ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପାଇଁ ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ହଲ୍ଚଲ୍ ଆରମ୍ଭ ହୋଇଛି। ଫୋନ୍ ଜରିଆରେ କଂଗ୍ରେସ କର୍ମୀଙ୍କଠାରୁ ମତାମତ ସଂଗ୍ରହ କରାଯାଉଥିବା ଚର୍ଚ୍ଚା ଚାଲିଛି। ସଭାପତି ପାଇଁ ୩ଟି ନାଁ ଓ ଚଳିତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପଛର କାରଣ ପଚରାଯାଉଛି। ତେବେ ଏଭଳି ଫୋନ୍ କଲ୍କୁ ନେଇ ଦଳ ଏବେ ଦୁଇ ଭାଗ। କେହି କେହି ଏଭଳି କଲ୍ ଏଆଇସିସିରୁ ଆସୁଥିବା କହୁଥିବା ବେଳେ ଅନ୍ୟମାନେ ପ୍ରଭାରୀ ଅଜୟ କୁମାରଙ୍କ ଏକ ଟିମ୍ ଏଭଳି ତଥ୍ୟ ସଂଗ୍ରହ କରୁଥିବା କହୁଛନ୍ତି। ଏସବୁ ଭିତରେ କେବେସୁଦ୍ଧା ପ୍ରକ୍ରିୟା ଶେଷ ହୋଇ ସଭାପତିଙ୍କ ନାମ ଘୋଷଣା ହେବ ତାହା ନେଇ କିଛି ସ୍ପଷ୍ଟତା ନାହିଁ।
ସୂଚନା ଅନୁସାରେ, ଏହାଭିତରେ କିଛି ସଦସ୍ୟଙ୍କୁ ଫୋନ୍ କଲ୍ ଆସିଛି। ଏଥିରେ ସଭାପତି ଭାବେ ଶ୍ରୀକାନ୍ତ ଜେନା, ଶରତ ରାଉତ ଓ ମହମ୍ମଦ ମୋକିମ୍ଙ୍କ ନାମ ପ୍ରସ୍ତାବ ରହିଛି। ଏମାନଙ୍କ ମଧ୍ୟରୁ କାହାକୁ ଦାୟିତ୍ବ ଦେଲେ ଦଳ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ତାଙ୍କ ନାମ କହିବାକୁ କୁହାଯାଉଛି। ସେହିପରି ୨୦୨୪ ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପଛର ପ୍ରମୁଖ କାରଣ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଏଭଳି କଲ୍ କିଏ କରୁଛି ଓ ଏହା ପଛର ଉଦ୍ଦେଶ୍ୟ କ’ଣ ତାହା ଦଳୀୟ କର୍ମୀ ଓ ନେତାଙ୍କୁ ଦ୍ବନ୍ଦ୍ବରେ ପକାଇଛି।
ପିସିସି ଷ୍ଟିୟରିଂ କମିଟିର ଜଣେ ସଦସ୍ୟ କହିଛନ୍ତି, ପୂର୍ବରୁ ଏଭଳି ଢଙ୍ଗରେ ଓଡ଼ିଶାରେ ସଭାପତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ହୋଇନାହିଁ। ଓଡ଼ିଶାର ପରବର୍ତ୍ତୀ ସଭାପତି କିଏ ହେବ ତାଙ୍କ ସଂପର୍କରେ ଏଆଇସିସି ତଥ୍ୟ ସଂଗ୍ରହ କରିସାରିଛନ୍ତି। ଅନେକ ନେତା ମଧ୍ୟ ଦିଲ୍ଲୀରେ ଏଆଇସିସି ସଭାପତି ଓ ଅନ୍ୟମାନଙ୍କୁ ଭେଟୁଛନ୍ତି। ତେଣୁ ଫୋନ୍ରେ ମତାମତ ସଂଗ୍ରହ କରିବା ପ୍ରକ୍ରିୟା ମୂଲ୍ୟହୀନ। ଏହା ଏଆଇସିସିର କାର୍ଯ୍ୟ ହୋଇ ନ ପାରେ। ଓଡ଼ିଶା କଂଗ୍ରେସରେ ଦୀର୍ଘଦିନରୁ ଏକାଧିକ ଗୋଷ୍ଠୀ କାର୍ଯ୍ୟ କରୁଛି। ତେଣୁ ସଂପୃକ୍ତ କର୍ମୀ ଜଣକ ଫୋନ୍ରେ ନିଜ ଗୋଷ୍ଠୀ ସଂପର୍କରେ ମତ ଦେଇପାରନ୍ତି। ସଭାପତି ଘୋଷଣାକୁ ବିଳମ୍ବିତ କରିବା ଲାଗି ଏଭଳି ଏକ ପ୍ରକ୍ରିୟା ଅବଲମ୍ବନ କରାଯାଉଛି। ମାତ୍ର ଆସନ୍ତାକାଲି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ପରେ ଖୁବଶୀଘ୍ର ଏଆଇସିସି ଓଡ଼ିଶା ସଂପର୍କରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ଜୁଲାଇ ୨୧ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଭାଙ୍ଗିବା ପରେ ଦଳରେ କେହି ମୁରବି ନାହାନ୍ତି। ଓଡ଼ିଶା ପାଇଁ ଗଠନ ହୋଇଥିବା ପିସିସି ଷ୍ଟିୟରିଂ କମିଟିର ପ୍ରଥମ ବୈଠକରେ ପ୍ରଭାରୀ ଅଜୟ କୁମାର ଦେଢ଼ ମାସ ଭିତରେ ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ବୋଲି କହିଥିଲେ। ହେଲେ ଏହି ପ୍ରକ୍ରିୟା ଶେଷ ହୋଇପାରିଲା ନାହିଁ। ଏକାଧିକ ବରିଷ୍ଠ ନେତା ଏଆଇସିସିକୁ ପତ୍ର ଲେଖି ତୁରନ୍ତ ସଭାପତି ଘୋଷଣା କରିବା ଲାଗି ଅନୁରୋଧ କରିସାରିଲେଣି। ଅନ୍ୟ ରାଜ୍ୟରେ ଏଆଇସିସି ପକ୍ଷରୁ ସଭାପତି ଘୋଷଣା ହୋଉଥିବା ବେଳେ ଓଡ଼ିଶାକୁ ସଂପୂର୍ଣ୍ଣ ଅବହେଳା କରାଯାଉଛି। ଫଳରେ ଓଡ଼ିଶା କଂଗ୍ରେସ ଦୀଶାହୀନ ହୋଇପଡ଼ିଛି। ଆସନ୍ତାକାଲି ହରିୟାଣା ଓ ଜମ୍ମୁ- କଶ୍ମୀର ନିର୍ବାଚନ ଫଳାଫଳ ଘୋଷଣା ହେବ। ହରିୟାଣାରେ କଂଗ୍ରେସ ଶାସନ କ୍ଷମତାକୁ ଫେରୁଥିବା ବେଳେ ଜମ୍ମୁ ଓ କଶ୍ମୀରରେ ଆଗରେ ରହିବ ବୋଲି ବୁଥ ବାହୁଡ଼ା ମତରେ କୁହାଯାଇଛି। ତେଣୁ ନିର୍ବାଚନ ଫଳାଫଳ ଘୋଷଣା ପରେ ଓଡ଼ିଶା ସଭାପତି ଘୋଷଣା ହୋଇପାରେ ବୋଲି ଅନେକ ମତ ଦେଉଛନ୍ତି।