ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଭଳି ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ। ଲୋକସଭାରେ ସମର୍ଥନ ଦେଇ ରାଜ୍ୟସଭାରେ ବିଜେଡି ବିରୋଧ କରିଥିବା ଦେଖିବାକୁ ମିଳିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଯଦି କେନ୍ଦ୍ର ସରକାର ସିବିଆଇ ଚଢ଼ାଉ କରୁଛନ୍ତି ବୋଲି ବିଜେଡି କହୁଛି, ତାହେଲେ ପ୍ରାୟ ୮ ବର୍ଷ ହେଲାଣି ରାଜ୍ୟର ଲକ୍ଷ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କାଟିଏ ଫେରି ପାଇନାହାନ୍ତି କାହିଁକି। ଏଥିରୁ ଜଣାପଡ଼ୁଛି ଉଭୟ ଦଳ 'କଭି ଖୁସି, କଭି ଗମ୍‌' ଭଳି ଓଡ଼ିଶାରେ ରାଜନୀତି କରୁଛନ୍ତି। ଆଜି ଏକ ପ୍ରେସ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଓ ବିଜେପିକୁ ଏପରି ଟାର୍ଗେଟ୍‌ କରିଛନ୍ତି। ଅନ୍ୟପଟେ ପିସିସି ସଭାପତିଙ୍କୁ ଜବାବ ଦେଇ ବିଜେଡି କହିଛି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ବାର୍ଥ ହାନି ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ବିରୋଧ କରିଥିଲା। ସେହିପରି ବିଜେପି କହିଛି, ବିଜୁ ଜନତା ଦଳଠାରୁ ସବୁବେଳେ ଦଳ ଦୂରତା ରକ୍ଷା କରିଆସିଛି।

Advertisment

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଚିଟଫଣ୍ଡ କମିସନ ବସାଇଲେ ଓ ଭାଙ୍ଗିଦେଲେ। କମିସନଙ୍କ ପାଖରେ ପ୍ରାୟ ୭ ଲକ୍ଷ ଦରଖାସ୍ତ ପଡ଼ିରହିଲା। ତା ଉପରେ କୌଣସି ନିଷ୍ପତ୍ତି ହୋଇନଥିଲା। ଉପନିର୍ବାଚନ ଥିବାରୁ ବିଜେଡିକୁ ବଦନାମ କରିବା ପାଇଁ ସିବିଆଇ ଚଢ଼ାଉ କରାଯାଉଥିବା ନେଇ ବିଜେଡି କହୁଥିବାବେଳେ ସିବିଆଇ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହେଲେ ୭ରୁ ୮ ବର୍ଷ ହେଲାଣି କାହିଁକି ପକାଇ ରଖିଛି।

କଂଗ୍ରେସ ସମେତ ଅନ୍ୟ ଦଳ ଓ ଏପରିକି କେତେକ ଏନ୍‌ଡିଏର ଅଂଶୀଦାର ଦଳ କୃଷି ବିଲକୁ ସଂସଦରେ ବିରୋଧ କଲେ। କିନ୍ତୁ ବିରୋଧ ସତ୍ତ୍ବେ ବି ତରବରିଆ ଭାବେ ସଂସଦରେ କେନ୍ଦ୍ର ସରକାର ପାରିତ କରାଇଛନ୍ତି। ମୂଳ କଥା ହେଉଛି, ଭାରତରେ ଚାଷୀ ଉତ୍ପାଦର ବିକ୍ରି ମୂଲ୍ୟ ଓ ଖାଉଟି କିଣୁଥିବା ମୂଲ୍ୟ ଭିତରେ ସବୁଠୁ ବେଶୀ ପ୍ରଭେଦ ରହିଛି। ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ପାର୍ଥକ୍ୟ ୧୦%ରୁ ୩୦% ଥିବାବେଳେ ଆମ ଦେଶରେ ଏହି ପ୍ରଭେଦ ୯୦%ରୁ ଅଧିକ। ଭାରତର ୬୦%ରୁ ୭୦% କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ବିଲ୍‌ରେ ଏହିସବୁ ଚାଷୀମାନେ କ୍ଷତିଗ୍ରସ୍ତ ହେବେ। କେବଳ ବଡ଼ ବଡ଼ ବ୍ୟବସାୟୀମାନଙ୍କୁ ଏହା ଫାଇଦା ଦେବ। ଜିଏସ୍‌ଟି ଓ ବିମୁଦ୍ରୀକରଣ ଦ୍ବାରା ଦେଶର ଅର୍ଥନୀତି ଅଗ୍ରସର ହେବ ବୋଲି କୁହାଯାଇଥିଲା। କିନ୍ତୁ ସାଧାରଣ ଲୋକ ଓ ଚାଷୀ ହଇରାଣ ହେଲେ। ଭାଷଣ ଦେଇ ଦେଶବାସୀଙ୍କୁ କେବଳ ପ୍ରତାରିତ କରାଯାଉଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଶ୍ରୁତି, ପ୍ରତାରଣା ଓ ପ୍ରଚାର ଅର୍ଥାତ 'ଥ୍ରୀପି'ରେ ବିଶ୍ବାସ ରଖନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଜବାବ ରଖି କହିଛନ୍ତି କୃଷି ବିଲକୁ କାହାର ବିରୋଧ ନାହିଁ। କିନ୍ତୁ ଏଥିରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ମିଳିବ କି ନାହିଁ ତାର ସ୍ପଷ୍ଟତା ନାହିଁ। ଯଦିଓ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ପି ବ୍ୟବସ୍ଥା ରହିବ ବୋଲି ସଂସଦରେ କହିଛନ୍ତି, ତଥାପି ବିଲ୍‌ରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ ନଥିବାରୁ ଅଧିକ ତର୍ଜମା ପାଇଁ ସିଲେକ୍ଟ୍‌ କମିଟିକୁ ପଠାଇବା ପାଇଁ ବିଜୁ ଜନତା ଦଳ ଦାବି କରିଥିଲା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଦଳ ସବୁବେଳେ ସ୍ପଷ୍ଟ ଆଭିମୁଖ୍ୟ ରଖି ଲଢ଼େଇ କରିଆସିଛି। ବିଭିନ୍ନ ବିଲ୍‌ରେ ଦଳ କେତେବେଳେ ସମର୍ଥନ ଦେଇଛି ତ କେତେବଳେ ବିରୋଧ କରିଛି। ରାଜ୍ୟ ଓ ଜାତୀୟ ସ୍ବାର୍ଥକୁ ବିଚାର କରି ଦଳ ନିଷ୍ପତ୍ତି ନେଇଥାଏ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ସହିତ ବିଜେପିର କୌଣସି ପ୍ରେମ ସମ୍ପର୍କ ରହିନାହିଁ। ତାଙ୍କ ଦଳ ସବୁବେଳେ ସଂଗ୍ରାମ କରିଆସିଛି। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାଧ୍ୟମରେ ଧାନ କିଣା ବିକା ହେଉଛି। ଯଦି ଏହି ବିଲ୍‌ ଆଇନରେ ପରିଣତ ହୁଏ, ତାହେଲେ ବିଜେଡିର ଭୋଟ ବ୍ୟାଙ୍କ ଉପରେ ଶକ୍ତ ଆଘାତ ଲାଗିବ ସେଥିପାଇଁ ବିଲକୁ ବିରୋଧ କରିଛନ୍ତି।