‌ଶୀଘ୍ର କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଆସିବ। ଆଜି ପୁରୀ ଗସ୍ତବେଳେ ଏଭଳି ମନ୍ତବ୍ୟ ରଖିଛନ୍ତି ନବନିର୍ବାଚିତ ପିସିସି ସଭାପତି ଶରତ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆଜି ପୁରୀରେ ପହଞ୍ଚିବା ପରେ ବାଟମଙ୍ଗଳାଠାରୁ ତାଙ୍କୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ କର୍ମକର୍ତ୍ତାଙ୍କ ଗହଣରେ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିରଠାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦାୟିତ୍ବ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ କୃପାଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଦଳୀୟ ନେତାଙ୍କ ସହ ସାଂଗଠନିକ ଦାୟିତ୍ବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପୁରୀ ଜିଲ୍ଲା ସଭାପତି, ବ୍ଲକ୍‌ ସଭାପତି ଚୟନ ନେଇ ଦଳୀୟ ନେତାଙ୍କ ଆବଶ୍ୟକ ପରାମର୍ଶ ଲୋଡ଼ିଛନ୍ତି। ଅନ୍ୟପଟେ ରାଜ୍ୟରେ ସବୁ ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ଚୟନ ଜୁଲାଇ ଭିତରେ ସରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ସରକାର ୨ଲକ୍ଷ ଯୁବକଙ୍କୁ ଚାକିରି ଓ ଜଳସେଚନ ଆଦିର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ସ୍ବପ୍ନ ପାଲଟିଛି। ବିଜେପି ସରକାର ଯେଉଁ ଅଚ୍ଛାଦିନ କଥା କହୁଥିଲା, ତା’ ବି ଛଳନା ପାଲଟିଛି। ଦରଦାମରେ ଅହେତୁକ ବୃଦ୍ଧି ଘଟିଛି। ୨୦୨୪ରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, ପିସିସି ମୁଖପାତ୍ର ବିନାୟକ ଦାସମହାପାତ୍ର, ରାଜେଶ ମିଶ୍ର, ସୁକାନ୍ତ ମିଶ୍ର, ବିଷ୍ଣୁ ମିଶ୍ର, ବିଦୁଲତା ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ବିଶ୍ବକେଶନ ହରିଚନ୍ଦନ, ଜିଲ୍ଲା ଯୁବ କଂଗ୍ରେସର ବିଶ୍ବନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ ପଣ୍ଡା, ନିରୁପମା ପାତ୍ର, ସୁଜିତ ମହାପାତ୍ର, ଉମାକାନ୍ତ ବରାଳ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର