ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି, ପେଟ୍ରୋଲ ଓ ଡିଜେଲ ଉପରୁ ୧୦ ଟଙ୍କା ଭାଟ୍‌ କମାଇବାକୁ କଲେ ଅନୁରୋଧ

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟର ଲୋକମାନଙ୍କୁ ଏହି ଦରବୃଦ୍ଧି ଖୁବ ବାଧୁଛି। ତୈଳ ଦର ବୃଦ୍ଧି ଯୋଗୁ ଦରଦାମ ବି ଆକାଶଛୁଆଁ ହେଲାଣି। ଫଳରେ ଜନସାଧାରଣ ଓ ଚାଷୀ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ବସୁଥିବା ଭାଟକୁ ଲିଟର ପିଛା ୧୦ ଟଙ୍କା କମାନ୍ତୁ। ଫଳରେ ଦର କିଛିଟା କମିବ। ମଙ୍ଗଳବାର ଏପରି ଅନୁରୋଧ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ୟୁପିଏ ୧ ଓ ୨ ସମୟରେ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୦୦ରୁ ୧୩୦ ଡଲାର୍‌ ଥିଲାବେଳେ ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପିଛା ୮୦ ଟଙ୍କା ତଳକୁ ରହୁଥିଲା। ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୫୦ ଡଲାର୍‌କୁ ଖସି ଆସିଲାଣି। ଅଥଚ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କା ଛୁଇଁଲାଣି। ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ କହୁଥିଲେ, ଯେଉଁମାନେ ତେଲ ଦର ବୃଦ୍ଧି କରୁଛନ୍ତି, ସେମାନେ ଦେଶଦ୍ରୋହୀ। ଏବେ କେଉଁ ମାନେ ଦେଶଦ୍ରୋହୀ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସେ ସମୟରେ ବିଜୁ ଜନତା ଦଳ ତୈଳ ବୃଦ୍ଧିକୁ ନେଇ ନାନାଦି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲା। ଅଥଚ ଏବେ ଚୁପ୍‌ ରହିଛନ୍ତି। କେନ୍ଦ୍ର ସରକାର ତୈଳ ଦର ଉପରେ ନେଉଥିବା ୩୪ରୁ ୩୫ ଟଙ୍କା ଟିକସକୁ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାନ୍ତୁ। ଯଦି ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ କଂଗ୍ରେସ ଦଳ ୧୫ ତାରିଖ ଦିନ ‘ଓଡ଼ିଶା ବନ୍ଦ’ ଡାକରା ଦେବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର