ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ବର : କରୋନା ମହାମାରୀ ପାଇଁ କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର ଦୀର୍ଘ ୯ ମାସ ଧରି ବନ୍ଦ ରହିଲାଣି। ଏବେ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ଯେପରି ପୁରୀ ଶ୍ରୀମନ୍ଦିର ଓ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲାଯାଇଛି, ଅନୁରୂପ ଭାବେ ତାରିଣୀ ମନ୍ଦିର ସରକାର ଖୋଲନ୍ତୁ। ଆଜି ଏପରି ଅନୁରୋଧ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ଶ୍ରୀମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରିଛି। କଟକଣା ନିୟମ ଅନୁପାଳନ କରି ହାଟ ଓ ବଜାର ଯିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି। ସେ ଦୃଷ୍ଟିରୁ ପୂଜା ପୀଠଗୁଡ଼ିକୁ ଯିବାରେ କୌଣସି ଅସ୍ବାଭାବିକତା ନାହିଁ। ଘଟଗାଁର ମା’ତାରିଣୀ ଏକଦା ଆଦିବାସୀମାନଙ୍କ ଦ୍ବାରା ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ଏହି ପୀଠ ସମଗ୍ର ହିନ୍ଦୁ ଜାତିର ଏକ ପ୍ରସିଦ୍ଧ ପୀଠ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ନିଜ ମନବାଞ୍ଛା ପୂରଣ ଉଦ୍ଦେଶ୍ୟରେ ମା’ତାରିଣୀଙ୍କ ପାଖକୁ ପ୍ରତିଦିନ ବସ୍‌ରେ ନଡ଼ିଆ ପଠାଇଥାନ୍ତି। ମନ୍ଦିର ବନ୍ଦ ଯୋଗୁଁ ଏବେ ଏସବୁ ପ୍ରଭାବିତ ହୋଇଛି। ଗତ ମାର୍ଚ୍ଚ ୨୦ ତାରିଖରୁ କରୋନା କଟକଣା ପାଇଁ ଏହି ମନ୍ଦିରକୁ ବନ୍ଦ କରି ରଖାଯାଇଛି। ଫଳରେ ଭକ୍ତମାନେ ମା’ଙ୍କ ଦର୍ଶନ ପାଉନାହାନ୍ତି କି ତାଙ୍କ ନିକଟକୁ ନଡ଼ିଆ ପଠାଇ ପାରୁନାହାନ୍ତି। ଫଳରେ ମନ୍ଦିରର ଦୈନଦିନ ନୀତିକାନ୍ତି ପ୍ରଭାବିତ ହେବା ସହ ମନ୍ଦିର ସହ ସମ୍ପୃକ୍ତ ସେବକ ଓ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି। ସେମାନଙ୍କ ରୋଜଗାର ଶୂନ ହୋଇଗଲାଣି। ଯେଉଁଭଳି ଭାବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିଛନ୍ତି, ସେହିଭଳି ମା’ତାରିଣୀ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର