ଛିଣ୍ଡୁନି ପିସିସି ସଭାପତି ଅଙ୍କ : ଏଆଇସିସି ଚିନ୍ତନ ବୈଠକ ପରେ ଘୋଷଣା ହୋଇପାରେ ନିଷ୍ପତ୍ତି

ଭୁବନେଶ୍ବର : ଓଡ଼ିଶା ପିସିସିର ମଙ୍ଗ କିଏ ଧରିବ। ବରିଷ୍ଠ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଭେଟିଥିବା କଂଗ୍ରେସ ନେତାଙ୍କ ମଧ୍ୟ‌ରୁ କିଏ ନା ଦଳ ବାହାରୁ ଆଉ କାହାକୁ ଭରସା କରିବ କଂଗ୍ରେସ ହାଇକମାଣ୍ଡ। ନେତାମାନେ ନିଜ ନିଜର ମତ ରଖିଥିଲେ ହେଁ, ହାଇକମାଣ୍ଡ ତାଙ୍କ କଥା ରଖିବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ପିସିସି ପରିବର୍ତନ ନେଇ ଦୁଇଦିନ ତଳେ ରାହୁଳଙ୍କ ସହ କଂଗ୍ରେସ ନେତୃବୃନ୍ଦଙ୍କ ଆଲୋଚନା ପରେ ଏଭଳି ଚର୍ଚା ଜୋର ଧରିଛି। ସାମାଜିକ ଗଣମାଧ୍ୟମରେ ଏକାଧିକ ବ୍ୟକ୍ତିଙ୍କ ନାଁ ଚର୍ଚାକୁ ଆସିବା ଓ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ଆଗରେ କଂଗ୍ରେସ ନେତାଙ୍କ ବୟାନ ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ କମାଇବା ପରିବର୍ତେ ଆହୁରି ବଢ଼ାଇ ଦେଇଛି। ତେବେ ଜୟପୁରରେ ହେବାକୁ ଥିବା ଏଆଇସିସିର ଚିନ୍ତନ ବୈଠକ ପରେ ହିଁ ଏ ସଂକ୍ରାନ୍ତରେ କୌଣସି ଠୋସ୍ ନିଷ୍ପତ୍ତି ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

୧୦ରୁ ଅଧିକ ପିସିସି ସଭାପତି ପାଇଁ ଆଶାୟୀ : ସୁର
ନାଁ ସୁପାରିସ କରିନାହିଁ, ମିଳିଲେ ଛାଡ଼ିବିନି-ତାରା

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇ ସାରିଥିବାରୁ ପରବର୍ତୀ ସଭାପତି ପାଇଁ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର ଗତମାସରେ ଓଡ଼ିଶା ଆସିଥିଲେ। ଦୁଇଦିନ ଧରି ବିଧାୟକ, ବରିଷ୍ଠ ନେତା ଓ ଜିଲ୍ଲା ସଭାପତିଙ୍କ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡଙ୍କୁ ଏ ସଂପର୍କିତ ରିପୋର୍ଟ ଦେଇଥିଲେ। ପରେ ଗତ ୯ତାରିଖରେ କଂଗ୍ରେସ ନେତାମାନଙ୍କୁ ଦିଲ୍ଲୀ ଡକାଇଥିଲେ ରାହୁଳ ଗାନ୍ଧୀ। ଦିଲ୍ଲୀରେ ନେତାମାନଙ୍କ ସହିତ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ ରାହୁଳ। କାହା ସହ ୫ ମିନିଟ୍‌ ଆଉ କାହା ସହ ୧୦ମିନିଟ୍। ତେବେ ପିସିସି ସଭାପତି ପାଇଁ ରାହୁଳଙ୍କ ଆଗରେ କିଏ ନିଜ ନାଁକୁ ସୁପାରିସ କରିଥିଲା ତ ଆଉ କିଏ ଅନ୍ୟ ଜଣଙ୍କ ନାଁ। ଏବେ କିନ୍ତୁ ସବୁକିଛି ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ରହିଛି। କାହାକୁ ପରବର୍ତୀ ପିସିସି ସଭାପତି ଘୋଷଣା କରାଯିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ପିସିସି ସଭାପତି ପାଇଁ ଏକାଧିକ ବ୍ୟକ୍ତିଙ୍କ ନାଁ ଚର୍ଚାକୁ ଆସିଛି। କେହି କେହି ନିଜ ଛଡ଼ା ଆଉ କାହା ନାଁକୁ ସୁପାରିସ କରିଛନ୍ତି। ମାତ୍ର ମୋ ନାଁ ସଭାପତି ପାଇଁ ସୁପାରିସ କରିନାହିଁ। କିନ୍ତୁ ସୁଯୋଗ ମିଳିଲେ ଛାଡ଼ିବିନି। ରାଜ୍ୟରେ କଂଗ୍ରେସ କିଭଳି ମଜଭୁତ ହୋଇପାରିବ ତାହା ସଂପର୍କରେ ରାହୁଳଙ୍କ ସହିତ ଆଲୋଚନା କରିଥିଲି। ଓଡ଼ିଶାରେ ଦଳର ସଂଗଠନ ଭୁଶୁଡ଼ି ପଡ଼ିଛି। ନେତାଙ୍କ ଭିତରେ ଶୃଙ୍ଖଳା ନାହିଁ। ତେଣୁ ସମସ୍ତେ କିଭଳି ମିଳି ମିଶି କାମ କରିବା ସହିତ ଦଳରେ ଶୃଙ୍ଖଳା ରହିବ ତାହା ନେଇ ପ୍ରସ୍ତାବ ରଖିଥିଲି। ତେବେ ନୂଆ ସଭାପତି କେବେ ଘୋଷଣା ହେବ ତାହା କହିହେବ ନାହିଁ। ତେବେ ରାହୁଳ ଗାନ୍ଧୀ ହିଁ ନିଷ୍ପତ୍ତି ନେବେ ବୋଲି ତାରା ସୂଚନା ଦେଇଛନ୍ତି।

ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଦିଲ୍ଲୀ ଯାଇଥିବା ୧୭ଜଣ ନେତାଙ୍କ ମଧ୍ୟରୁ ୧୦ଜଣଙ୍କ ନାମ ପିସିସି ସଭାପତି ପାଇଁ ଚର୍ଚାକୁ ଆସିଛି। ହେଲେ ମତେ ସଭାପତି ପାଇଁ ଇଚ୍ଛୁକ ବୋଲି ରାହୁଳ ପଚାରିଥିଲେ ହେଁ ମୁଁ ମନା କରି ଦେଇଥିଲି। ଜଣେ ନିର୍ବିବାଦୀୟ ଓ ସଚ୍ଚୋଟ ବ୍ୟକ୍ତିଙ୍କୁ ସଭାପତି କରାଯାଉ ବୋଲି ମତ ରଖିଛି। କିନ୍ତୁ ଯିଏ ବି ସଭାପତି ହୁଅନ୍ତି ଜଲ୍‌ଦି ତାଙ୍କ ନାଁ ଘୋଷଣା କରାଯାଉ। ଏହାସହ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ମଜଭୁତ କରିବା ପାଇଁ ୪ କାର୍ଯ୍ୟକାରୀ ସଭାପତି, ୮ ଉପ-ସଭାପତି, ୧୦ ସଂପାଦକ ନିଯୁକ୍ତ କରି ଉତ୍ତରଦାୟୀ କରାଯାଉ ବୋଲି ସୁର କହିଛନ୍ତି।

ସମ୍ବନ୍ଧିତ ଖବର