ଓପିଜିସି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶଂସା କଲେ ପିସିସି ସଭାପତି

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷ ପରେ ଓଡ଼ିଶା ସ୍ବାର୍ଥ ପାଇଁ ସରକାର ଗୋଟିଏ ଭଲ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଉତ୍ପାଦନକାରୀ କମ୍ପାନି ଓପିଜିସିର ସମସ୍ତ ଅଂଶଧନ ନିଜ ଅକ୍ତିଆରକୁ ଆଣିବା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ପ୍ରଶଂସା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ନିଜସ୍ବ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନଥିଲେ। ଏତେଦିନ ପରେ ସରକାରଙ୍କ ବୁଦ୍ଧି ଉଦୟ ହେଲା ଓ ଓପିଜିସିର ୪୯% ଅଂଶଧନକୁ ୧ ହଜାର କୋଟିରେ କିଣିବା ପାଇଁ ସ୍ଥିର କରିଛନ୍ତି।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ କଂଗ୍ରେସ ସରକାର ଥିବା ସମୟରେ ଓପିଜିସି ଓ ଓଏଚ୍‌ପିସି ଗଠନ କରାଯାଇଥିଲା। ସେତେବେଳେ ସେ ନିଜେ ରାଜ୍ୟର ଶକ୍ତି ମନ୍ତ୍ରୀ ଥିଲେ। ୨ଟି ଯାକ ଲାଭଜନକ ସଂସ୍ଥା। ଏବେ ଓପିଜିସିରୁ ପ୍ରାୟ ୧୭୫୦ ମେଗାଓ୍ବାଟ୍‌ ବିଦ୍ୟୁତ ମିଳିବ। ଏହି ବିଦ୍ୟୁତ ବଣ୍ଟନର ସୁପରିଚାଳନା ହୋଇପାରିଲେ ରାଜ୍ୟର ରାଜସ୍ବ ବୃଦ୍ଧି ହେବ। ଅବକାରୀ ରାଜସ୍ବକୁ ଗୁରୁତ୍ବ ନ ଦେଇ ସରକାର ନିଷ୍ଫାପର ଭାବେ ଏହାର ବିକାଶ ପାଇଁ ଉଦ୍ୟମ କରିବା ଦରକାର। ସେହିପରି ନୀଳାଚଳ ଇସ୍ପାତ ନିଗମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ପିସିସି ସଭାପତି ଅନୁରୋଧ କରିଛନ୍ତି।

ଜେଇଇ ଓ ନିଟ୍‌ ପରୀକ୍ଷା ସମ୍ପତ ରଖି ସେ କହିଛନ୍ତି, କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷା କରିବା ପାଇଁ ଅଟଳ। ରାଜ୍ୟ ସରକାର ପିଲାମାନଙ୍କର ଯିବାଆସିବା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସବୁ କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗ୍ରହଣ କରୁଛନ୍ତି। ଅଥଚ ଜେଇଇ (ମେନ୍‌) ଓ ନିଟ୍‌ ପରୀକ୍ଷା ଘୁଞ୍ଚାଇବାକୁ ସେ କରିଥିବା ଅନୁରୋଧ ପ୍ରଧାନମନ୍ତ୍ରୀ ରଖିଲେ ନାହିଁ। ଏହା ଦୁଃଖ ଓ ପରିତାପର ବିଷୟ। ୮ଟି ଯାଗାରେ ପ୍ରାୟ ୫୦ ହଜାର ପିଲା ୨ ଘଣ୍ଟା ଧରି ମାସ୍କ୍‌ ପିନ୍ଧି ପରୀକ୍ଷା ଦେବେ। ବାସ୍ତବରେ ଏହା କେତେ କଷ୍ଟସାଧ୍ୟ ତାହା ଅନୁଭୁତି ନଥିଲେ ବୁଝିହେବ ନାହିଁ। ପିଲାମାନଙ୍କୁ କରୋନା ମହାମାରୀ ସଂକ୍ରମଣରୁ ରକ୍ଷା କରିବା ପାଇଁ ସାମାଜିକ ଦୂରତା ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ କରାଯିବା ଦରକାର। ସରକାର ଯେଉଁ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ସେସବୁ ରାଶି ତୁରନ୍ତ ସେମାନଙ୍କ ଆକାଉଣ୍ଟ୍‌ରେ ଜମା କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର