ବଦଳିବେନି ନିରଞ୍ଜନ

ସବୁ କମିଟି ଭାଙ୍ଗିଲା, କାର୍ଯ୍ୟକାରୀ ସଭାପତି ରହିବେ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ବଦଳିବେ ନାହିଁ ବୋଲି ଏଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ଦୁଇ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଓ ପ୍ରଦୀପ ମାଝୀ ମଧ୍ୟ ଅପରିବର୍ତ୍ତିତ ରହିବେ। ତେବେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିଦେବା ସହ ସବୁ କର୍ମକର୍ତ୍ତାଙ୍କୁ ନିଜ ନିଜ ପଦରୁ ଅପ୍‌ସାରଣ କରିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦେଇଛନ୍ତି।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନିଜେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପରାଜୟ ପାଇଁ ନୈତିକ ଦାୟିତ୍ବ ନେଇ ଇସ୍ତଫା ପ୍ରଦାନ କରିଥିବା ସୂଚନା ଦେଇଥିଲେ। କିନ୍ତୁ ତାଙ୍କ ଇସ୍ତଫା ଗୃହୀତ ହୋଇ ନ ଥିଲା।

ସୂଚନାଯୋଗ୍ୟ ‌େଯ ୨୦୧୮ ଏପ୍ରିଲ୍‌ ମାସରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ମନୋନୀତ କରାଯାଇଥିଲା। ତାଙ୍କ ସହ ତିନି ଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ, ପ୍ରଦୀପ ମାଝୀ ଓ ନବ ଦାସଙ୍କୁ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ଦାସ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର