ଭୁବନେଶ୍ବର: ଗତବର୍ଷ ସାଧାରଣ ନିର୍ବାଚନ ସମୟରେ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଗଣମାଧ୍ୟମରେ ଏକ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଲେ। ଦେଶର ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣର ଲୋକମାନଙ୍କ ରଙ୍ଗ ଓ ଚେହେରାର ତୁଳନା କରିବାକୁ ଯାଇ ସେ ଦେଇଥିବା ମନ୍ତବ୍ୟ ବେଶ ଅରୁଚିକର ଥିଲା। ବିବାଦ ବଢ଼ିବା ପରେ କଂଗ୍ରେସ ତାଙ୍କ ମନ୍ତବ୍ୟଠାରୁ ଦୂରେଇ ଯାଇଥିଲା। ପରେ ଶ୍ରୀ ପିଟ୍ରୋଡା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଲେ।
ସପ୍ତାହ ପୂର୍ବରୁ ପୁନର୍ବାର ଶ୍ରୀ ପିଟ୍ରୋଡା ଏକ ଗଣମାଧ୍ୟମରେ ଚୀନ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ଅକଳରେ ପଡ଼ିଥିଲା। ବରିଷ୍ଠ ନେତା ଜୟରାମ ରମେଶ ‘ଏକ୍ସ’ରେ ଏହା ଦଳର ଆଭିମୁଖ୍ୟ ନୁହେଁ ବୋଲି କହିଥିଲେ। ସେହିପରି ନିକଟରେ କଂଗ୍ରେସ ସାଂସଦ ଶଶି ଥରରୁ ଆମେରିକାରେ ମୋଦୀ-ଟ୍ରମ୍ପଙ୍କ ଭେଟଘାଟକୁ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଥିଲେ। ଶ୍ରୀ ଥରୁରଙ୍କ ଏଭଳି ମନ୍ତବ୍ୟ କଂଗ୍ରେସକୁ ଅଡ଼ୁଆରେ ପକାଇଥିଲା। ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ବଢ଼ିବା ପରେ କଂଗ୍ରେସ ତାଙ୍କ ମନ୍ତବ୍ୟଠାରୁ ନିଜକୁ ଦୂରେଇ ରଖିବା ସହ ଏହା ଦଳର ଆଭିମୁଖ୍ୟ ନୁହେଁ ବୋଲି ଜୟରାମ ରମେଶଙ୍କୁ କହିବାକୁ ପଡ଼ିଥିଲା। ସମାନ ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଜାତୀୟ ନେତାଙ୍କ ରୋଗ ଘାରିଛି। କିଟ୍ରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଜ୍ୟ କଂଗ୍ରେସ ଗୋଟିଏ ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଦଳର କିଛି ନେତା ଗଣମାଧ୍ୟମରେ ଭିନ୍ନ ମତ ଦେଉଛନ୍ତି। କଂଗ୍ରେସର ଛାମୁଆ ସଂଗଠନ ଛାତ୍ର ଓ ଯୁବ କଂଗ୍ରେସ କିଟ୍ ପ୍ରସଙ୍ଗରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରଖିଛି। ଦଳ ମଧ୍ୟ ବିଧାୟକ ରାଜନ ଏକ୍କାଙ୍କ ଜରିଆରେ କିଟ୍ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ହେଲେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ବରିଷ୍ଠ ନେତା ସୁରେଶ ରାଉତରାୟ କିଟ୍କୁ ନେଇ ଗଣମାଧ୍ୟମରେ ଦେଉଥିବା ମନ୍ତବ୍ୟ ଦଳର ଆଭିମୁଖ୍ୟକୁ ପାଣିଚିଆ କରିଦେଉଛି। ଯଦିଓ ସେମାନେ ଏହାକୁ ନିଜର ବ୍ୟକ୍ତିଗତ ମତ ବୋଲି କହୁଛନ୍ତି, ହେଲେ କଂଗ୍ରେସରେ ରହି ଦଳର ଆଭିମୁଖ୍ୟଠାରୁ ଭିନ୍ନ ମନ୍ତବ୍ୟ ଦେବାକୁ ନେଇ ଅନେକ ନେତୃବୃନ୍ଦ ନାପସନ୍ଦ କରୁଛନ୍ତି।
ଗଣମାଧ୍ୟମରେ କହିବା ପୂର୍ବରୁ ପଚାର
ଓଡ଼ିଶା କଂଗ୍ରେସ ନେତାଙ୍କୁ ଘାରିଛି ଜାତୀୟ ନେତାଙ୍କ ରୋଗ
ବିଭିନ୍ନ ପ୍ରସଙ୍ଗରେ ଦେଉଛନ୍ତି ଦଳର ଆଭିମୁଖ୍ୟ ବିରୋଧୀ ମନ୍ତବ୍ୟ
ଏହି ବିବାଦ ଆହୁରି ବଢ଼ିବା ପୂର୍ବରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଏଭଳି ତୁଣ୍ଡ ମାନୁ ନ ଥିବା ଲୋକଙ୍କ ପାଇଁ ଚେତାବନୀ ଜାରି କରିଛନ୍ତି। ଆଜି ଦଳ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କେତେକ ନେତୃବୃନ୍ଦ ସେମାନଙ୍କର ନିଜସ୍ବ ମତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରଦାନ କରୁଛନ୍ତି। ଯାହାକି କଂଗ୍ରେସ ଦଳର ଆଭିମୁଖ୍ୟ ଠାରୁ ଭିନ୍ନ। ଏହା ଯୋଗୁଁ ଦଳର ଭାବମୂର୍ତ୍ତି ଖରାପ ହେଉଛି। ସମସ୍ତ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ। କୌଣସି ଘଟଣା ସମ୍ପର୍କରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମତ ଦେବା ପୂର୍ବରୁ ପିସିସି ସଭାପତି କିମ୍ବା ମିଡିଆ କମିଟି ଅଧ୍ୟକ୍ଷଙ୍କ ସହ ପରାମର୍ଶ କରିବେ। କୌଣସି ଘଟଣାରେ ଦଳର ଆଭିମୁଖ୍ୟ ଓ ନିଷ୍ପତ୍ତି କ’ଣ ହେବ ସେ ସମ୍ପର୍କରେ କଂଗ୍ରେସ ନେତୃବୃନ୍ଦ ଗଣମାଧ୍ୟମକୁ ଯିବା ପୂର୍ବରୁ ସେମାନଙ୍କର ମତାମତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଥବା ମିଡିଆ କମିଟି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ। ଫଳରେ ସଂପୃକ୍ତ ଘଟଣାରେ ଦଳର ଆଭିମୁଖ୍ୟ କ’ଣ ହେବ ତାହା ସ୍ପଷ୍ଟ ହୋଇପାରିବ ଓ ଦଳ ଲାଭବାନ ହୋଇପାରିବ ବୋଲି ଶ୍ରୀ ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ଉଲ୍ଲେଖ ଯେ ୨୦୨୨ ମସିହାରେ ଏପ୍ରିଲ ମାସରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ପିସିସି ସଭାପତି କିଏ ହେବ ତାହା ନବୀନଙ୍କ ଇଚ୍ଛା ଉପରେ ନିର୍ଭର କରୁଛି ବୋଲି ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।