ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବା ପ୍ରସଙ୍ଗ : ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ପିସିସି ସଭାପତି

ଭୁବନେଶ୍ବର : ବାହାର ରାଜ୍ୟରେ ଓଡ଼ିଆ ଶ୍ରମିକମାନଙ୍କ ସ୍ଥିତି ଉତ୍କଟ ହେଲାଣି। ସେସବୁ ରାଜ୍ୟରେ ଏବେ ସେମାନଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର ମିଳୁଛି। ରାଜ୍ୟକୁ ଫେରାଇ ଆଣିବା ପାଇଁ କଂଗ୍ରେସ ଦଳ ଟିକେଟ୍‌ ଖର୍ଚ୍ଚ ଦେବାକୁ ଅନୁରୋଧ କଲା ଅଥଚ ସରକାର ପଞ୍ଜିକୃତ ଶ୍ରମିକମାନଙ୍କ ତାଲିକା ଦଳକୁ ଯୋଗାଇଦେଲେନି। ସରକାରଙ୍କୁ ସହଯୋଗ କରିବାକୁ କଂଗ୍ରେସ ପ୍ରସ୍ତୁତ ଥିବାବେଳେ ସରକାର ନିଦାବିଷ୍ମୁ ସାଜିଛନ୍ତି। କେବଳ କେତେଜଣ ଅଫିସରଙ୍କୁ ଧରି କରୋନା ମହାମାରୀ ସଂକଟର ମୁକାବିଲା କରୁଛନ୍ତି। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏପରି ଘେରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଢ଼ମାସ ହେଲାଣି ଓଡ଼ିଶା ସରକାରଙ୍କୁ କରୋନା ଜନିତ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଦଳ ପକ୍ଷରୁ ଚିଠି ଲେଖାଯାଇଥିଲା। କିନ୍ତୁ ତାର ଉତ୍ତର ମିଳିଲାନି। ଅନ୍ୟ ରାଜ୍ୟମାନଙ୍କରେ ସରକାର ଯେପରି ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷମାନଙ୍କ ସହିତ ଆଲୋଚନା କରୁଛନ୍ତି ଓଡ଼ିଶା ସରକାର ମଧ୍ୟ ସେପରି କରିବା ଦରକାର। ଏଠାର ରାଜ୍ୟ ସରକାର ନିଜ ଦଳର ନେତୃମଣ୍ଡଳୀ ସହ ମଧ୍ୟ ଆଲୋଚନା କରୁନାହାନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆଜି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ଗତମାସ ୨୪ ତାରିଖରେ ଓଡ଼ିଶା ସରକାର ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରେଇ ଆଣିବା ନେଇ ପଞ୍ଜୀକରଣ ଆରମ୍ଭ କଲେ। ୨୬ ତାରିଖ ସୁଦ୍ଧା ୪ ଲକ୍ଷ ୮୬ ହଜାର ଶ୍ରମିକ ପଞ୍ଜୀକରଣ କରିଥିବା ସୂଚନା ଦେଇଥିଲେ। ବାହାର ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ହନ୍ତସନ୍ତ ହେଉଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏହାସହିତ ସେଠାରେ ସେମାନଙ୍କ ଖାଦ୍ୟପେୟ, ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ ମଧ୍ୟ ଅନୁରୋଧ କରିଥିଲୁ। କିନ୍ତୁ ସରକାର ଶୁଣିଲେନାହିଁ। ଏବେ ପରିସ୍ଥିତି ଉଦବେଗଜନକ। ଲକ୍ଷ ଲକ୍ଷ ଲୋକ ଫେରିବା ପାଇଁ ଅନେକ ଦିନ ଲାଗିବ। ସେ ପର୍ଯ୍ୟନ୍ତ ସରକାର ସେହି ରାଜ୍ୟମାନଙ୍କରେ ଓଡ଼ିଆ ଭାଇ ଭଉଣୀମାନଙ୍କମାନଙ୍କ ଯତ୍ନ ନେବା ପାଇଁ ମଧ୍ୟ ଅନୁରୋଧ କରାଗଲା। ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍‌ ଟିକେଟ୍‌ ଖର୍ଚ୍ଚ ବହନ କରିବାକୁ ଦଳ ନିଷ୍ପତ୍ତି ନେଇଛି। କିନ୍ତୁ ସେ ସୁଯୋଗ ବି ଦିଆଯାଉନାହିଁ। ଏ ନେଇ ଗତ ୩ ଦିନ ହେଲାଣି ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ସମୟ ମଗାଯାଇଥିଲେ ବି ସେ ସମୟ ଦେଇନାହାନ୍ତି। ଅନ୍ୟପଟେ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଭେଟିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିଲାନି। ଏବେସୁଦ୍ଧା କଂଗ୍ରେସ ପକ୍ଷରୁ ଜାରି ସହାୟତା ନମ୍ବରକୁ ୩ ହଜାର ଲୋକ ସମ୍ପର୍କ କରିଛନ୍ତି। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନ ଚାହିଁଲେ ସେମାନେ ଫେରିପାରିବେ ନାହିଁ।

ସରକାର ସଙ୍ଗରୋଧ ଅବଧି ୧୪ ଦିନରୁ ୨୧ ଦିନ ବଢ଼ାଇଛନ୍ତି। ଏହା ସ୍ବାଗତଯୋଗ୍ୟ। ସରକାରଙ୍କ ଘୋଷଣା ମୁତାବକ ଗାଁକୁ ଫେରିଆସିଥିବା ଲୋକମାନଙ୍କୁ ରଙ୍ଗ ଲଗେଇବା ଓ ବଗିଚା କାମରେ ନିୟୋଜିତ କରାଯିବ। ଏଥିପାଇଁ ଦୈନିକ ମଜୁରୀ ବାବଦରେ ୧୫୦ ଟଙ୍କା ପ୍ରଦାନ କରାଯିବ। ଏହା ଏକ ଅବାସ୍ତବ କଥା। ଯେଉଁମାନେ ଦୀର୍ଘଦିନ ଧରି ଅନ୍ୟକାମ କରିବାର ଅଭ୍ୟାସ ରଖିଛନ୍ତି, ସେମାନେ ରଙ୍ଗକାମ ଓ ମାଳି କାମ କରିବେ କେମିତି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ନିର୍ବାଚନ ବେଳେ ଗଦା ଗଦା ନେତା ସୁରତ ଓ ଓଡ଼ିଶା ବାହାରକୁ ଯାଇ ପ୍ରଚାର କରିଥିଲେ, କିନ୍ତୁ ଏବେ ସମାନଙ୍କର ଦେଖା ନାହିଁ। ରାଜନୈତିକ ଲିଙ୍କ୍‌ ନେଇ ରାସନ୍‌ କାର୍ଡ଼୍‌ ବାଣ୍ଟିଲେ। ବର୍ତ୍ତମାନ ଗାଁ ଗହଳିରେ ଗରିବଙ୍କ କଣ ଅବସ୍ଥା ଥରେ ବୁଝିଛନ୍ତି କି? ସରକାର ଯେଉଁ ଯୋଜନା ପ୍ରସ୍ତୁତ କରି ପ୍ରତିଦିନ ଗଣମାଧ୍ୟମକୁ ଜଣାଉଛନ୍ତି, ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି କି ନାହିଁ, ସରକାର ପରଖି ଦେଖିଛନ୍ତି କି? ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ଗୁଜୁରାଟରେ ଓଡ଼ିଆ ଶ୍ରମିକମାନେ ମାଡ଼ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଅଗ୍ରାଧିକାର ଭିତ୍ତିରେ ଓଡ଼ିଆ ଭାଇଭଉଣୀମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ୍‌ ହେବାକୁ ସରକାରଙ୍କୁ ପିସିସି ସଭାପତି ପୁଣି ଥରେ ଅନୁରୋଧ କରିଛନ୍ତି।

ଚାଷୀଙ୍କ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ତାଲାବନ୍ଦ ପ୍ରଭାବରେ ରବି ଫସଲ ଚାଷୀମାନେ ହରାଇଛନ୍ତି। ଆଗାମୀ ଖରିଫ୍‌ ଫସଲ ପାଇଁ ସରକାର ଚାଷୀମାନଙ୍କୁ ବିହନ, ସାର ଓ ଆର୍ଥିକ ସହଯୋଗ ଯୋଗାଇ ଦିଅନ୍ତୁ। ଆଖୁ, କପା, ଦୁଗ୍ଧ ଚାଷୀମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। କର୍ଣ୍ଣାଟକ ସରକାର କିଛି ଭଲ କାମ କରିଛନ୍ତି। ତାହା ସ୍ବାଗତଯୋଗ୍ୟ। ସେ ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ଅନେକ ପ୍ରବାସୀ ଓଡ଼ିଆମାନଙ୍କୁ ସାହାଯ୍ୟ ସହଯୋଗ କରିଛି। ଗଣତନ୍ତ୍ର ଶାସନରେ ସମସ୍ତଙ୍କ ସହ କଥା ହେବା ଓ ସମସ୍ତଙ୍କୁ ଶୁଣିବା ଦରକାର। କିନ୍ତୁ ସରକାରୀ ଅଧିକାରୀମାନଙ୍କର ଏପରି ଖାମଖିଆଲି ଆଚରଣ କଣ ପାଇଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସରକାରୀ ଅଧିକାରୀମାନେ ନିଜର କର୍ତ୍ତବ୍ୟପ୍ରତି ସଚେତନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ସୁଦର୍ଶନ ଦାସ, ଅଭିଷେକ ମହାନନ୍ଦ, ବିଷ୍ମୟ ମହାପାତ୍ର ଓ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର