ଭୁବନେଶ୍ବର: ଗତମାସ ୨୭ ତାରିଖରେ କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୁଲିସ ଦ୍ୱାରା ଏକାଧିକ କର୍ମୀ ଓ ଛାତ୍ର ନେତା ଗିରଫ ହୋଇ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଅଛନ୍ତି। ଆଜି ପିସିସି ସଭାପତି ଓ ଅନ୍ୟ ନେତୃବୃନ୍ଦ ସେମାନଙ୍କୁ ଜେଲ୍‌ରେ ଭେଟି ଆଲୋଚନା କରିଛନ୍ତି। କର୍ମୀଙ୍କୁ ଭେଟିବା ପରେ ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି, ଅଗଣତାନ୍ତ୍ରିକ ଭାବେ ଗିରଫ ହୋଇଥିବା ଛାତ୍ର ଓ କଂଗ୍ରେସ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କୁ ଭେଟିବାକୁ ଆସିଥିଲୁ। ଛାତ୍ର କଂଗ୍ରେସକୁ ଦୁର୍ବଳ କରିବାକୁ ଏଭଳି ଷଡ୍‌ଯନ୍ତ୍ର ହୋଇଛି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମ ବିରୋଧରେ କଂଗ୍ରେସ ସତ୍ୟାଗ୍ରହ କରିଥିଲା। ରାଜନୈତିକ ଆକ୍ରୋଶ ରଖି ଏଭଳି ଗିରଫଦାରୀ ହୋଇଛି। ପୁଲିସର ଏଭଳି କାର୍ଯ୍ୟକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି। ରାଜ୍ୟର ସମସ୍ୟାକୁ ନେଇ ଯେତେବେଳେ ଗଣବିପ୍ଳବ ହେବ ଓ ଲକ୍ଷ ଲକ୍ଷ ଏଥିରେ ସାମିଲ ହେବେ, ସେତେବେଳେ ଜେଲ୍‌ରେ ଜାଗା ମିଳିବ ନାହିଁ। 

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ପିପିଲି ନୁହେଁ, ରାଜ୍ୟରେ ୬୪ ହଜାର ମହିଳା ନିଖୋଜ ଅଛନ୍ତି। ପୁଲିସକୁ ବ୍ୟବହାର କରି ସରକାର ଏଗୁଡ଼ିକୁ ରୋକିବା କଥା। କିନ୍ତୁ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏହା ଉପରେ ପଦକ୍ଷେପ ନେଉନାହାନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାମମନ୍ଦିର ଶିଶୁ ଚୋର ଧରାପଡ଼ିଲା ବୋଲି କୁହାଯାଉଛି, ତେବେ ତଦାରଖ କରି ୧୦ ହଜାର ନିଖୋଜଙ୍କୁ ଉଦ୍ଧାର କରାଯାଉ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ସୁଧାଂଶୁ ଦେଓ, ରଞ୍ଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ମନୋଜ ବିଶ୍ୱାଳ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଛାତ୍ର ନେତାମାନଙ୍କୁ ଭେଟିଥିଲେ।