ବାଙ୍କୀ ଡବଲ ମର୍ଡର : କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କଲେ ପିସିସି ସଭାପତି

ରାଜନୈତିକ ଆକ୍ରୋଶରୁ ହତ୍ୟା କରାଯାଇଛି, ବିଜେଡି ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି

ଭୁବନେଶ୍ବର : ରାଜନୈତକ ଆକ୍ରୋଶ ରଖି ବିଜେଡି ନେତାମାନଙ୍କ ପ୍ରରୋଚନାରେ ବାଙ୍କିର ଜଣେ କଂଗ୍ରେସ କର୍ମୀ ଓ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖରେ ବାଙ୍କି ନିର୍ବାଚନମଣ୍ଡଳୀର ଖଜୁରପଦା ଗ୍ରାମ (ନୂଆଗାଁ) ପଞ୍ଚାୟତ ଠାରେ କଂଗ୍ରେସ କର୍ମୀ ଭଗବାନ ସ୍ବାଇଁ ଓ ସାମ୍ବାଦିକ ଆଦିତ୍ୟ ରଣ ସିଂହଙ୍କୁ ବିଜୁ ଜନତା ଦଳର କର୍ମୀମାନେ ସଂଘବଦ୍ଧ ଭାବେ ଦିନ ଦ୍ବିପହରରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଜି ସ୍ଥାନୀୟ ପିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ବିଜେଡିର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପଦାରେ ପକାଇବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିବା ସହ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ନେଇ କଂଗ୍ରେସ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ବର୍ଗତଃ ଭଗବାନ ସ୍ବାଇଁ ଯିଏକି କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ସ୍ବାମୀ ଓ ଆଗାଧାଡ଼ିର ଦଳୀୟ ନେତା ଥିଲେ, ତାଙ୍କ ମୃତ୍ୟକାଳୀନ ଜମାନବନ୍ଦୀରେ ୮ରୁ ୯ ଜଣଙ୍କ ନାମ କହୁ କହୁ ଛଟପଟ ହୋଇ ପ୍ରାଣ ହରାଇଲେ। ଯାହାର ଭିଡିଓ ମଧ୍ୟ ଅଛି। ପାରିପାର୍ଶ୍ବିକ ସ୍ଥିତିରୁ ଜଣାଯାଏ, ୧୮ରୁ ୨୦ ଜଣ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି। ଏହି ହତ୍ୟାକାଣ୍ଡ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଏକ କଳଙ୍କିତ ଉଦାହରଣ ସୃଷ୍ଟି କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାର ମନ୍ତ୍ର ଓ ଗୁଣଗାନ କରୁଥିବାବେଳେ ଏହାକୁ ସମ୍ବିଧାନିକ ସ୍ବୀକୃତି ଦେବାକୁ ଦାବି କରୁଛନ୍ତି। ଅନ୍ୟପଟେ ତାଙ୍କ କର୍ମୀମାନେ ଜଣେ ୨୩ ବର୍ଷିୟା ମହିଳାର ମଥାରୁ ସିନ୍ଦୂର ଲିଭାଇଦେବା ସହ ତାର ୩ ବର୍ଷର ଶିଶୁପୁତ୍ରକୁ ବାପଛେଉଣ୍ଡ କରିଦେଇଛନ୍ତି। ଖାଲି ସେତିକି ନୁହେଁ; ଏ ସରକାରର ବଡ଼ବଡ଼ ନେତାମାନେ ପରକୀୟା ପ୍ରୀତି ରଖି ମା’ ଓ ନାବାଳିକା ଝିଅକୁ ହତ୍ୟା କରି ଗାଡ଼ି ଚଢ଼ାଇ ହତ୍ୟାର ରହସ୍ୟକୁ ଲୁଚାଇବାକୁ ଅପଚେଷ୍ଟା କରିଛନ୍ତି।

ବାଙ୍କି ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ପିସିସି ସଭାପତି ଦାବି କରିଛନ୍ତି। ଏଥିରେ ବିଜେଡି ନେତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବାରୁ ତଦନ୍ତ ହେଲେ ପ୍ରକୃତ ସତ କଥା ପଦାକୁ ଆସିବ। କାରଣ ବିଜେ଼ଡି ନେତାମାନେ କ୍ଷମତାର ଦୁରୁପଯୋଗ କରି ଅନେକ ସ୍ଥାନରେ ଏହିପରି ଅନେକ ଘଟଣା ଘଟାଇ ଚାଲିଛନ୍ତି। ଘଟଣାସ୍ଥଳକୁ ପିସିସି ସଭାପତିଙ୍କ ନେତୃତ୍ବରେ ଗତ ୧୭ ତାରିଖରେ ଏକ ଟିମ୍‌ ଗସ୍ତ କରିଥିଲା। ଟିମ୍‌ରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଯଜ୍ଞେଶ୍ବର ବାବୁ, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଜି.ରୁଦ୍ର ରାଜୁ, କଂଗ୍ରେସ ନେତା ଜ୍ଞାନ ବେଉରା ପ୍ରମୁଖ ସାମିଲ ଥିଲେ। ଘଟଣା ପରେ ସେହି ଗାଁର ହଜାର ହଜାର ଲୋକ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଘଟଣାରେ ପୁଲିସ ଯଦି ଜାଣିଶୁଣି ପଦକ୍ଷେପ ନେବାରେ ବିଳମ୍ବ କରନ୍ତି କିମ୍ବା ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରନ୍ତି ତା ହେଲେ ଲୋକେ ମୁଖ୍ୟମନ୍ତ୍ରୀ ଓ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର